Mathrubhumi English
ନୂଆଦିଲ୍ଲୀ: ଯଦି ଜଣେ ଯାତ୍ରୀ କୋଭିଡ-୧୯ ଲକଡାଉନ୍ ସମୟରେ ବୁକ୍ କରିଥିବା ଟିକେଟର ଟଙ୍କା ଫେରସ୍ତ ମାଗନ୍ତି, ତେବେ ବାତିଲ ଶୁଳ୍କ ବିନା ବୁକ୍ ହୋଇଥିବା ଟିକେଟର ଟଙ୍କା ଫେରସ୍ତ କରିବାକୁ ପଡିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ସମସ୍ତ ବିମାନ କମ୍ପାନିକୁ ନିର୍ଦେଶ ଦିଆଯାଇଛି। ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ଆରମ୍ଭ ହୋଇଥିବା ଲକଡାଉନର ପ୍ରଥମ ପର୍ଯ୍ୟାୟରେ ବୁକ୍ ହୋଇଥିବା ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ଟିକେଟ୍ ଉପରେ ଏହି ନିର୍ଦ୍ଦେଶନାମା ଲାଗୁ ହେବ। ବାତିଲ ଅନୁରୋଧର ତିନି ସପ୍ତାହ ମଧ୍ୟରେ ଟଙ୍କା ଫେରସ୍ତ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏକ ନିର୍ଦ୍ଦେଶନାମା ଜାରି କରିଛି।
ଅଧିକାଂଶ ଘରୋଇ ବିମାନ କମ୍ପାନି ବୁକ ହୋଇସାରିଥିବା ଟିକେଟର ଟଙ୍କା ଫେରସ୍ତ କରିବାକୁ ମନା କରିବା ସହ ଉଡ଼ାଣ ସମୟ ଓ ଦିନ ପୁନଃନିର୍ଧାରଣ ପାଇଁ ବିକଳ୍ପ ଦେବା ପରେ ଅନେକ ଗ୍ରାହକ ଗୋଷ୍ଠୀ ଏ ନେଇ ଅଭିଯୋଗ ଆଣିଥିଲେ। ଯାହା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।
PhocusWireଦେଶରେ କରୋନାଭାଇରସ୍ ବ୍ୟାପିବା ପରେ ଭାରତରେ ମାର୍ଚ୍ଚ ୨୨ରୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଏବଂ ମାର୍ଚ୍ଚ ୨୫ରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା ସରକାର। ପ୍ରଥମ ପର୍ଯ୍ୟାୟ ଲକଡାଉନ ଏପ୍ରିଲ ୧୪ରେ ଶେଷ ହେବାକୁ ଥିବାରୁ ଏୟାର ଇଣ୍ଡିଆ ବ୍ୟତୀତ ଅଧିକାଂଶ ଘରୋଇ ବିମାନ କମ୍ପାନି ଏପ୍ରିଲ ୧୪ ପରେ ଉଡ଼ାଣ ପାଇଁ ବୁକିଂ ଜାରି ରଖିଥିଲେ। କିନ୍ତୁ ଏପ୍ରିଲ ୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ଲକଡାଉନର ଅବଧି ମେ ୩ପର୍ଯ୍ୟନ୍ତ ବଢାଇବା ପରେ ଡିଜିସିଏ ଏକ ସର୍କୁଲାର ଜାରି କରି ଅନ୍ତର୍ଜାତୀୟ ତଥା ଘରୋଇ ବିମାନ ଉଡ଼ାଣ ମେ ୩ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ସୂଚନା ଦେଇଥିଲା | ଏହି ସୂଚନା ପରେ ଟିକେଟ ବୁକ କରିଥିବା ଲୋକମାନେ ଟଙ୍କା ଫେରସ୍ତ ମାଗିବା ଆରମ୍ଭ କରିଥିଲେ | କିନ୍ତୁ କିଛି ବିମାନ କମ୍ପାନି ଟଙ୍କା ଫେରସ୍ତ ପରିବର୍ତ୍ତେ ଉଡ଼ାଣ ସମୟ ଓ ଦିନ ପୁନଃନିର୍ଧାରଣ ପାଇଁ ବିକଳ୍ପ ଦେଉଥିବାର ଅଭିଯୋଗ ହେବାରୁ ଆଜି ଡିଜିସିଏ ଏହି ନିର୍ଦ୍ଦେଶନାମା ଜାରି କରିଛି |
Follow Us