ଦେଶବ୍ୟାପୀ ଧର୍ମଘଟ : ବ୍ୟାଙ୍କ ସେବା ଠପ୍‌

Advertisment

ଆଗକୁ ଆଉ ୪ ଦିନ ବନ୍ଦ, ବ୍ୟାଙ୍କ ସାମ୍ନାରେ କର୍ମଚାରୀଙ୍କ ବିକ୍ଷୋଭ

ଆଗକୁ ଆଉ ୪ ଦିନ ବନ୍ଦ, ବ୍ୟାଙ୍କ ସାମ୍ନାରେ କର୍ମଚାରୀଙ୍କ ବିକ୍ଷୋଭ

ଦେଶବ୍ୟାପୀ ଧର୍ମଘଟ : ବ୍ୟାଙ୍କ ସେବା ଠପ୍‌

ମୁମ୍ବାଇ(ପିଟି)/ ଭୁବନେଶ୍ବର : ଦେଶବ୍ୟାପୀ ଆଜି ବ୍ୟାଙ୍କ ଧର୍ମଘଟ ହୋଇଛି। ଏଥିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ପ୍ରାୟ ୩ ଲକ୍ଷ ୨୦ ହଜାର ଅଫିସର ସାମିଲ ହୋଇଥିଲେ। ବେତନ ସଂଶୋଧନ ସମେତ ବ୍ୟାଙ୍କ ମିଶ୍ରଣ ଆଦିକୁ ବିରୋଧ କରି ଏହି ଧର୍ମଘଟ ହୋଇଥିଲା। ଏଥିଯୋଗୁ ବ୍ୟାଙ୍କ ଗୁଡ଼ିକରେ ଚେକ୍ କ୍ଲିଅରିଂ ସମେତ ବୈଦେଶିକ ମୁଦ୍ରା ବଜାରରେ ମୁଦ୍ରାର ବିନିମୟ, ଋଣ ମଞ୍ଜୁର ଆଦି ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଭୁବନେଶ୍ବରରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଅଧିକାରୀମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସରକାର ଓ ଆଇବିଏ ବିରୋଧରେ ବିଭିନ୍ନ ସ୍ଳୋଗାନ ମାନ ଦେଇଥିଲେ। ଏଥିସହିତ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଆନ୍ଦୋଳନରତ ଅଫିସରମାନେ ପିକେଟିଂ କରିଥିଲେ।

ସ୍କେଲ୍-୧ରୁ ୭ ପର୍ଯ୍ୟନ୍ତ ବ୍ୟାଙ୍କ ଅଫିସରମାନଙ୍କର ବେତନ ସଂଶୋଧନ ଏପର୍ଯ୍ୟନ୍ତ ହୋଇପାରି ନାହିଁ। ୨୦୧୭ ନଭେମ୍ବର ୧ରୁ କର୍ମଚାରୀମାନଙ୍କୁ ସଂଶୋଧିତ ହାରରେ ବେତନ ଦିଆଯିବାକୁ ଥିବା ବେଳେ ସରକାର ଏ ନେଇ ଠୋସ୍ ପଦକ୍ଷେପ ନେଇ ନାହାନ୍ତି। ବ୍ୟାଙ୍କ ଅଫିସର ଓ କର୍ମଚାରୀ ସଂଘ ସହିତ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍‌ (ଆଇବିଏ) କଥାବାର୍ତ୍ତା କରୁଥିଲେ ମଧ୍ୟ ମାତ୍ର ୮% ବେତନ ବୃଦ୍ଧି ଲାଗଇ ଆଇବିଏ ପ୍ରସ୍ତାବ ଦେଇଛି। ଏତେ କମ୍ ପରିମାଣର ବେତନ ବୃଦ୍ଧିକୁ ବ୍ୟାଙ୍କ ଅଫିସର ସଂଘ ଗ୍ରହଣ କରୁନାହିଁ। ପୂର୍ବରୁ ୨୦୧୨ ନଭେମ୍ବର ୧ରୁ କାର୍ଯ୍ୟକାରୀ ହେଉଥିବା ରାଜିନାମା ଅନୁସାରେ କର୍ମଚାରୀମାନଙ୍କ ବେତନରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଥିଲା।

ତେବେ ଆଜିର ଧର୍ମଘଟ ପରେ ଆଇବିଏ ବେତନ ସଂଶୋଧନ ନେଇ କି ପଦକ୍ଷେପ ନେଉଛି ତାହା ଉପରେ ଅଫିସର ସଂଘର ପରବର୍ତ୍ତୀ ପଦକ୍ଷେପ ନିର୍ଭର କରୁଛି ବୋଲି ଏଆଇବିଓସିର ବରିଷ୍ଠ ଉପସଭାପତି ସମ୍ବିତ ମିଶ୍ର କହିଛନ୍ତି।

ଆଜିର ଧର୍ମଘଟରେ ଓଡ଼ିଶାର ସରକାରୀ ବ୍ୟାଙ୍କ ସମେତ ପୁରୁଣା ପିଢ଼ିର ଘରୋଇ ବ୍ୟାଙ୍କ ଏବଂ ଗ୍ରାମ୍ୟ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିଥିଲା ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ପ୍ରାୟ ୫ ହଜାର ବ୍ୟାଙ୍କ ଶାଖାରେ ବ୍ୟାଙ୍କ ସେବା ଠପ୍ ହୋଇଯାଇଛି। ଓଡ଼ିଶାର ପାଖାପାଖି ୨୦ ହଜାର ଅଫିସର ଧର୍ମଘଟରେ ସାମିଲ ହୋଇଥିବା ସେ କହିଛନ୍ତି।

ଧର୍ମଘଟ କାରଣରୁ ଆଜି ବ୍ୟାଙ୍କ ବନ୍ଦ ଥିବା ବେଳେ ଆସନ୍ତାକାଲି ମାସର ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ଛୁଟି ରହିବ। ସେହିଭଳି ରବିବାର ଦିନ ବ୍ୟାଙ୍କ ସ୍ବାଭାବିକଭାବେ ବନ୍ଦ ରହିବ। ସୋମବାର ଗୋଟିଏ ଦିନ ପାଇଁ ବ୍ୟାଙ୍କ ଖୋଲା ରହିବାକୁ ଥିବାବେଳେ ମଙ୍ଗଳବାର ବଡ଼ଦିନ ପାଇଁ ବନ୍ଦ ରହିବ। ଏଥିସହିତ ବୁଧବାର ପୁଣି ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫବିୟୁ) ପକ୍ଷରୁ ବ୍ୟାଙ୍କ ଅଫ୍ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫଳରେ ଆଜିଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡ଼ିକ ୫ ଦିନ ବନ୍ଦ ରହିବ। ଏହାର ପ୍ରଭାବ କେବଳ ବ୍ୟାଙ୍କର ଜମା, ଋଣ ମଞ୍ଜୁର ଏବଂ ଚେକ୍ କ୍ଲିୟରିଂ ଭଳି ସେବା ଉପରେ ପଡ଼ିବ ନାହିଁ ଏଟିଏମ୍‌ ଗୁଡ଼ିକରୁ ମଧ୍ୟ ଟଙ୍କା ଶେଷ ହୋଇଯିବା ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe