ଅମରାବତୀର ଔଷଧ ଦୋକାନୀଙ୍କୁ ହତ୍ୟା ଘଟଣା: ଏନଆଇଏକୁ ତଦନ୍ତ ଦାୟିତ୍ବ ଦେଲେ ଶାହା

Advertisment
ଅମରାବତୀର ଔଷଧ ଦୋକାନୀଙ୍କୁ ହତ୍ୟା ଘଟଣା: ଏନଆଇଏକୁ ତଦନ୍ତ ଦାୟିତ୍ବ ଦେଲେ ଶାହା

indiatoday

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀରେ ଜଣେ ଔଷଧ ଦୋକାନୀଙ୍କୁ ହତ୍ୟା କରାଯିବା ଘଟଣାର ତଦନ୍ତ କରିବ ଏନଆଇଏ। ସୂଚନାନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ହତ୍ୟା ଘଟଣାର ତଦନ୍ତ କରିବାକୁ ଏନଆଇଏ ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍ ୨୧ରେ ଅମରାବତୀରେ ଥିବା ଦୋକାନୀ ଉମେଶ କୋଲହେଙ୍କୁ ହତ୍ୟା କରାଯାଇଥିଲା। କୁହାଯାଉଛି ଯେ ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଉମେଶଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଗକୁ ଏନଆଇଏ ଏହି ଘଟଣା ତଦନ୍ତ କରିବ।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ନୂପୁର ଶର୍ମାଙ୍କ ମନ୍ତବ୍ୟ ପ୍ରତି ସମର୍ଥନ ଜଣାଇ କରାଯାଇଥିବା ପୋଷ୍ଟ୍‌କୁ ଉମେଶ କେତେକ ‘ହ୍ବାଟସ୍‌ଆପ୍‌’ ଗ୍ରୁପ୍‌ରେ ସେୟାର୍‌ କରିଥିଲେ ବୋଲି କୁହାଯାଉଛି। ତାଙ୍କ ଗ୍ରାହକମାନଙ୍କ ସମେତ କେତେକ ସଂଖ୍ୟାଲଘୁ ସଦସ୍ୟ ଥିବା ଗୋଟାଏ ‘ହ୍ବାଟସ୍‌ଆପ୍‌ ଗ୍ରୁପ୍‌’ରେ ମଧ୍ୟ ସେ ଭୁଲ୍‌କ୍ରମେ ଉକ୍ତ ପୋଷ୍ଟ୍‌କୁ ସେୟାର୍‌ କରିପକାଇଥିଲେ। ଜୁନ୍‌ ୨୧ ତାରିଖ ରାତି ୧୦ଟାରୁ ୧୦.୩୦ ମଧ୍ୟରେ କୋହ୍ଲେ ଦୋକାନ ବନ୍ଦ କରି ଦୁଇଚକିଆ ଯାନ‌ ଚଳାଇ ଘରକୁ ଫେରୁଥିବା ବେଳେ ଘଟଣାଟି ଘଟିଥିଲା। ତାଙ୍କ ସହିତ ଅନ୍ୟ ଗୋଟାଏ ଗାଡ଼ିରେ ୨୭ ବର୍ଷିୟ ପୁଅ ସଙ୍କେତ ଏବଂ ପତ୍ନୀ ବୈଷ୍ଣବୀ ମଧ୍ୟ ଯାଉଥିଲେ ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସେମାନେ ସମସ୍ତେ ମହିଳା ମହାବିଦ୍ୟାଳୟ ଫାଟକ ନିକଟରେ ପହଞ୍ଚିବା ପରେ ପଛରୁ ଦୁଇଜଣ ମୋଟର୍‌ସାଇକେଲ୍‌ ଆରୋହୀ ଆସି କୋହ୍ଲେଙ୍କ ପଥ ଅବରୋଧ କଲେ। ଜଣେ ଯୁବକ ମୋଟର୍‌ସାଇକେଲ୍‌ରୁ ଓହ୍ଲାଇ ଗୋଟାଏ ଧାରୁଆ ଅସ୍ତ୍ରରେ କୋହ୍ଲେଙ୍କ ବେକକୁ ଭୁସି ଘଟଣାସ୍ଥଳରୁ ଚାଲିଯାଇଥିଲେ। ରକ୍ତ ଜୁଡୁବୁଡୁ ହୋଇ କୋହ୍ଲେ ରାସ୍ତାରେ ପଡ଼ିଗଲେ। ତୁରନ୍ତ ସଙ୍କେତ ତାଙ୍କୁ ଡାକ୍ତରଖାନାକୁ ନେଇଗଲେ। କିନ୍ତୁ, ସେଠ‌ାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଜଣେ ସ୍ଥାନୀୟ ବିଜେପି ନେତା ପୁଲିସକୁ ଲେଖିଥିବା ପତ୍ରରେ ଏଭଳି ଅଭିଯୋଗ କରାଯାଇଥିବା ବେଳେ ମହାରାଷ୍ଟ୍ର ପୁଲିସର ଟିମ୍ ଦ୍ୱାରା ୬ଜଣଙ୍କୁ ଗିରଫ କରାଯାଇଛି। ଏବେ ଏହି ସମସ୍ତ ଅଭିଯୁକ୍ତଙ୍କୁ ହତ୍ୟା ସମ୍ବନ୍ଧରେ ପଚରାଉଚରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe