ମସ୍କୋ: ବୁଧବାର ରାତିରେ ମସ୍କୋର ଏକ କ୍ଲବ୍ରେ ଆୟୋଜିତ ‘ଅଲ୍ମୋଷ୍ଟ୍ ନେକେଡ୍’ ବା ‘ଉଲଗ୍ନ ପ୍ରାୟ’ ଅଥବା ‘ସ୍ବଳ୍ପ ପୋଷାକ ପରିଧାନ’ ପାର୍ଟିରେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ‘ଧରମଝିଅ’ଙ୍କ ସମେତ ଯୋଗ ଦେଇଥିବା ବହୁ ସେଲିବ୍ରିଟି ସମାଲୋଚିତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଏହା ୟୁକ୍ରେନ୍ରେ ଯୁଦ୍ଧ କରୁଥିବା ରୁଷୀୟ ସୈନିକମାନଙ୍କ ପ୍ରତି ଅସମ୍ମାନ ବୋଲି କହି ପୁଟିନ୍ଙ୍କ ସମର୍ଥକମାନେ ବି ତୀବ୍ର ସମାଲୋଚନା କରିଛନ୍ତି। ଏହି ପାର୍ଟିରେ ଯୋଗ ଦେଇଥିବା ଅନ୍ୟ ସେଲିବ୍ରିଟିମାନେ ହେଉଛନ୍ତି ପ୍ରଖ୍ୟାତ ରାପର୍ ୱାସିଓ, ପପ୍ ଷ୍ଟାର୍ ଫିଲିପ୍ କିର୍କୋରୋଭ୍ ଓ ଗାୟିକା ଲୋଲିତା ମିଲିୟାଭସ୍କାୟା।
Image Courtesy of Times Nowପୁଟିନ୍ଙ୍କ ‘ଧରମଝିଅ’ ବୋଲି ଗୁଜବ ଉଠିଥିବା କସେନିଆ ସୋବ୍ଚାକ୍ ହେଉଛନ୍ତି ତାଙ୍କ ପରାମର୍ଶଦାତା ବୋଲି କୁହାଯାଉଥିବା ଜଣେ ବ୍ୟକ୍ତିଙ୍କ ଝିଅ। ସେ ବ୍ୟକ୍ତିଜଣକ ପୂର୍ବରୁ ସେଣ୍ଟ୍ ପିଟର୍ସବର୍ଗର ମେୟର୍ ଥିଲେ। ‘ଧରମଝିଅ’ ୪୦ ବର୍ଷୀୟ ସୋବ୍ଚାକ୍ ହେଉଛନ୍ତି ଜଣେ ଟେଲିଭିଜନ ବ୍ୟକ୍ତିତ୍ବ। ସେ ଏହି ପାର୍ଟିରେ ‘ନ୍ୟୁଡ୍’ ରଙ୍ଗର ‘ସୋରେଲ୍’ ପୋଷାକ ପିନ୍ଧି ଆସିଥିଲେ।
Image Courtesy of Moscow Timesଏହି ପାର୍ଟି ଉପରେ ତଦନ୍ତ କରିବା ଲାଗି ରୁଷୀୟ ସାଂସଦ କ୍ଲାଉଡିଆ ବୁତିନା କହିଛନ୍ତି। ସେ ଏହାକୁ ‘ପାରମ୍ପରିକ ରୁଷୀୟ ଧାର୍ମିକ ଓ ନୈତିକ ମୂଲ୍ୟବୋଧ’ର ଉଲ୍ଲଂଘନ ବୋଲି ବିବେଚନା କରିଛନ୍ତି।
ଏହି ପାର୍ଟି ଉପରେ ରିପୋର୍ଟ କରିବା ଲାଗି ଯାଇଥିବା ସାମ୍ବାଦିକମାନେ କହିଛନ୍ତି ଯେ, ସେଠାରେ ପୁରୁଷମାନେ ପରସ୍ପରକୁ ଚୁମ୍ବନ ଦେଉଥିଲେ। ସେଠାରେ ନଗ୍ନ ଫଟୋ ମଧ୍ୟ ପ୍ରଦର୍ଶନ କରାଯାଉଥିଲା।
ଏହି ପାର୍ଟିର ଅନ୍ୟତମ ଆୟୋଜିକା ନାସ୍ତିୟା ଇବ୍ଲିବା ନାମ୍ନୀ ଜଣେ ‘ବ୍ଲଗର୍’ ଓ ଟେଲିଭିଜନ ଉପସ୍ଥାପିକା ମଧ୍ୟ ପାର୍ଟିରେ ଯୋଗ ଦେଇଥିବା ଅନ୍ୟମାନଙ୍କ ସହିତ ଉଠାଇଥିବା ଫଟୋ ‘ଇନ୍ଷ୍ଟାଗ୍ରାମ୍’ରେ ପୋଷ୍ଟ୍ କରିଛନ୍ତି।
Follow Us