ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ମୁଖ୍ୟ ଅଲ ଜବାହିରି ଏକ ଭିଡିଓ ବାର୍ତ୍ତା ଜାରି କରି ଭାରତରେ ଲଗାତାର ଆକ୍ରମଣ କରିବାକୁ ଧମକ ଦେଇଛି। ଜମ୍ମୁ କଶ୍ମୀରରେ ଭାରତୀୟ ସେନା ଏବଂ ସରକାରକୁ ଟାର୍ଗେଟ୍ କରି ତୁହାକୁ ତୁହା ଆକ୍ରମଣ କରାଯିବ ବୋଲି ଜବାହିରି କହିଛି। ‘କଶ୍ମୀରକୁ ଆମେ ଭୁଲି ପାରିବୁ ନାହିଁ’ ଶୀର୍ଷକରେ ଏକ ଭିଡିଓ ବାର୍ତ୍ତା ଜାରି କରି ଜବାହିରି ଧମକ ଦେବାପରେ କଶ୍ମୀର ଘାଟିରେ ସୁରକ୍ଷା ଆହୁରି କଡ଼ାକଡ଼ି କରାଯାଇଛି। ଜାକିର ମୁସା ସମେତ କଶ୍ମୀରରେ ଅଲ୍ କାଏଦାର ୩ ଜଣ କମାଣ୍ଡରଙ୍କୁ ସୁରକ୍ଷା ବାହିନୀ ନିପାତ କରିବା ପରେ ଜବାହିରି ବିଚଳିତ ହୋଇଉଠିଛି। ଗତ ମେ’ରେ ସୁରକ୍ଷା ବାହିନୀର ଏକ ବଡ଼ ଅପେରେସନରେ ଜାକିର ମୁସା ସମେତ ତା’ର ୯ ଜଣ ସହଯୋଗୀଙ୍କୁ ନିପାତ କରିଥିଲା। ଏହାପରେ କଶ୍ମୀରରେ ଅଲ୍ କାଏଦା ପ୍ରାୟ ମୂଳପୋଛ ସ୍ଥିତିକୁ ଆସିଯାଇଥିଲା।
ଜବାହିରିର ଭିଡିଓରୁ ଜଣାପଡ଼ିଛି ଯେ ପାକିସ୍ତାନ ପୂର୍ବରୁ ଅଲ୍କାଏଦାକୁ ପୂର୍ଣ୍ଣ ସମର୍ଥନ ଦେଉଥିଲା ଏବଂ ଏବେ ପାକିସ୍ତାନର କାର୍ଯ୍ୟକଳାପରେ ସେ ସନ୍ତୁଷ୍ଟ ନୁହେଁ। ପାକିସ୍ତାନ ଆମେରିକା କଥାରେ ପରିଚାଳିତ ହେଉଛି ବୋଲି ଜବାହିରି କହିଛି। ଜବାହିରି କଶ୍ମୀର ଆତଙ୍କବାଦୀଙ୍କୁ ଭାରତ ବିରୋଧରେ ଯଥା ସମ୍ଭବ ବଡ଼ ଆକ୍ରମଣ କରିବାକୁ ଆହ୍ବାନ ଦେଇ କହିଛି ଯେ ପାକିସ୍ତାନର ସମର୍ଥନ ସହିତ କିମ୍ବା ସମର୍ଥନ ନଥିଲେ ମଧ୍ୟ ଆକ୍ରମଣ ଜାରି ରଖିବାକୁ ହେବ। କଶ୍ମୀରକୁ ନେଇ ପାକିସ୍ତାନ ଦୋମୁହାଁ ନୀତି ଧରିଥିବା ଏବଂ ପାକ୍ ସେନା କଶ୍ମୀରୀ ମୁଜାହିଦ୍ଦିନମାନଙ୍କୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରୁଥିବା ଜବାହିରି କହିଛି। କଶ୍ମୀରରେ ଅଲ୍ କାଏଦା ଏବଂ ଆଇଏସ୍କୁ ମୂଳପୋଛ କରିବା ପାଇଁ ସେନାର ଅଭିଯାନ ସଂପୂର୍ଣ୍ଣ ସଫଳ ହୋଇଥିବାରୁ ଜବାହିରି ହତାଶ ହୋଇ ଏଭଳି ଭିଡିଓ ଜାରି କରିଥିବା କୁହାଯାଉଛି । ତେବେ ଅଲ୍ କାଏଦାରେ ନୂତନ ନିଯୁକ୍ତିକୁ ରୋକିବା ପାଇଁ ଏବେ ମିଳିତ ସୁରକ୍ଷା ବାହିନୀ ସତର୍କ ନଜର ରଖିଛି ଏବଂ ଏ ଦିଗରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି ।
ଭାରତରେ ଅଲ୍ କାଏଦାର ଆକ୍ରମଣ ଧମକ
Advertisment
Follow Us