ବିଦେଶାଗତଙ୍କ ପାଇଁ କୋଭିଡ୍‌ ମାର୍ଗଦର୍ଶିକାରେ ସଂଶୋଧନ

ପୂର୍ଣ୍ଣ ଟିକାକୃତଙ୍କ ପାଇଁ ଆର୍‌ଟିପିସିଆର୍, କ୍ବାରେଣ୍ଟାଇନ୍‌ର ଆବଶ୍ୟକତା ନାହିଁ

ବିଦେଶାଗତଙ୍କ ପାଇଁ କୋଭିଡ୍‌ ମାର୍ଗଦର୍ଶିକାରେ ସଂଶୋଧନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଦେଶାଗତ ଯାତ୍ରୀଙ୍କ ପାଇଁ କୋଭିଡ୍ ମାର୍ଗଦର୍ଶିକାରେ ବଡ଼ ପରିବର୍ତ୍ତନ କରିଛନ୍ତି। କୋଭିଡ୍‌ ସଂକ୍ରମଣ ଦୃଷ୍ଟିରୁ ବିପଜ୍ଜନକ ବୋଲି କୁହାଯାଉଥିବା ଦେଶଗୁଡ଼ିକର ତାଲିକାକୁ ବାଦ୍ ଦିଆଯାଇଛି। ଅର୍ଥାତ୍ ବର୍ତ୍ତମାନ ଆଉ କୌଣସି ଦେଶ ବିପଜ୍ଜନକ ଶ୍ରେଣୀଭୁକ୍ତ ନୁହେଁ। ଆଗରୁ ଯେଉଁ ୭ ଦିନିଆ କ୍ବାରେଣ୍ଟାଇନ୍‌ର ନିୟମ ଥିଲା ତାହାକୁ ବି ଉଠାଇ ଦିଆଯାଇଛି। ଏହି ନୂତନ ମାର୍ଗଦର୍ଶିକା ଫେବ୍ରୁଆରି ୧୪ରୁ କାର୍ଯ୍ୟକାରୀ ହେବ। ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଦେଶାଗତଙ୍କ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛି। ଏଣିକି ବିଦେଶରୁ ଆସୁଥିବା ଲୋକମାନଙ୍କୁ ଆଉ ୭ ଦିନ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ କିନ୍ତୁ ସେମାନେ ୧୪ ଦିନ ପର୍ଯ୍ୟନ୍ତ ନିଜକୁ ନିଜେ ପର୍ଯ୍ୟବେକ୍ଷଣ କରି ଚଳିବେ।

ବିଭିନ୍ନ ଦେଶକୁ ବିପଦ ସମ୍ଭାବନା ଅନୁଯାୟୀ ଆଗରୁ ଯେଉଁ ବର୍ଗୀକରଣ କରାଯାଇଥିଲା ତାହାକୁ ଉଠାଇ ଦିଆଯାଇଛି। ଆଗରୁ ବିପଦ ସମ୍ଭାବନା ଥିବା ଦେଶରୁ ଆସିଥିବା ଲୋକଙ୍କୁ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ପ୍ରଥମେ ନମୁନା ଦେବାକୁ ପଡ଼ୁଥିଲା ଏବଂ ତା’ର ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ଏବେ ଆଉ ତାହାର ଆବଶ୍ୟକତା ନାହିଁ। ଆଗରୁ ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ପୂର୍ବରୁ ଆର୍‌ଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅପ୍‌ଲୋଡ୍ କରିବାକୁ ପଡ଼ୁଥିଲା। ବର୍ତ୍ତମାନ ଆଉ ଗୋଟିଏ ବିକଳ୍ପ ସେହିସବୁ ଦେଶର ଯାତ୍ରୀମାନଙ୍କୁ ଦିଆଯାଉଛି, ଯେଉଁସବୁ ଦେଶ ଆମ ଦେଶର ଯାତ୍ରୀମାନଙ୍କୁ ବି ସମାନ ସୁବିଧା ଦେଉଛନ୍ତି। ସେହିସବୁ ଦେଶ ଭିତରେ ରହିଛନ୍ତି ଅଷ୍ଟ୍ରେଲିଆ, କାନାଡ଼ା, ହଂକଂ, ମାଳଦ୍ବୀପ, ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ, କାତାର, ସିଙ୍ଗାପୁର, ସ୍ବିଜରଲାଣ୍ଡ, ଇଂଲଣ୍ଡ ଓ ଆମେରିକା ସମେତ ୮୨ଟି ଦେଶ। ଚୀନ୍ ଓ ୟୁଏଇ ଏ ତାଲିକାରେ ନାହାନ୍ତି। ସେହି ସୁବିଧାଟି ହେଉଛି ଆର୍‌ଟି-ପିସିଆର୍ ରିପୋର୍ଟ ବଦଳରେ ସମ୍ପୂର୍ଣ୍ଣ ଟିକା ନେଇଥିବାର ସାର୍ଟିଫିକେଟ୍ ଅପ୍‌ଲୋଡ୍ କରିବା। ଅଷ୍ଟମ ଦିନରେ ଆର୍‌ଟି-ପିସିଆର୍ ଟେଷ୍ଟ କରି ଏୟାର୍ ସୁବିଧା ପୋର୍ଟାଲରେ ଅପ୍‌ଲୋଡ୍ କରିବା ପାଇଁ ଅଣ୍ଡର୍‌ଟେକିଂ ଲେଖିଦେବାର ଆବଶ୍ୟକତା ବି ଆଉ ନାହିଁ। ତେବେ ଯାଦୃଚ୍ଛିକ ୨ ପ୍ରତିଶତ ଅନ୍ତର୍ଜାତୀୟ ଯାତ୍ରୀଙ୍କର ପହଞ୍ଚିବା ପରେ ନମୁନା ନିଆଯିବାର ନିୟମ ହୋଇଛି। ସେମାନେ କେବଳ ନମୁନା ଦେଇ ବିମାନବନ୍ଦରରୁ ଯାଇପାରିବେ। ଭାରତରେ ତଥା ବିଭିନ୍ନ ଦେଶରେ ଓମିକ୍ରନ୍-ଜନିତ ସଂକ୍ରମଣ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇବା ପରେ ସରକାର ଏ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe