ନୂଆ ଦଳ ଆରମ୍ଭ କଲେ ଅମରିନ୍ଦର: କଂଗ୍ରେସରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଲେ

Advertisment
ମେଣ୍ଟ ପାଇଁ ମୋଦୀ, ଶାହଙ୍କ ସହ କଥା ହୋଇଛି: ଅମରିନ୍ଦର

Image Courtesy of NDTV

ନୂଆଦିଲ୍ଲୀ : ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବାର ପ୍ରାୟ ମାସକ ପରେ ଅମରିନ୍ଦର ଆଜି ବିଧିବଦ୍ଧ ଭାବେ କଂଗ୍ରେସ ଦଳ ଛାଡ଼ିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ଅମରିନ୍ଦର ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଅନ୍ୟପକ୍ଷରେ ଅମରିନ୍ଦର ମଧ୍ୟ ଆଜି ତାଙ୍କର ନୂଆ ଦଳ ଘୋଷଣା କରିଛନ୍ତି। ଅମରିନ୍ଦରଙ୍କ ନୂଆ ଦଳର ନାମ ‘ପଂଜାବ ଲୋକ କଂଗ୍ରେସ’ ରହିଛି। ଏକ ଟ୍ବିଟର ପୋଷ୍ଟ୍‌ ଦ୍ବାରା ଅମରିନ୍ଦର ନୂଆ ଦଳ ଘୋଷଣା କରିଛନ୍ତି। ତେବେ ନିର୍ବାଚନ କମିସନ୍‌ ଦଳର ପଂଜୀକରଣକୁ ସ୍ବୀକୃତି ଦେବାପାଇଁ ଅପେକ୍ଷା କରାଯାଇଛି ବୋଲି ଅମରିନ୍ଦର କହିଛନ୍ତି। ଦଳର ପ୍ରସ୍ତାବିତ ନାମକୁ ନିର୍ବାଚନ କମିସନ୍‌ଙ୍କ କିଛି ଆପତ୍ତି ନାହିଁ ବୋଲି ସେ କହିଛନ୍ତି।

ଅମରିନ୍ଦର ସୋନିଆଙ୍କ ପାଖକୁ ଯେଉଁ ଇସ୍ତଫାପତ୍ର ପଠାଇଛନ୍ତି ତାହା ୭ ପୃଷ୍ଠା ବିଶିଷ୍ଟ। ଏଥିରେ ସେ ଲେଖିଛନ୍ତି, ‘ମୁଁ କ୍ଳାନ୍ତ ହୋଇନାହିଁ କି ଅବସର ନେଇନାହିଁ। ମୋର ଅନୁଭବ ହେଉଛି ମୋର ପ୍ରିୟ ପଂଜାବ ପାଇଁ ଅନେକ କିଛି କରିବାକୁ ଅଛି। ୭ ପୃଷ୍ଠାର ଇସ୍ତଫା ପତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସୋନିଆ, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଅମରିନ୍ଦର କହିଛନ୍ତି,ସୋନିଆ ଏବଂ ତାଙ୍କ ପିଲାମାନଙ୍କ ଆଚରଣ ତାଙ୍କୁ ଖୁବ୍‌ କଷ୍ଟ ଦେଇଛି। ସେ ନିଜ ପିଲା ପରି ସେମାନଙ୍କୁ ଭଲପାଆନ୍ତି। ସେମାନଙ୍କ ବାପାଙ୍କୁ ସେ ଭଲଭାବେ ଜାଣନ୍ତି। ସେମାନେ ଏକାଠି ଗୋଟିଏ ସ୍କୁଲ୍‌ରେ ପଢ଼ୁଥିଲେ। ତେଣୁ ‌ତାଙ୍କ ପିଲାମାନଙ୍କୁ ସେ ନିଜ ପିଲା ପରି ଭଲପାଆନ୍ତି। କିନ୍ତୁ ସେମାନଙ୍କ ଆଚରଣ ତାଙ୍କୁ ଖୁବ୍‌ କଷ୍ଟ ଦେଇଥିବା ଅମରିନ୍ଦର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ ବିବାଦ ହେବାପରେ ଅମରିନ୍ଦର ସିଂହ ଗତ ସେପ୍ଟେମ୍ବରରେ ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ନିକଟରେ ଅମରିନ୍ଦର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବାରୁ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଥିଲା। କିନ୍ତୁ ଅମରିନ୍ଦର ଏହାକୁ ଖଣ୍ଡନ କରିଥିଲେ। ଖୁବ୍‌ଶୀଘ୍ର ସେ ନିଜ ଦଳ ଆରମ୍ଭ କରିବା ନେଇ ସୂଚନା ଦେଇଥିଲେ ଏବଂ ଆଜି ନୂଆ ଦଳ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe