Image Courtesy of India Today
ନୂଆଦିଲ୍ଲୀ: ବିରୋଧୀ ନେତା, ସାମ୍ବାଦିକ ଏବଂ ଅନ୍ୟମାନଙ୍କୁ ଟାର୍ଗେଟ୍ କରିବା ଲାଗି ପେଗାସସ୍ ସ୍ପାଏୱେର୍ ବ୍ୟବହାର କରାଯାଉଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଯଦି ସତ ହୋଇଥାଏ ତେବେ ଅଭିଯୋଗ ସାଙ୍ଘାତିକ ବୋଲି ଆଜି ସୁପ୍ରିମ୍ କୋର୍ଟ ଏହି କେଳେଙ୍କାରୀର ସ୍ବତନ୍ତ୍ର ତଦନ୍ତ ଲାଗି ଫାଇଲ୍ ହୋଇଥିବା କେତେକ ପିଟିସନ୍ର ଶୁଣାଣି କରି କହିଛନ୍ତି।
ପ୍ରଧାନ ବିଚାରପତି ଏନ୍ଭି ରମଣାଙ୍କ ନେତୃତ୍ବାଧୀନ ଦୁଇଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଉପରୋକ୍ତ ପିଟିସନ୍ଗୁଡ଼ିକର ଶୁଣାଣି କରୁଥିଲେ। ଏହି ଖଣ୍ଡପୀଠର ଦ୍ବିତୀୟ ବିଚାରପତି ହେଉଛନ୍ତି ସୂର୍ଯ୍ୟକାନ୍ତ।
ଭାରତର ପ୍ରଧାନ ବିଚାରପତି କହିଛନ୍ତି, ଏହି ଘଟଣାରେ କୌଣସି ବ୍ୟକ୍ତି ‘ଆଇଟି ଏବଂ ଟେଲିଗ୍ରାଫିକ୍ ଆକ୍ଟ’ରେ ଅଭିଯୋଗ କରି ନାହାନ୍ତି କାହିଁକି? ଏହାର ଜବାବ ଦେଇ ବରିଷ୍ଠ ଆଡ୍ଭୋକେଟ୍ କପିଳ ସିବଲ କହିଲେ, ଆମେ ପ୍ରତ୍ୟେକ୍ଷଭାବେ ସୂଚନା ହାସଲ କରି ପାରିନାହୁଁ। ଏଥିରେ ୩୭ଟି ଭେରିଫାଏଡ୍ ମାମଲା ରହିଛି।
Image Courtesy of NDTVଦୁଇ ଦିନ ତଳେ ‘ଦି ଏଡିଟର୍ସ ଗିଲ୍ଡ୍ ଅଫ୍ ଇଣ୍ଡିଆ’ ଦାଏର କରିଥିବା ପିଟିସନ୍ରେ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଥିଲା ଯେ, ଉକ୍ତ ସ୍ପାଇୱେର୍ କଣ୍ଟ୍ରାକ୍ଟ୍ ଏବଂ ତାହାଦ୍ବାରା ଟାର୍ଗେଟ୍ ହୋଇଥିବା ବ୍ୟକ୍ତିବିଶେଷଙ୍କ ତାଲିକା ସରକାରଙ୍କୁ ମଗାଯାଉ। ଏହି ମାମଲାରେ ଆହୁରି ପୂର୍ବରୁ ଆହୁରି ଦୁଇଟି ପିଟିସନ୍ ମଧ୍ୟ ଦାଖଲ ହୋଇଥିଲା। ଗୋଟିଏ ଦାଖଲ କରିଥିଲେ ‘ସିପିଏମ୍’ ସାଂସଦ ଜନ୍ ବ୍ରିଟାସ୍ ଏବଂ ଅନ୍ୟଟି ଆଡ୍ଭୋକେଟ୍ ଏମ୍ଏଲ୍ ଶର୍ମା। ଆହୁରି ପୂର୍ବରୁ ସାମ୍ବାଦିକ ଏନ୍ ରାମ ଏବଂ ଶଶୀ କୁମାର ମଧ୍ୟ ଏହି ଅଭିଯୋଗର ତଦନ୍ତ ଜଣେ ପୂର୍ବତନ ବିଚାରପତିଙ୍କ ‘ସିଟିଙ୍ଗ୍’ଦ୍ବାରା କରାଇବାକୁ ଦାବି କରିଥିଲେ। ସେମାନଙ୍କର ଓକିଲ କପିଳ ସିବଲ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିଲେ କି, ସ୍ବାଧୀନତା ଏବଂ କଟକଣାଯୁକ୍ତ ସ୍ବାଧୀନତା ଉପରେ ଏହା ହେଉଛି ବିରାଟ ସମସ୍ୟା।
ଏହି ପିଟିସନ୍କୁ ଆଧାର କରି କେନ୍ଦ୍ର ସରକାରଙ୍କୁ ନୋଟି ଜାରି କରାଯିବ କି, ନାହିଁ, ତାହା ଏଯାବତ୍ ବିଚାରପତିମାନେ ସ୍ଥିର କରି ନାହାନ୍ତି। ଅଗଷ୍ଟ ୧୦ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଠାରୁ ଶୁଣାଣି ଗ୍ରହଣ କରିବା ପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇ ପାରେ ବୋଲି କୁହାଯାଉଛି।
Follow Us