Pennews
ଲକ୍ଷ୍ନୌ : ଆଜି ସକାଳେ ଅଖିଳ ଭାରତ ହିନ୍ଦୁ ମହାସଭାର ସଭାପତି ରଞ୍ଜିତ ବଚ୍ଚନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସକାଳ ସାଢେ ୬ଟା ବେଳେ ଲକ୍ଷ୍ନୌଠାରେ ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଛନ୍ତି। ଏହି ଘଟଣା ସମଗ୍ର ଉତ୍ତର ପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହିନ୍ଦୁ ମହାସଭାର ସଭାପତି ୪୦ ବର୍ଷୀୟ ରଞ୍ଜିତ ଆଜି ସକାଳୁ ହଜରତଗଂଜ ଅଞ୍ଚଳରେ ଥିବା ଗ୍ଲୋବ୍ ପାର୍କରେ ତାଙ୍କ ସହଯୋଗୀ ଆଦିତ୍ୟ ଶ୍ରୀବାସ୍ତବଙ୍କ ସହ ମର୍ଣ୍ଣିଂ ୱାକ୍ରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୁର୍ବୃତ୍ତଙ୍କ ଗୁଳିରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଶ୍ରୀବାସ୍ତବ ଗୁରୁତର ଆହତ ହୋଇଛନ୍ତି।
ହଜରତଗଂଜର ଏସିପି ଅଭୟ ମିଶ୍ରଙ୍କ କହିବା ଅନୁଯାୟୀ, ଦୁର୍ବୃତ୍ତମାନେ ବଚ୍ଚନଙ୍କ ମୁଣ୍ଡକୁ ଅତି ପାଖରୁ ଗୁଳି କରିଥିଲେ। ତାଙ୍କୁ ତୁରନ୍ତ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ନିଆଯାଇଥିଲା। ମାତ୍ର, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହିନ୍ଦୁ ମହାସଭା ସଭାପତି ବଚ୍ଚନ ୨୦୧୨ ପର୍ଯ୍ୟନ୍ତ ସମାଜବାଦୀ ପାର୍ଟି ସହ ସମ୍ପୃକ୍ତ ଥିଲେ। ଏହି ଘଟଣା ପରେ ଉତ୍ତର ପ୍ରଦେଶ ସରକାର ୪ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ପୁଲିସ ଅଧିକାରୀଙ୍କ ମଧ୍ୟରେ ୨ ଜଣ ପିଆର୍ଭି ପୁଲିସ, ଜଣେ କନଷ୍ଟେବଳ ଏବଂ ଜଣେ ଆଉଟପୋଷ୍ଟ ଇନ୍ଚାର୍ଜ ଅଛନ୍ତି। ସୂଚନାଯୋଗ୍ୟ, ୪ ମାସ ପୂର୍ବେ ଲକ୍ଷ୍ନୌରେ ସମାନ ଶୈଳୀରେ ଆଉ ଜଣେ ହିନ୍ଦୁ ଧାର୍ମିକ ନେତା କମଲେଶ ତିୱାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
Follow Us