ଭରଣପୋଷଣ ଆଇନ ସମସ୍ତଙ୍କ ପାଇଁ ସମାନ: ସୁପ୍ରିମ୍‌କୋର୍ଟ

Advertisment

ଭରଣପୋଷଣ ହେଉଛି ବିବାହିତ ମହିଳାଙ୍କ ଅଧିକାର, ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍ ପାଇଁ ପରାମର୍ଶ

ଭରଣପୋଷଣ ହେଉଛି ବିବାହିତ ମହିଳାଙ୍କ ଅଧିକାର, ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍ ପାଇଁ ପରାମର୍ଶ

ଭରଣପୋଷଣ ଆଇନ ସମସ୍ତଙ୍କ ପାଇଁ ସମାନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇ କହିଛନ୍ତି ଯେ ଛାଡ଼ପତ୍ର ପରେ ମୁସଲିମ ମହିଳା ମଧ୍ୟ ସିଆର୍‌ପିସିର ଧାରା ୧୨୫ ଅନୁଯାୟୀ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବାକୁ ହକ୍‌ଦାର। ‌ସେ ଯେଉଁ ଧର୍ମାଲମ୍ବୀ ହେଲେ ମଧ୍ୟ ଏହି ଆଇନ୍ ସମସ୍ତଙ୍କ ପାଇଁ ସମାନ୍। ଏଥିରୁ କାହାରିକୁ ବଞ୍ଚିତ କରାଯାଇ ପାରିବ ନାହିଁ। ଭରଣ‌ପୋଷଣ କୌଣସି ଦାନ ନୁହେଁ, ଏହା ହେଉଛି ମହିଳାଙ୍କର ଅଧିକାର ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସିଆର୍‌ପିସିର ଧାରା ୧୨୫ କେବଳ ବିବାହିତ ମହିଳାଙ୍କ ପାଇଁ ନୁହେଁ, ବରଂ ସମସ୍ତ ମହିଳାଙ୍କ ପାଇଁ ଲାଗୁ ହେବ। ପରିବାର ଭିତରେ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତୀକରଣ କରାଯିବାର ଆବଶ୍ୟକତା ରହିଛି। ପତ୍ନୀମାନଙ୍କୁ ଏକ୍ଷେତ୍ରରେ ସ୍ବାମୀମାନେ ସବୁ ପ୍ରକାର ସହଯୋଗ କରିବା ଉଚିତ। ସେମାନେ ବ୍ୟାଙ୍କରେ ଯୁଗ୍ମ ଆକାଉଣ୍ଟ ଖୋଲିବା ସହିତ ଏଟିଏମ୍ କାର୍ଡ ଉଭୟ ବ୍ୟବହାର କରାଯିବା ଉଚିତ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି। ପରିବାର ଚଳାଇବାରେ ପତ୍ନୀମାନଙ୍କର ଭୂମିକାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି କୋର୍ଟ ମତ ଦେଇଛନ୍ତି।

ଭରଣପୋଷଣ ମାମଲାରେ ଜଣେ ମୁସଲିମ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରି ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି। ଛାଡ଼ପତ୍ର ପାଇଥିବା ପତ୍ନୀଙ୍କୁ ଭରଣ‌ପୋଷଣ ବାବଦ ମାସକୁ ୧୦ ଜହାର ଟଙ୍କା ଦେବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଉକ୍ତ ବ୍ୟକ୍ତି ସୁପ୍ରିମ୍‌କୋର୍ଟରେ ପିଟିସନ ଦାୟର କରିଥିଲେ। ମୁସଲିମ ମହିଳା (ଛାଡ଼ପତ୍ର ଅଧିକାର ସୁରକ୍ଷା) ଆଇନ ୧୯୮୬, ଅନୁଯାୟୀ ଭରଣପୋଷଣ ଦେବାକୁ ସେ ଯୁକ୍ତି ଦର୍ଶାଇଥିଲେ। ତାଙ୍କର ଯୁକ୍ତିକୁ ଖାରଜ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ମୁସଲିମ ମହିଳା (ଛାଡ଼ପତ୍ର ଅଧିକାର ସୁରକ୍ଷା) ଆଇନ, ୧୯୮୬ ସିଆରପିସିର ଧାରା ୧୨୫ ଭଳି ଧର୍ମନିରପେକ୍ଷ ଆଇନର ଊର୍ଦ୍ଧ୍ବରେ ନୁହେଁ। ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ଯଦି ଆବେଦନ ବିଚାରାଧୀନ ଥିବା ସମୟରେ ମୁସଲିମ ମହିଳାଙ୍କ ଛାଡ଼ପତ୍ର ହୋଇଯାଏ, ତେବେ ସେ ୨୦୧୯ ଆଇନର ଆଶ୍ରୟ ନେଇପାରିବେ, ଯେଉଁଥିରେ ସିଆର୍‌ପିସିର ଧାରା ୧୨୫ ଭଳି ପ୍ରତିକାର ବ୍ୟବସ୍ଥା ରହିଛି। ୧୯୮୫ ମସିହାରେ ଶାହବାନୋ ମାମଲାରେ ଏକ ଐତିହାସିକ ରାୟ ଦେଇ ସୁପ୍ରିମ୍‌କୋର୍ଟ କହିଥିଲେ ଯେ ସିଆର୍‌ପିସିର ଧାରା ୧୨୫ ଏକ ଧର୍ମନିରପେକ୍ଷ ବ୍ୟବସ୍ଥା ଯାହା ମୁସଲମାନ ମହିଳାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। କିନ୍ତୁ ତତ୍କାଳୀନ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟ ରାୟକୁ ନିଷ୍କ୍ରିୟ କରିବାକୁ ଯାଇ ମୁସଲମାନ ମହିଳା (ଛାଡ଼ପତ୍ର ଅଧିକାର ସୁରକ୍ଷା) ଆଇନ, ୧୯୮୬ ପ୍ରଣୟନ କରିଥିଲେ।

ସୂଚନାଯୋଗ୍ୟ ଯେ ପୂର୍ବତନ ପତ୍ନୀଙ୍କୁ ୧୦ ହଜାର ଟଙ୍କାର ଅନ୍ତରୀଣ ଭରଣପୋଷଣ ଦେବାକୁ ତେଲେଙ୍ଗାନା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ନେଇ ଏହି ମାମଲାର ବିଚାର ଚାଲିଥିଲା। ପ୍ରଥମେ ଫ୍ୟାମିଲି କୋର୍ଟ ମାସିକ ୨୦ ହଜାର ଟଙ୍କା ଅନ୍ତରୀଣ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୭ରେ ମୁସଲମାନ ବ୍ୟକ୍ତିଗତ ଆଇନ ଅନୁଯାୟୀ ଏହି ଦମ୍ପତିଙ୍କ ଛାଡ଼ପତ୍ର ହୋଇଥିବା ଦର୍ଶାଇ ଏହାକୁ ତେଲେଙ୍ଗାନା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହାଇକୋର୍ଟ ଭରଣପୋଷଣକୁ ମାସିକ ୧୦ ହଜାର ଟଙ୍କାକୁ ହ୍ରାସ କରିବା ସହ ୬ ମାସ ମଧ୍ୟରେ ମାମଲାର ସମାଧାନ କରିବାକୁ ପରିବାର ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ସମ୍ପୃକ୍ତ ପୂର୍ବତନ ସ୍ବାମୀ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe