ଅଲ୍‌କାଏଦା ମୁଖ୍ୟ ଅଲ୍‌ ଜବାହିରି ନିପାତ: ପ୍ରତିଶୋଧ ନେଲା ଆମେରିକା, ନ୍ୟୁୟର୍କ ଆକ୍ରମଣରେ ସଂପୃକ୍ତ ଥିଲା

Advertisment

କାବୁଲରେ ଲୁଚିଥିଲା

କାବୁଲରେ ଲୁଚିଥିଲା

ଅଲ୍‌କାଏଦା ମୁଖ୍ୟ ଅଲ୍‌ ଜବାହିରି ନିପାତ: ପ୍ରତିଶୋଧ ନେଲା ଆମେରିକା, ନ୍ୟୁୟର୍କ ଆକ୍ରମଣରେ  ସଂପୃକ୍ତ ଥିଲା

NDTV.com

ୱାସିଂଟନ: ୯/୧୧ ନ୍ୟୁୟର୍କ ଆକ୍ରମଣର ୨୧ ବର୍ଷ ପରେ ଆମେରିକା ତା’ର ପ୍ରତିଶୋଧ ପୂର୍ଣ୍ଣ କରିଛି। ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଅଲ୍‌ କାଏଦର ମୁଖ୍ୟ ଅଲ୍‌ ଜବାହିରି ନିପାତ ହୋଇଛି। ୨୦୧୧ ମେ’ରେ ଅଲ୍‌ କାଏଦାର ତତ୍କାଳୀନ ମୁଖ୍ୟ ଓସାମା ବିନ ଲାଦେନକୁ ନିପାତ କରିବା ପରେ ଜବାହିରିକୁ ଆଜି ନିପାତ କରି ଆମେରିକା ଆତଙ୍କବାଦ ବିରୋଧୀ ଲଢ଼େଇରେ ତା’ର ପ୍ରତିବଦ୍ଧତାକୁ ଦୋହରାଇଛି। ଲାଦେନର ଉତ୍ତରାଧିକାରୀ ତଥା ଅଲକାଏଦା ମୁଖ୍ୟ ଅୟମାନ ଅଲ ଜବାହିରି ଆମେରିକାର ଡ୍ରୋନ୍‌ ଆକ୍ରମଣରେ ନିପାତ ହେବା ପୂରା ବିଶ୍ବ ପାଇଁ ଆଶ୍ବସ୍ତିର କାରଣ ହୋଇଛି। ଗତକାଲି ୭୧ ବର୍ଷୀୟ ଅଲ୍‌ ଜବାହିରିକୁ କାବୁଲ୍ ସ୍ଥିତ ତା’ ବାସଭବନର ବାଲକୋନିରେ ହିଁ ଡ୍ରୋନ୍‌ ଆକ୍ରମଣ‌ କରି ନିପାତ କରାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ୨୦ ବର୍ଷ ପରେ ବି ଆମେ ନ୍ୟାୟ ଚାହୁଥିଲୁ ଏବଂ ତାହା ମିଳିଛି। ଆତଙ୍କବାଦୀ ଯେଉଁଠି ଲୁଚିଲେ ବି ଆମେରିକା ଖୋଜି ଖୋଜି ନିପାତ କରିବା ସୁନିଶ୍ଚିତ ବୋଲି ବାଇଡେନ ଗଣମାଧ୍ୟମକୁ କହିଛନ୍ତି।

ଆମେରିକା ଦ୍ବାରା ଜବାହିରି ପାଇଁ ୨୫ ନିୟୁତ ଡଲାର୍‌ ପୁରସ୍କାର ରାଶି ଘୋଷଣା ହୋଇଥିଲେ ‌ସୁଦ୍ଧା ସେ କାବୁଲରେ ବିନା ଭୟରେ ରହୁଥିଲା। ତାଲିବାନ ମାନେ ଆଫଗାନିସ୍ତାନ ଦଖଲ କରିନେବା ପରେ ଜବାହିରି କାବୁଲର ଏକ ଘରେ ଲୁଚି ରହୁଥିଲା। ଏହି ଘର ତା’ ପାଇଁ ନିରାପଦ ପାଲଟିଥିଲା। କିନ୍ତୁ ଆମେରିକା ୧୧ ସେପ୍ଟେମ୍ବର ୨୦୦୧ ଆକ୍ରମଣର ଯୋଜନାକାରୀ ଏବଂ ଲାଦେନର ଉତ୍ତରାଧିକାରୀକୁ ନିପାତ କରିବା ପାଇଁ ବଡ଼ ଯୋଜନା କରିଥିଲା। ବର୍ଷ ବର୍ଷ ଧରି ଟାର୍ଗେଟ‌ରେ ରଖିବା ପରେ ଆମେରିକା ଶେଷରେ ଜବାହିରିକୁ ନିପାତ କରିଛି। ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏ (କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା) ଦ୍ବାରା ଜବାହିରିକୁ ଟାର୍ଗେଟ୍‌ କରି ଡ୍ରୋନ ଆକ୍ରମଣ କରାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି, ୭୧ ବର୍ଷୀୟ ଆତଙ୍କବାଦୀକୁ ସମର୍ଥନ କରୁଥିବା ହକ୍କାନି ନେଟୱର୍କ ସଂକ୍ରାନ୍ତରେ ଆମେରିକା ସଚେତନ ଥିଲା। ଗତ ବର୍ଷ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ଭିତରେ ସିଆଇଏ ଅଧିକାରୀମାନେ ଆଫଗାନିସ୍ତାନରେ ଅଲକାଏଦା ଉପସ୍ଥିତି ଉପରେ ନଜର ରଖିଥିଲେ। ଚଳିତ ବର୍ଷ ଆରମ୍ଭରେ ଜବାହିରି ଏବଂ ତା’ ପରିବାରର ଅନ୍ୟ ସଦସ୍ୟ ତଥା ତା’ ପତ୍ନୀ, ଝିଅ ଏବଂ ନାତି ନାତୁଣୀ କାବୁଲର ଏହି ଘରକୁ ଚାଲି ଆସିଥିଲେ। ଏହି ସମାନ ଘରେ ଜବାହିରି ନିଜେ ମଧ୍ୟ ରହୁଥିଲା। କିଛି ମାସ ପରେ ସିଆଇଏ ଅଧିକାରୀମାନେ ଏନେଇ ସ୍ପଷ୍ଟ ହୋଇଗଲେ।

ଜବାହିରି ନିୟମିତ ଭାବେ ତା’ ସେଫ୍‌ ହାଉସର ବାଲକୋନିକୁ ଆସିଥାଏ। ସିଆଇଏ ଅଧିକାରୀମାନେ ଏହା ସ୍ପଷ୍ଟ ହେବାପରେ ଚଳିତ ବର୍ଷ ମେ’ ଏବଂ ଜୁନ୍‌ରେ ଆକ୍ରମଣ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆମେରିକା ଲଗାତାର ଭାବେ ଉକ୍ତ ବହୁ ମହଲା ବିଶିଷ୍ଟ ବାସଭବନ ସଂକ୍ରାନ୍ତରେ ଖୋଳତାଡ଼ କରିବାପରେ ଜବାହିରିକୁ ମାରିବାପାଇଁ ରଣନୀତି ପ୍ରସ୍ତୁତ କରିଥିଲା। ସେମାନେ ଘରର ନିର୍ମାଣକୁ ଭଲଭାବେ ଅଧ୍ୟୟନ କରିଥିଲେ। ପ୍ରତିରକ୍ଷା ଏବଂ ଗୁଇନ୍ଦା ଅଧିକାରୀମାନେ ଜୁନ୍‌ରେ ଚୂଡ଼ାନ୍ତ ଯୋଜନା ବାଇଡେନଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଜବାହିରିର ବାସଭବନର ବିସ୍ତୃତ ମଡେଲ ବ୍ୟବହାର କରି ଯୋଜନା ପ୍ରସ୍ତୁତ ହେଲା। ଯେଭଳି ଭାବେ ଜବାହିରି ବ୍ୟତୀତ ଅନ୍ୟ କୌଣସି ଜଣେ ବି ବ୍ୟକ୍ତି ଏହି ଆକ୍ରମଣରେ ପ୍ରାଣ ନହରାନ୍ତି ସେ ଦିଗରେ ଗୁରୁତ୍ବ ଦିଆଯାଇଥିଲା। ଗତ ୨୫ ତାରିଖରେ ରାଷ୍ଟ୍ରପତି ଜୋ ବାଇ‌ଡେନ ଚୂଡ଼ାନ୍ତ ବୈଠକ କରି ଡ୍ରୋନ ଆକ୍ରମଣ ପାଇଁ ଅନୁମତି ଦେଇଥିଲେ। ୩୦ ରାତି ୯.୪୮ (ଭାରତୀୟ ସମୟ ଜୁଲାଇ ୩୧ ସକାଳ ୭.୧୮) ସମୟରେ ଜବାହିରିକୁ ସିଆଇଏ ଡ୍ରୋନ୍‌ ଦ୍ବାରା ହେଲଫାୟାର ମିସାଇଲ୍‌ ମାଡ଼ କରି ନିପାତ କରାଯାଇଛି। ଏଥିରେ ଅନ୍ୟ କୌଣସି ନାଗରିକଙ୍କର ମୃତ୍ୟୁ ହୋଇନାହିଁ। ସୂଚନାଯୋଗ୍ୟ ଯେ, ନ୍ୟୁୟର୍କର ବିଶ୍ବ ବାଣିଜ୍ୟ କେନ୍ଦ୍ରରେ ହୋଇଥିବା ଅଲ୍‌କାଏଦା ଆତଙ୍କବାଦୀଙ୍କ ବିମାନ ଆକ୍ରମଣରେ ୩ ହଜାର ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe