ମୁମ୍ବାଇ: ମହାରାଷ୍ଟ୍ରରେ ଶାସନ କରୁଥିବା ଉଦ୍ଧବ ଠାକରେ ସରକାର ପ୍ରତି ବିପଦ ଘନେଇ ଆସୁଛି । ବିଦ୍ରୋହୀ ଏକନାଥ ସିନ୍ଦେଙ୍କୁ ମନାଇବାରେ ଶିବସେନାର ଉଦ୍ୟମ ବିଫଳ ହେବାରେ ଲାଗିଛି । ସିନ୍ଦେ ସୁରଟରେ ଥିବା ଜାଣି ଶିବସେନା ନେତା ମିଲିନ୍ଦ ନରଭେକର ମଙ୍ଗଳବାର ଦିନ ଗୁଜୁରାଟର ସୁରଟରେ କ୍ୟାମ୍ପ କରିଥିବା ଏକନାଥ ସିନ୍ଦେ ଏବଂ ଅନ୍ୟ ବିଦ୍ରୋହୀ ଦଳର ବିଧାୟକଙ୍କୁ ଭେଟିଥିଲେ। ପ୍ରାୟ ୨ଘଣ୍ଟା ଧରି ବୈଠକ ଚାଲିବା ପରେ ଉଦ୍ଧବ ଠାକରେଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ସିନ୍ଦେ।
ଏହି ବାର୍ତ୍ତାଳାପ ସମୟରେ ସିନ୍ଦେ ଉଦ୍ଧବ ଠାକରେଙ୍କୁ ବିଜେପି ସହ ମେଣ୍ଟ କରିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି ମିଲିନ୍ଦ ନରଭେକର। ସୂତ୍ର ଅନୁଯାୟୀ ଏକନାଥ ସିନ୍ଦେ ଦାବି କରିଥିଲେ ଯେ ତାଙ୍କ ସହ ୩୫ଜଣ ବିଧାୟକ ଅଛନ୍ତି ଏବଂ ଯଦି ଉଦ୍ଧବ ଠାକରେ ବିଜେପି ସହ ମେଣ୍ଟ କରିବାକୁ ପ୍ରସ୍ତୁତ ହୁଅନ୍ତି, ତେବେ ଶିବସେନା ଦଳରେ ବିଭାଜନ ହେବ ନାହିଁ। ଏହା ସହ ସେ ଉଦ୍ଧବ ଠାକରେଙ୍କୁ କହିଥିଲେ ଯେ, ମୋର ମୁଖ୍ୟମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ। ତେଣୁ ମୋତେ ବିଧାୟକ ଗୋଷ୍ଠୀ ନେତା ପଦରୁ ହଟାଇବାର କୌଣସି ଆବଶ୍ୟକତା ନଥିଲା।
ତେବେ ବିଜେପି ସହ ମେଣ୍ଟ ପାଇଁ ସିନ୍ଦେ ଦେଇଥିବା ପ୍ରସ୍ତାବ ଉପରେ ଜବାବ ଦେଇ ଠାକରେ କହିଛନ୍ତି ଯେ, ବିଜେପି ଶିବସେନା ନେତା ଓ କର୍ମୀଙ୍କୁ ହଇରାଣ କରୁଥିଲା। ଅତୀତରେ ଭଲ ବ୍ୟବହାର ମଧ୍ୟ କରିନଥିବାର ପ୍ରମାଣ ରହିଛି।
ଠାକରେଙ୍କ ମୁହଁରୁ ଏଭଳି ଜବାବ ଶୁଣି ସିନ୍ଦେ କହିଥିଲେ ଯେ, ଏବେ ନିଷ୍ପତ୍ତି ଆପଣଙ୍କ ହାତରେ। ମୋ ସମର୍ଥନରେ ଥିବା ବିଧାୟକ ଏନସିପି ଓ କଂଗ୍ରେସ ସହ ଶିବସେନାର ମେଣ୍ଟକୁ ବିରୋଧ କରୁଛନ୍ତି। ତେଣୁ ସେମାନଙ୍କୁ ରାଜି କରାଇବା ପାଇଁ ବିଜେପି ସହ ମେଣ୍ଟ ହେବା ଜରୁରୀ।
Follow Us