Image Courtesy of India Today
ନୂଆଦିଲ୍ଲୀ: ଦିଲ୍ଲୀର ‘ଇଣ୍ଡିଆ ଗେଟ୍’ରେ ଥିବା ‘ଅମର ଯବାନ ଜ୍ୟୋତି’ର ଶିଖା ନିର୍ବାପନ କରାଯିବ ନାହିଁ; କେବଳ ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ଜଳୁଥିବା ଶିଖା ସହ ସମ୍ମିଳିତ ହେବ ବୋଲି ସରକାର ସ୍ପଷ୍ଟ କରି କହିଛନ୍ତି।
୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଯବାନମାନଙ୍କ ସ୍ମୃତିରେ ପ୍ରଜ୍ଜ୍ବଳନ କରାଯାଇଥିବା ‘ଅମର ଯବାନ ଜ୍ୟୋତି’ର ଚିର ପ୍ରଜ୍ଜ୍ବଳିତ ଶିଖାକୁ ୫୦ ବର୍ଷ ପରେ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଲିଭାଇ ଦିଆଯାଇ ନିକଟରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ ଶିଖାରେ ବିଲୁପ୍ତ କରାଯିବ ବୋଲି ଖବର ପ୍ରକାଶ ପାଇବା ପରେ ସରକାର ଏଭଳି ସ୍ପଷ୍ଟୀକରଣ ଦେଇଛନ୍ତି।
ସରକାର ବିରୋଧୀମାନଙ୍କୁ ମଧ୍ୟ ସମାଲୋଚନା କରି କହିଛନ୍ତି, ଏହି ପଦକ୍ଷେପ ସମ୍ବନ୍ଧରେ ସେମାନଙ୍କ ସମାଲୋଚନା ବିଦ୍ରୂପାତ୍ମକ। ଆମ ସହିଦମାନଙ୍କ ପ୍ରତି ଚିରନ୍ତନ ଏବଂ ସମୁଚ୍ଚିତ ଶ୍ରଦ୍ଧାଞ୍ଜଳି ଦିଆଯିବା ବେଳେ ୭ ଦଶନ୍ଧି ହେବ ‘ଜାତୀୟ ଯୁଦ୍ଧ ସ୍ମାରକୀ’ ନିର୍ମାଣ ନ କରିଥିବା ଲୋକେ ପାଟିତୁଣ୍ଡ କରିବା ବିଦ୍ରୂପ ନୁହେଁ ତ କ’ଣ?
Image Courtesy of Economic Timesସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ‘ଅମର ଯବାନ ଜ୍ୟୋତି’ ସମ୍ବନ୍ଧରେ ଗୁଡ଼ାଏ ଅପପ୍ରଚାର ବା ମିଥ୍ୟା ସୂଚନା ପ୍ରସାରିତ ହେଉଛି। ଏହି ଶିଖା ସେଠାରେ ଉଲ୍ଲେଖ ଥିବା ଅନ୍ୟମାନଙ୍କ ନାମକୁ ବାଦ ଦେଇ କେବଳ ୧୯୭୧ର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା କଥାଟି ବଡ଼ ଅଶୋଭନୀୟ।
ପ୍ରଥମ ବିଶ୍ବଯୁଦ୍ଧରେ ବ୍ରିଟିସ୍ ପାଇଁ ଓ ଆଙ୍ଗ୍ଲୋ-ଆଫଗାନ୍ ସଂଗ୍ରାମରେ ଯୁଦ୍ଧ କରିଥିବା କେତେକ ସହିଦଙ୍କ ନାମ ‘ଇଣ୍ଡିଆ ଗେଟ୍’ରେ ଖୋଦେଇ ହୋଇଛି। ତେଣୁ, ଏହା ଅତୀତ ଉପନିବେଶବାଦର ସଙ୍କେତ ବୋଲି ମନେହେଉଛି ବୋଲି ସରକାରୀ ସୂତ୍ର କହିଛି।
ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ୧୯୭୧ ଯୁଦ୍ଧ ସମେତ ତା’ ପୂର୍ବରୁ ଏବଂ ପରେ ସମସ୍ତ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀରେ ଉଲ୍ଲେଖ ଅଛି। ତେଣୁ, ସେଠାରେ ପ୍ରଜ୍ଜ୍ବଳିତ ଶିଖା ହେଉଛି ସହିଦମାନଙ୍କ ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳି।
Follow Us