Image Courtesy of Hindustan Times
ନୂଆଦିଲ୍ଲୀ: ହାଥ୍ରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ରାଜନେତା ଏବଂ ଗଣମାଧ୍ୟମ କର୍ମଚାରୀଙ୍କୁ ଛଡ଼ାଯାଉ ବୋଲି ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କହିଛନ୍ତି।
ଟୁଇଟ୍ କରି ସେ ଲେଖଛନ୍ତି, ତୁମେ ଅବଶ୍ୟ ଜାଣିଥିବ ଯେ, କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ମୁଁ ‘ଏମ୍ସ୍’ର କରୋନା ୱାର୍ଡରେ ଭର୍ତ୍ତି ହୋଇଛି। ଆଜି ଏଠାରେ ମୋର ସପ୍ତମ ଦିନ। ମୁଁ କାହାରିକୁ ଦେଖା କରିବାକୁ ସମର୍ଥ ନୁହେଁ। ବାବ୍ରି ମସ୍ଜିଦ୍ ମାମଲାରେ ସ୍ବତନ୍ତ୍ର ସିବିଆଇ ଅଦାଲତ ଶୁଣାଣିରେ ମୁଁ ଉପସ୍ଥିତ ନ ଥିଲି। ଟେଲିଫୋନ୍ରେ ବି ମୁଁ କାହା ସହ କଥାବାର୍ତ୍ତା କରିନାହିଁ। କିନ୍ତୁ, ମୁଁ ଟେଲିଭିଜନ୍ ନିଉଜ୍ ଦେଖୁଛି।
ହାଥ୍ରସ୍ ଘଟଣା ଦର୍ଶାଇ ଉମା ଭାରତୀ କହିଛନ୍ତି, ଚତୁରତାର ସହ ମୁଖ୍ୟମନ୍ତ୍ରୀ ପରିସ୍ଥିତିକୁ ସମ୍ଭାଳୁଛନ୍ତି ବୋଲି ସେ ନିଶ୍ଚିତ। କିନ୍ତୁ, ପୁଲିସ ଯେମିତି ପୀଡ଼ିତାଙ୍କ ପରିବାରକୁ ବନ୍ଦ କରି ରଖିଛି ତାହା ବିତର୍କ ଏବଂ ଚିନ୍ତା ଉଦ୍ରେକ ଲାଗି ସୁଯୋଗ ଦେଉଛି।
Image Courtesy of Kerala Kaumudiଯୁବତୀଜଣଙ୍କ ଦଳିତ ପରିବାରର। ପୁଲିସ ତରବରିଆ ଭାବେ ତା’ର ଶେଷକୃତ୍ୟ ସମାପନ କଲା ଏବଂ ଏବେ ପରିବାରକୁ ବନ୍ଦ କରି ରଖାଯାଇଛି। ‘ଏସ୍ଆଇଟି’ ତଦନ୍ତ ଚାଲିଥିବା ବେଳେ ପୀଡ଼ିତାଙ୍କ ପରିବାରକୁ ନିଷିଦ୍ଧ କରାଯିବା ଲାଗି କୌଣସି ନିୟମ ଥିବା କଥା ମୁଁ ଜାଣିନାହିଁ। ଏହା କେବଳ ‘ଏସ୍ଆଇଟି’ ତଦନ୍ତ ଉପରେ ସନ୍ଦେହ ସୃଷ୍ଟି କରାଇବ।
ଜଣେ ମୁଖ୍ୟମନ୍ତ୍ରୀ ଭାବେ ତୁମର ଭାବମୂର୍ତ୍ତି ଅତି ନିର୍ମଳ। ଗଣମାଧ୍ୟମ ପ୍ରତିନିଧି ଓ ବିରୋଧୀ ନେତାଙ୍କ ସମେତ ରାଜନେତାମାନଙ୍କୁ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଅନୁମତି ଦେବାକୁ ଅନୁରୋଧ। ମୁଁ ଏଠାରୁ ବିଦା ହେବା ପରେ ନିଶ୍ଚୟ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବି।
ଦଳରେ ମୁଁ ତୁମ ଠାରୁ ବରିଷ୍ଠ ଏବଂ ମୁଁ ମଧ୍ୟ ତୁମର ‘ବଡ଼ଭଉଣୀ’ ପରି। ମୋର ପ୍ରସ୍ତାବ ଅଗ୍ରାହ୍ୟ ନ କରିବାକୁ ଅନୁରୋଧ।
Follow Us