ହିନ୍ଦୀକୁ ରାଷ୍ଟ୍ରଭାଷା ମାନୁନଥିବା କିଚ୍ଚା ସୁଦୀପଙ୍କୁ ଅଜୟଙ୍କ ପ୍ରଶ୍ନ; ଫିଲ୍ମକୁ ଡବ୍ କାହିଁକି କରୁଛ?

ହିନ୍ଦୀକୁ ରାଷ୍ଟ୍ରଭାଷା ମାନୁନଥିବା କିଚ୍ଚା ସୁଦୀପଙ୍କୁ ଅଜୟଙ୍କ ପ୍ରଶ୍ନ; ଫିଲ୍ମକୁ ଡବ୍ କାହିଁକି କରୁଛ?

ମୁମ୍ବାଇ: ଗୋଟିଏ ପଟେ ସାଉଥ ସିନେମାର ପ୍ରାଧାନ୍ୟ ବଢ଼ୁଥିବା ବେଳେ ଅନ୍ୟପଟେ ଭାଷାକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। ସାଉଥ ଇଣ୍ଡଷ୍ଟ୍ରିର ହିଟ୍ ଭିଲେନ୍ କିଚ୍ଚା ସୁଦୀପଙ୍କ ଏକ ସାକ୍ଷାତକାରରୁ ଏହି ବିବାଦ ଆରମ୍ଭ ହୋଇଛି। ଭାଇରାଲ ହେଉଥିବା ଏକ ଭିଡିଓରେ ସେ ହିନ୍ଦୀ ଭାଷାକୁ ନେଇ କହିଛନ୍ତି ଯେ ଏହା ଆମର ରାଷ୍ଟ୍ରଭାଷା ନୁହେଁ। ବର୍ତ୍ତମାନ କିଚ୍ଚା ସୁଦୀପଙ୍କ ଏହି ବିବାଦୀୟ ବିବୃତି ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏବେ ଅଭିନେତାଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ଆଗକୁ ଆସିଛନ୍ତି ବଲିଉଡ ଅଭିନେତା ଅଜୟ ଦେବଗନ୍।

ଟ୍ବିଟ କରି ଅଜୟ ଦେବଗନ କହିଛନ୍ତି ଯେ, କିଚ୍ଚା ସୁଦୀପ, ମୋ ଭାଇ, ତୁମ ଅନୁଯାୟୀ ଯଦି ହିନ୍ଦୀ ଆମର ରାଷ୍ଟ୍ରଭାଷା ନୁହେଁ ତେବେ ତୁମେ ତୁମର ମାତୃଭାଷାରେ ସୁଟ୍ କରାଯାଇଥିବା ଚଳଚ୍ଚିତ୍ରକୁ ହିନ୍ଦୀରେ ଡବ କରି କାହିଁକି ରିଲିଜ୍ କରୁଛ? ହିନ୍ଦୀ ଆମର ମାତୃଭାଷା ଏବଂ ରାଷ୍ଟ୍ରଭାଷା ଥିଲା, ଅଛି ଏବଂ ସର୍ବଦା ରହିବ। ଜନ ଗଣ ମନ।

publive-image

ଏବେ ଅଜୟ ଦେବଗନଙ୍କ ଟ୍ବିଟର ଜବାବ ଦେବାକୁ ଯାଇ କିଚ୍ଚା ସୁଦୀପ ଟ୍ବିଟ କରିଛନ୍ତି ଯେ, ସାର୍, ଯେଉଁଭଳି ଭାବେ ଏହି କଥାଟି ଆପଣଙ୍କ ପାଖକୁ ପହଞ୍ଚିଛି, ତାହା ମୁଁ ଦେଇଥିବା ମନ୍ତବ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ମୁଁ ଆପଣଙ୍କୁ ଦେଖା କରି ଏବିଷୟରେ ଜଣାଇବି। ଏହା କାହାକୁ ଆଘାତ ଦେବା, ଉତ୍ତେଜନା ସୃଷ୍ଟି କରିବ‌ା କିମ୍ବା କୌଣସି ବିତର୍କ ଆରମ୍ଭ କରିବା ପାଇଁ ନଥିଲା। ମୁଁ କାହିଁକି ଏଭଳି କହିବି ସାର୍?

କିଚ୍ଚାଙ୍କ ଏଭଳି ଟ୍ବିଟର ଜବାବ ଦେଇ ଅଜୟ ଲେଖିଛନ୍ତି ଯେ, ତୁମେ ଜଣେ ଭଲ ବନ୍ଧୁ। ଭୁଲ ବୁଝାମଣାକୁ ଦୂର କରିଥିବାରୁ ଧନ୍ୟବାଦ। ମୁଁ ସବୁବେଳେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗୋଟିଏ ବୋଲି ଭାବେ। ଆମେ ସମସ୍ତ ଭାଷାକୁ ସମ୍ମାନ କରୁ ଏବଂ ଆମେ ଆଶା କରୁ ଯେ ସମସ୍ତେ ଆମ ଭାଷାକୁ ମଧ୍ୟ ସମ୍ମାନ କରିବେ।

ଉଲ୍ଲେଖଯୋଗ୍ୟ, କିଚ୍ଚା ସୁଦୀପ କହିଥିଲେ ଯେ ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର କନ୍ନଡରେ ନିର୍ମିତ ହେଉଛି, ମୁଁ ଏହା ଉପରେ ଏକ ଛୋଟ ସଂଶୋଧନ କରିବାକୁ ଚାହୁଁଛି। ହିନ୍ଦୀ ଆଉ ରାଷ୍ଟ୍ରଭାଷା  ହୋଇ ନାହିଁ। ଆଜି ବଲିଉଡରେ ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ବଲିଉଡ ଫିଲ୍ମ ନିର୍ମାତା ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରର ରିମେକ୍ କରୁଛନ୍ତି, କିନ୍ତୁ ଏହା ପରେ ମଧ୍ୟ ବକ୍ସ ଅଫିସରେ ହିଟ୍ ହେବା ପାଇଁ ସଂଘର୍ଷ କରୁଛନ୍ତି। ଏବେ ଆମେ ଏଭଳି ଚଳଚ୍ଚିତ୍ର ନିର୍ମାଣ କରୁଛୁ ଯାହା ସାରା ବିଶ୍ୱବାସୀ ଦେଖିବାକୁ ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe