ବାୟୁ ପ୍ରଦୂଷଣ: ପ୍ରତି ଘଣ୍ଟାରେ ୮୦ ଶିଶୁଙ୍କ ମୃତ୍ୟୁ

Advertisment

ଦକ୍ଷିଣ ଏସିଆ ସ୍ଥିତି ଉଦ୍‌ବେଗଜନକ, ୨୦୨୧ରେ ଭାରତରେ ୧.୬ ଲକ୍ଷ ଶିଶୁଙ୍କ ମୃତ୍ୟୁ

ଦକ୍ଷିଣ ଏସିଆ ସ୍ଥିତି ଉଦ୍‌ବେଗଜନକ, ୨୦୨୧ରେ ଭାରତରେ ୧.୬ ଲକ୍ଷ ଶିଶୁଙ୍କ ମୃତ୍ୟୁ

ବାୟୁ ପ୍ରଦୂଷଣ: ପ୍ରତି ଘଣ୍ଟାରେ ୮୦ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଶିଶୁଙ୍କ ସ୍ବାସ୍ଥ୍ୟକୁ ଅତି ସାଂଘାତିକ କ୍ଷତି ପହଞ୍ଚାଉଛି। ବିଷାକ୍ତ ବାୟୁ ପ୍ରତି ବର୍ଷ ବିଶ୍ବରେ ପ୍ରାୟ ୮ ଲକ୍ଷ ଶିଶୁଙ୍କ ଜୀବନ ନେଉଛି ଏବଂ ପ୍ରତି ଘଣ୍ଟାରେ ୮୦ ଜଣ ଶିଶୁ ପ୍ରଦୂଷଣଜନିତ ମୃତ୍ୟୁର ଶିକାର ହେଉଥିବା ଏକ ଆକଳନରୁ ଜଣାପଡ଼ିଛି। ଦକ୍ଷିଣ ଏସିଆରେ ୫ ବର୍ଷରୁ କମ୍‌ ବୟସର ଶିଶୁ ବାୟୁ ପ୍ରଦୂଷଣ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ବାୟୁ ପ୍ରଦୂଷଣ ଏଠାରେ ଶିଶୁ ମୃତ୍ୟୁର ଦ୍ବିତୀୟ ବୃହତ୍ତମ କାରଣ ଭାବେ ଉଭା ହୋଇଛି। ଗ୍ଲୋବାଲ୍‌ ବର୍ଡନ୍‌ ଅଫ୍‌ ଡିଜିଜ୍‌ର ଏକ ଆକଳନ ଅନୁଯାୟୀ ଦକ୍ଷିଣ ଏସିଆରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମଧ୍ୟରେ ବାୟୁ ପ୍ରଦୂଷଣଜନିତ ମୃତ୍ୟୁହାର ପ୍ରତି ୧ ଲକ୍ଷରେ ୧୬୪ ରହୁଛି। ଅନ୍ୟପକ୍ଷେ ବୈଶ୍ବିକ ସ୍ତରରେ ଏହା ୧ଲକ୍ଷରେ ହାରାହାରି ୧୦୮ ରହୁଛି। ୨୦୨୧ରେ ଭାରତରେ ବାୟୁ ପ୍ରଦୂଷଣ ଜନିତ ଶିଶୁ ମୃତ୍ୟୁ ସର୍ବାଧିକ ୧୬୯,୪୦୦ ଥିବାବେଳେ ନାଇଜେରିଆରେ ୧୧୪,୧୦୦, ପାକିସ୍ତାନରେ ୬୮,୧୦୦, ଇଥିଓପିଆରେ ୩୧,୧୦୦ ଏବଂ ବାଂଲାଦେଶରେ ୧୯,୧୦୦। ବାୟୁ ପ୍ରଦୂଷଣ ଯୋଗୁଁ ଶିଶୁମାନଙ୍କ ସ୍ବାସ୍ଥ୍ୟରେ ଅତ୍ୟନ୍ତ ଖରାପ ପ୍ରଭାବ ପଡ଼ୁଛି। ମା’ ଗର୍ଭରୁ ହିଁ ବାୟୁ ପ୍ରଦୂଷଣ ଶିଶୁର ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି। ଏହାଦ୍ବାରା ସମୟ ହେବା ପୂର୍ବରୁ ଶିଶୁ ଜନ୍ମ ନେବା ଏବଂ ନବଜନ୍ମିତ ଶିଶୁର ଓଜନ୍‌ କମ ରହିବା, ଶ୍ବାସ ଏବଂ ଫୁସଫୁସ ଜନିତ ସମସ୍ୟା ମଧ୍ୟ ବଢ଼ୁଛି।

୨୦୨୧ରେ ବାୟୁ ପ୍ରଦୂଷଣଜନିତ କାରଣ ପାଇଁ ଦକ୍ଷିଣ ଏସିଆରେ କେବଳ ୫ ବର୍ଷରୁ କମ୍‌ ୨,୬୦,୬୦୦ ଶିଶୁଙ୍କ ମୃତ୍ୟୁ ହୋଇଛି। କୁପୋଷଣ ପରେ ଦକ୍ଷିଣ ଏସିଆରେ ଏହା ୫ ବର୍ଷରୁ କମ୍‌ ବୟସର ଶିଶୁ ମୃତ୍ୟୁ ପାଇଁ ଦ୍ବିତୀୟ ବୃହତ୍ତମ କାରଣ ହୋଇଛି। ନିର୍ଦ୍ଦିଷ୍ଟ ଭାବେ ଦକ୍ଷିଣ ଏସିଆ, ପୂର୍ବ, ପଶ୍ଚିମ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଆଫ୍ରିକାରେ ପ୍ରଦୁଷଣ ଯୋଗୁଁ ଶିଶୁଙ୍କ ମଧ୍ୟରେ ମୃତ୍ୟୁ ବଢ଼ୁଛି। ଅଧିକାଂଶ ଶିଶୁ ନିମୋନିଆ ଓ ଶ୍ବାସରୋଗର ଶିକାର ହେଉଛନ୍ତି। ୨୦୨୧ରେ ବାୟୁ ପ୍ରଦୂଷଣ ଯୋଗୁଁ ସାରା ବିଶ୍ୱରେ ୮.୧ ନିୟୁତ ଲୋକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe