ନୂଆଦିଲ୍ଲୀ: ଛାଡପତ୍ର ପରେ ସୁପ୍ରିମକୋର୍ଟ ସ୍ୱାମୀଙ୍କୁ ତାଙ୍କ ପତ୍ନୀଙ୍କୁ ୫କୋଟି ଟଙ୍କା ସ୍ଥାୟୀ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଏବଂ ପ୍ରସନ୍ନ ବି. ଭାରାଲେଙ୍କ ନେତୃତ୍ବରେ ଗଠିତ ବେଞ୍ଚ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ନିଜ ସନ୍ତାନର ରକ୍ଷଣାବେକ୍ଷଣ ପାଇଁ ଜଣେ ପିତାଙ୍କ କର୍ତ୍ତବ୍ୟ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବୟସ୍କ ପୁଅର ରକ୍ଷଣାବେକ୍ଷଣ ତଥା ଆର୍ଥିକ ସୁରକ୍ଷା ପାଇଁ ସ୍ୱାମୀଙ୍କୁ ୧ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ (ସ୍ୱାମୀ) ଏବଂ ପ୍ରତିବାଦୀ (ପତ୍ନୀ), ବିବାହର ୬ ବର୍ଷ ପରେ ଅଲଗା ହୋଇ ପ୍ରାୟ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଅଲଗା ରହିଥିଲେ। ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅତ୍ୟଧିକ ସମ୍ବେଦନଶୀଳ ଏବଂ ତାଙ୍କ ପରିବାର ପ୍ରତି ଖରାପ ବ୍ୟବହାର କରୁଥିବା ଅଭିଯୋଗ କରିଥିବାବେଳେ ପତ୍ନୀ ଦାବି କରିଥିଲେ ଯେ, ସ୍ୱାମୀ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିଲେ।
ସେମାନଙ୍କର ଦୀର୍ଘସ୍ଥାୟୀ ପୃଥକତା ଏବଂ ପୁଣି ଏକାଠି ହେବାର ଆଶା ନ ଥିବାକୁ ଦୃଷ୍ଟିରେ ରଖି କୋର୍ଟ ଏହି ବିବାହକୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଘୋଷଣା କରିଛନ୍ତି। ତେବେ ୫ କୋଟି ଟଙ୍କା ରକ୍ଷଣାବେକ୍ଷଣ ଭତ୍ତା ନିର୍ଣ୍ଣୟ କରିବାବେଳେ କୋର୍ଟ ରଜନେଶ ବନାମ ନେହା (୨୦୨୧) ଏବଂ କିରଣ ଜ୍ୟୋତ ମେନି ବନାମ ଅନିଶ ପ୍ରମୋଦ ପଟେଲ (୨୦୨୪) ଭଳି ମାମଲାର ଉଦାହରଣ ଦେଇଛନ୍ତି।
ଭରଣପୋଷଣ ପରିମାଣ ସ୍ଥିର କରିବାକୁ କୋର୍ଟ ସାମାଜିକ ଏବଂ ଆର୍ଥିକ ପରିସ୍ଥିତି, ପତ୍ନୀ ଏବଂ ନିର୍ଭରଶୀଳ ପିଲାମାନଙ୍କର ଯୁକ୍ତିଯୁକ୍ତ ଆବଶ୍ୟକତା, ବ୍ୟକ୍ତିଗତ ଯୋଗ୍ୟତା ଏବଂ ରୋଜଗାର ସ୍ଥିତି, - ଆବେଦନକାରୀଙ୍କ ମାଲିକାନାରେ ଥିବା ସ୍ୱାଧୀନ ଆୟ ବା ସମ୍ପତ୍ତି, ବୈବାହିକ ଘରେ ପତ୍ନୀ ଉପଭୋଗ କରୁଥିବା ଜୀବନଧାରଣ ମାନ, ପାରିବାରିକ ଦାୟିତ୍ବ ପାଇଁ ଯେକୌଣସି ରୋଜଗାରର ତ୍ୟାଗ, କାମ ନ କରୁଥିବା ପତ୍ନୀଙ୍କ ପାଇଁ ଯୁକ୍ତିଯୁକ୍ତ ମକଦ୍ଦମା ଖର୍ଚ୍ଚ, ସ୍ୱାମୀଙ୍କ ଆର୍ଥିକ କ୍ଷମତା, ତାଙ୍କର ଆୟ, ରକ୍ଷଣାବେକ୍ଷଣ ଦାୟିତ୍ବ ଆଦିକୁ ବିଚାରକୁ ନେଇଥିଲେ।
ଅଧିକ ପଢ଼ନ୍ତୁ: ସିରିଆ ତୈଳଭଣ୍ଡାର ପାଇଁ ନୂଆ ଯୁଦ୍ଧ: ମରୁଭୂମିକୁ ଦଖଲ କଲେ ବିଦ୍ରୋହୀ
ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସ୍ଥାୟୀ ଭରଣପୋଷଣ ରାଶି ସ୍ଥିର କରିବା ସମୟରେ କଡ଼ା ନିୟମ ଅପେକ୍ଷା ଏହି କାରଣଗୁଡିକ ନିର୍ଦ୍ଦେଶାବଳୀ ଭାବରେ କାର୍ଯ୍ୟ କରିଥାଏ। ଏଥିରେ ଜୋର ଦିଆଯାଇଥିଲା ଯେ ଭରଣପୋଷଣ ସ୍ୱାମୀକୁ ଦଣ୍ଡ ଦେବା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ପତ୍ନୀଙ୍କ ପାଇଁ ଏକ ଉପଯୁକ୍ତ ଜୀବନଶୈଳୀ ନିଶ୍ଚିତ କରିବା ଲାଗି କରାଯାଇଥାଏ।
ଚାକିରି ସ୍ଥିତିକୁ ବିଚାର କରି କୋର୍ଟ କହିଛନ୍ତି ଯେ, ପତ୍ନୀ ବେକାର ଏବଂ ଜଣେ ଗୃହିଣୀ ଭାବରେ କାର୍ଯ୍ୟ କରୁଥିବାବେଳେ ସ୍ୱାମୀ ଏକ ବିଦେଶୀ ବ୍ୟାଙ୍କରେ ପରିଚାଳନାଗତ ପଦବୀରେ ରହିଛନ୍ତି। ଯେଉଁଠାରେ ତାଙ୍କର ମାସିକ ଦରମା ୧୦ ରୁ ୧୨ ଲକ୍ଷ ଟଙ୍କା ରହିଛି। ପରବିନ କୁମାର ଜୈନ ବନାମ ଅଞ୍ଜୁ ଜୈନ ଶୀର୍ଷକ ମାମଲାରେ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଆଉ ଏକ ଯୁଦ୍ଧ ଆଶଙ୍କା: ତାଇୱାନ ପରିସ୍ଥିତି ବଦଳିଲା, ଚୀନ୍ ପକ୍ଷରୁ ପ୍ରସ୍ତୁତି