ସୋନିପତ : ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ହରିୟାଣାର ସୋନିପତଠାରେ ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଥିଲା। କୁଣ୍ଡଲି-ମାନେସର-ପାଲୱାଲ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ଦେହରେ ଦୀପ ସିଦ୍ଧୁଙ୍କ ଧଳା ସ୍କର୍ପିଓ ଗାଡ଼ି ଯାଇ ପିଟି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସମୟରେ ଦୀପ ତାଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରୀନା ରାଏଙ୍କ ସହ ଦିଲ୍ଲୀରୁ ଭାଟିଣ୍ଡାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏଥିରେ ଦୀପଙ୍କର ମୃତ୍ୟୁ ହୋଇଥିଲେ ବି ରୀନାଙ୍କ ଜୀବନ ବଞ୍ଚିଯାଇଥିଲା।
aajtakତେବେ ଗାଡ଼ିରେ ଲାଗିଥିବା ଏୟାର ବ୍ୟାଗ୍ ପାଇଁ ରୀନାଙ୍କ ଜୀବନ ବଞ୍ଚିଯାଇଥିବା ଜଣାପଡ଼ିଛି। ପୁଲିସର କହିବା ମୁତାବକ, ଦୁର୍ଘଟଣା ଘଟିବା ସମୟରେ ରୀନା ବାମ ପଟ ସିଟରେ ବସିବା ସହ ସିଟ୍ ବେଲ୍ଟ ପିନ୍ଧିଥିଲେ। ଦୁର୍ଘଟଣା ପରେ ରୀନାଙ୍କ ପାର୍ଶ୍ବରେ ଥିବା ଏୟାରବ୍ୟାଗ୍ ଖୋଲିଯାଇଥିବାରୁ ତାଙ୍କ ମୁଣ୍ଡରେ ଏବଂ ଛାତିରେ ଗଭୀର ଆଘାତ ଲାଗି ନଥିଲା। ହେଲେ ଦୀପଙ୍କ ପାର୍ଶ୍ବରେ ଥିବା ଏୟାରବ୍ୟାଗ୍ ଖୋଲିଥିଲେ ବି ଏହା ତୁରନ୍ତୁ ଫାଟି ଯାଇଥିଲା। କାରଣ ଦୀପ ଯେଉଁ ପାର୍ଶ୍ବରେ ବସିଥିଲେ ସେହି ପାର୍ଶ୍ବଟି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା।
aajtakଦୀପ ସିଦ୍ଧୁ ଅଭିନେତାରୁ ସାମାଜିକ କର୍ମୀ ପାଲଟିଥିଲେ। ୨୦୨୧ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ସେ ଅନ୍ୟତମ ଅଭିଯୁକ୍ତ ଥିଲେ। ଗତବର୍ଷ ଫେବ୍ରୁଆରି ୯ ତାରିଖରେ ତାଙ୍କୁ ଦିଲ୍ଲୀ ପୁଲିସ ହରିୟାଣାର କର୍ନଲରୁ ଗିରଫ କରିଥିଲା। ସେହିବର୍ଷ ଏପ୍ରିଲ ୧୭ରେ ତାଙ୍କୁ ଏହି ମାମଲାରେ ଜାମିନ ମିଳିଥିଲା। କିନ୍ତୁ ପରେ ଏଏସଆଇ ପକ୍ଷରୁ ଲାଲକିଲ୍ଲାକୁ କ୍ଷତି ପହଞ୍ଚାଇବା ମାମଲାରେ ପୁଲିସ ପୁଣି ଗିରଫ କରିଥିଲା। ଏପ୍ରିଲ ୨୬ରେ ତାଙ୍କୁ ଉକ୍ତ ମାମଲାରେ ଜାମିନ ମିଳିଥିଲା। ଗତବର୍ଷ ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ହିଂସା ପରେ ଦୀପଙ୍କୁ ଫେରାର ହେବାରେ ରୀନା ସହାୟତା କରିଥିଲେ ବୋଲି ଅଭିଯୋଗ କରାଯାଏ। ଏଥିସହିତ ଦୀପଙ୍କ ସମର୍ଥନରେ ମଧ୍ୟ ସେ ସେହି ସମୟରେ ସାମାଜିକ ଗଣମାଧ୍ୟମରେ ଭିଡିଓ ଅପଲୋଡ଼ କରିଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଦୀପ ସିଦ୍ଧୁଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
Follow Us