ବ୍ୟକ୍ତିଗତ ଅର୍ଥରେ ଦଳିତ ଛାତ୍ରୀଙ୍କ ୧୫୦୦୦ ଟଙ୍କା ଫିସ୍‌ ପୈଠ କଲେ ଆହ୍ଲାବାଦ୍‌ ହାଇକୋର୍ଟ ବିଚାରପତି

Advertisment
ବ୍ୟକ୍ତିଗତ ଅର୍ଥରେ ଦଳିତ ଛାତ୍ରୀଙ୍କ ୧୫୦୦୦ ଟଙ୍କା ଫିସ୍‌ ପୈଠ କଲେ ଆହ୍ଲାବାଦ୍‌ ହାଇକୋର୍ଟ ବିଚାରପତି

Image Courtesy of The Indian Express

ଲକ୍ଷ୍ନୌ: ‘ଆଇଆଇଟି (ବିଏଚ୍‌ୟୁ) ବାରାଣସୀ’ରେ ପାଇଁ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଆର୍ଥିକ ଅନଟନ ହେତୁ ନାମ ଲେଖାଇ ପାରି ନ ଥିବା ଜଣେ ୧୭ ବର୍ଷୀୟ ଦଳିତ ଛାତ୍ରୀଙ୍କ ଫିସ୍‌ ବାବଦକୁ ଆହ୍ଲାବାଦ୍‌ ହାଇକୋର୍ଟର ଜଣେ ବିଚାରପତି ସ୍ବେଚ୍ଛାକୃତ ଭାବେ ନିଜ ଅର୍ଥରୁ ୧୫,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ବାପାଙ୍କ ଅସୁସ୍ଥତା କାରଣରୁ ଝିଅଟି ଆର୍ଥିକ ଅସୁବିଧାରେ ପଡ଼ିଥିଲା।

‘ଆଇଆଇଟି (ବିଏଚ୍‌ୟୁ)’ ଫିସ୍‌ ଛାଡ଼ କରୁ ବୋଲି ଆଦଶେ ଦେବା ପାଇଁ ଛାତ୍ରୀଜଣକ ଆହ୍ଲାବାଦ ହାଇକୋର୍ଟଙ୍କ ‘ଲକ୍ଷ୍ନୌ ଖଣ୍ଡପୀଠ’ରେ ଆବେଦନ କରିଥିଲେ। ତାଙ୍କର ଆବେଦନ ଶୁଣାଣି କରି ‘ଲକ୍ଷ୍ନୌ ଖଣ୍ଡପୀଠ’ର ବିଚାରପତି ଦୀନେଶ କୁମାର ସିଂହ କହିଲେ, ‘ଆଇଆଇଟି’ରେ ପଢ଼ିବାକୁ ଛାତ୍ରୀଜଣକ ଦେଖିଥିବା ସ୍ବପ୍ନ ସାକାର କରିବା ଲାଗି ଅଦାଲତ ସ୍ବେଚ୍ଛାକୃତ ଭାବେ ୧୫,୦୦୦ ଟଙ୍କା ପ୍ରଦାନ କରିବ।

ସିଟ୍‌ ଖାଲି ନ ଥିଲେ ମଧ୍ୟ ସମ୍ପୃକ୍ତ ବାଳିକାଟିକୁ ପଢ଼ିବା ପାଇଁ ଅନୁମତି ଦେବାକୁ ଗୋଟାଏ ‘ସୁପର୍‌ନ୍ୟୁମେରାରି ସିଟ୍‌’ ସୃଷ୍ଟି କରିବାକୁ ସୋମବାର ଦିନ ବିଚାରପତି ସିଂହ ‘ଆଇଆଇଟି, ବିଏଚ୍‌ୟୁ’ର କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆବେଦନକାରିଣୀ ସଂସ୍କୃତି ରଞ୍ଜନ ‘ମ୍ୟାଥ୍‌ମେଟିକ୍ସ୍‌ ଆଣ୍ଡ୍‌ କମ୍ପ୍ୟୁଟିଙ୍ଗ୍‌ କୋର୍ସ’ ପାଇଁ ମନୋନୀତା ହୋଇଥିଲେ। ଅଦାଲତଙ୍କ ଆଦେଶର ପୂର୍ଣ୍ଣ ବିବରଣୀ ଅନୁସାରେ, ଝିଅଟି ଦଶମରେ ୯୫.୬% ଏବଂ ଦ୍ବାଦଶରେ ୯୪% ନମ୍ବର ହାସଲ କରିଛି।

‘ଆଇଆଇଟି’ରେ ପାଇଁ ମନୋନୀତ ହେବାକୁ ରଞ୍ଜନ ‘ଜଏଣ୍ଟ୍‌ ଏଣ୍ଟ୍ରାନ୍ସ୍‌ ଏକ୍ଜାମିନେସନ୍’ ଦେଇ ୯୨.୭୭ ପର୍ସେଣ୍ଟାଇଲ୍‌ ନମ୍ବର ରଖିଥିଲେ। ଅନୁସୂଚୀତ ଜାତି ବର୍ଗ ଭାବେ ତାଙ୍କର ରାଙ୍କ୍‌ ଥିଲା ୨,୦୬୨। ଏହା ପରେ ସେ ଚଳିତ ବର୍ଷ ‘ଜେଇଇ ଆଡ୍‌ଭାନ୍ସଡ୍‌’ ପାଇଁ ଆବେଦନ କରି ଅନୁସୂଚୀତ ଜାତି ବର୍ଗରେ ୧,୪୬୯ ରାଙ୍କ୍‌ ହାସଲ କରିଥିଲେ।

publive-image Image Courtesy of NDTV

କିନ୍ତୁ, ବାପାଙ୍କର ଜଟିଳ ବୃକ୍କ୍‌ ବେମାରୀ ଚିହ୍ନଟ ହେବାରୁ ତାଙ୍କୁ ବଞ୍ଚାଇ ରଖିବା ନିମନ୍ତେ ଡାକ୍ତରମାନେ ବୃକ୍କ ପ୍ରତିରୋପଣ ଏବଂ ସପ୍ତାହକୁ ଦୁଇଥର ‘ଡାଏଲିସିସ୍‌’ କରିବାକୁ ପରାମର୍ଶ ଦେବାରୁ ଝିଅଟି ନାମ ଲେଖାଇବା ପାଇଁ ୧୫୦୦୦ ଟଙ୍କା ଯୋଗାଡ଼ କରି ପାରିଲା ନାହିଁ।

ଅର୍ଥ ଯୋଗାଡ଼ ପାଇଁ ସମୟ ଦେବାକୁ ରଞ୍ଜନ ଏବଂ ତାଙ୍କ ବାପା କେତେ ଥର ‘ଜଏଣ୍ଟ୍‌ ସିଟ୍‌ ଆଲୋକେସନ୍‌ ଅଥରିଟି’ଙ୍କୁ ଆବେଦନ କରିଥିଲେ ମଧ୍ୟ କୌଣସି ଉତ୍ତର ନ ମିଳିଥିବା କଥା ମଧ୍ୟ ଅଦାଲତଙ୍କୁ ଅବଗତ କରାଯାଇଥିଲା।

ରଞ୍ଜନଙ୍କୁ ସହାୟତା କରୁଥିବା ଓକିଲମାନେ ଅଦାଲତଙ୍କୁ ନଭେମ୍ବର ୨୨ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟ ପ୍ରସଙ୍ଗରେ ସୂଚନା ଦେଇଥିଲେ। ବୈଷୟିକ ତ୍ରୁଟି ଯୋଗୁଁ ଠିକଣା ସମୟରେ ଫିସ୍‌ ଦାଖଲ କରିବାରେ ଅସମର୍ଥ ହୋଇଥିବା ଦଳିତ ଛାତ୍ର ପ୍ରିନ୍‌ସ୍‌ ଜୟବୀର ସିଂହଙ୍କ ପାଇଁ ‘ସୁପର୍‌ନ୍ୟୁମେରାରି ସିଟ୍’ ସୃଷ୍ଟି କରିବାକୁ ସର୍ବୋଚ୍ଚ ଅଦାଲତ ‘ଆଇଆଇଟି ବମ୍ବେ’କୁ ଆଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe