The Financial Express
ବର୍ଲିନ : ସମ୍ପ୍ରତି ଜର୍ମାନୀରେ ଅନୁଷ୍ଠିତ ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଦୀର୍ଘକାଳ ଧରି ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିଲେ ମାରାତ୍ମକ କୋଭିଡ୍-୧୯ର ଅଧିକ ଆଶଙ୍କା ରହିଥାଏ। ଜୁନ୍ ୪-୬ ମଧ୍ୟରେ ଇଟାଲିର ମିଲନଠାରେ ଅନୁଷ୍ଠିତ ୟୁରୋପୀୟ ନିଶ୍ଚେତନା ବିଜ୍ଞାନ ଓ ଇଣ୍ଟେନ୍ସିଭ୍ କେୟାର୍ ସୋସାଇଟିର ବାର୍ଷିକ ସମ୍ମିଳନୀରେ ଉପସ୍ଥାପିତ ଅନୁଧ୍ୟାନ ରିପୋର୍ଟ ଅନୁସାରେ ଯେଉଁ ଦେଶର ଲୋକମାନେ ଅଧିକ ଯବକ୍ଷାରାମ୍ଳ (NO2) ସଂସ୍ପର୍ଶରେ ଆସିଥାନ୍ତି, କୋଭିଡ୍-୧୯ ଦ୍ବାରା ସଂକ୍ରମିତ ହେଲେ ସେମାନେ ଆଇସିୟୁରେ ଭର୍ତ୍ତି ହେବା ଓ ଭେଣ୍ଟିଲେଟରରେ ରହିବାର ସମ୍ଭାବନା ଅଧିକ ଥାଏ।
ଅନୁଧ୍ୟାନ ରିପୋର୍ଟ ଅନୁସାରେ, ଜୀବାଶ୍ମ ଇନ୍ଧନ ଦହନରୁ ଅଧିକ ଯବକ୍ଷାରାମ୍ଳ ବାୟୁମଣ୍ଡଳକୁ ବିମୋଚିତ ହୋଇଥାଏ। ଏହା ସଂସ୍ପର୍ଶରେ ଅଧିକ ଦିନ ଆସିଲେ ଫୁସ୍ଫୁସ୍ର କ୍ଷତି ହୋଇଥାଏ। ଆମେ ଯେଉଁ ପ୍ରଶ୍ବାସ ନେଉ ସେଥିରେ ଥିବା ଅମ୍ଳଜାନକୁ ଆମ ଫୁସ୍ଫୁସ୍ରେ ଥିବା ଏଣ୍ଡୋଥେଲିଆଲ ସେଲ୍ ଗ୍ରହଣ କରି ରକ୍ତକୁ ପଠାଇଥାଏ। କିନ୍ତୁ ଆଧିକ ଦିନ ଯବକ୍ଷାରାମ୍ଳ ସଂସ୍ପର୍ଶରେ ଆସିଲେ ଆମର ସେଇ ଏଣ୍ଡୋଥେଲିଆଲ ସେଲ୍ର କ୍ଷତି ଘଟିଥାଏ। ଏପରି ଅବସ୍ଥାରେ ଯଦି କୋଭିଡ୍-୧୯ ସଂକ୍ରମଣ ହୁଏ, ତେବେ ଫୁସ୍ଫୁସ୍ର କାର୍ଯ୍ୟକାରିତା ଆହୁରି ପ୍ରଭାବିତ ହୁଏ ଏବଂ ରୋଗୀକୁ ଆଇସିୟୁ ଓ ଭେଣ୍ଟିଲେଟରର ସାହାରା ନେବାକୁ ପଡ଼େ ବୋଲି ଅନୁଧ୍ୟାନର ମୁଖ୍ୟ ଗବେଷକ ସୁସାନ କୋଚ ପ୍ରକାଶ କରିଛନ୍ତି। ଗବେଷକମାନେ ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ତଥ୍ୟକୁ ନେଇ ଏହି ଅନୁଧ୍ୟାନ କରିଥିଲେ। ବାୟୁ ପ୍ରଦୂଷଣ ଯୋଗୁ ଅନ୍ୟାନ୍ୟ ସମସ୍ୟା ଯଥା ହୃଦ୍ଘାତ, ମସ୍ତିଷ୍କାଘାତ, ଶ୍ବାସରୋଗ (ଆଜ୍ମା) ଓ ଫୁସ୍ଫୁସ୍ କର୍କଟ ହୋଇପାରେ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।
Follow Us