ଇସ୍ରାଏଲକୁ ଚେତାଇଲା ଆମେରିକା; ଗାଜା ଦଖଲ କରିବା ମସ୍ତବଡ଼ ଭୁଲ୍‌ ‌ହେବ

Advertisment

ଜେରୁଜେଲମ, ‌ତେଲ୍‌ ଅଭିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ

ଜେରୁଜେଲମ, ‌ତେଲ୍‌ ଅଭିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ

ଇସ୍ରାଏଲକୁ ଚେତାଇଲା ଆମେରିକା; ଗାଜା ଦଖଲ କରିବା ମସ୍ତବଡ଼ ଭୁଲ୍‌ ‌ହେବ

ୱାସିଂଟନ୍‌: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଆଜି ୧୦ ଦିନରେ ପହଞ୍ଚିଛି। ଗାଜାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ କରିବାପାଇଁ ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଏଥିପାଇଁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉତ୍ତର ଗାଜା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇସ୍ରାଏଲ ସେନା ଏକ ବିଶାଳ ଯୁଦ୍ଧ ପାଇଁ ପ୍ରସ୍ତୁତ ‌ହେବା ସହ ଗାଜାକୁ ପୁନଃ ନିୟନ୍ତ୍ରଣକୁ ନେବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ଏନେଇ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି। ହମାସ୍‌ ଶାସିତ ଗାଜା ଅଞ୍ଚଳକୁ ଇସ୍ର‌ାଏଲର ପୁନଃ ଦଖଲ ଅଭିଯାନ ନେଇ ବାଇଡେନ୍‌ ସତର୍କ କରିଛନ୍ତି। ସିବିଏସ୍‌ ନ୍ୟୁଜ୍‌କୁ ସାକ୍ଷାତକାର ଦେଇ ବାଇଡେନ୍‌ କହିଛନ୍ତି, ମୁଁ ଭାବୁଛି ଗାଜାକୁ ପୁନଃ ନିୟନ୍ତ୍ରଣ କରିବା ଇସ୍ରାଏଲ ପାଇଁ ବହୁତ ବଡ଼ ଭୁଲ୍‌ ହୋଇଯିବ। କିନ୍ତୁ ସମ୍ପୃକ୍ତ ଅଞ୍ଚଳରୁ ଆତଙ୍କବାଦୀଙ୍କୁ ହଟାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ବାଇଡେନ କହିଛନ୍ତି, ମୁଁ ବିଶ୍ବାସ କରୁଛି ଯେ ଇସ୍ରାଏଲ ଯୁଦ୍ଧର ନିୟମ ଅଧୀନରେ କାର୍ଯ୍ୟ କରିବ।

ଅନ୍ୟପକ୍ଷେ ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବାଇଡେନ ଆସନ୍ତା କିଛି ଦିନ ମଧ୍ୟରେ ଇସ୍ରାଏଲ ଗସ୍ତ କରିବା ପାଇଁ ବିଚାରବିମର୍ଶ ଜାରି ରଖିଛନ୍ତି। ତେବେ ଏନେଇ କୌଣସି ତାରିଖ ଚୂଡ଼ାନ୍ତ ହୋଇନାହିଁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବାଇଡେନଙ୍କୁ ନିମନ୍ତ୍ରଣ କରିଥିବାରୁ ଏନେଇ ଆଲୋଚନା ଜାରି ରହିଛି ବୋଲି ସମ୍ପୃକ୍ତ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ଯୁଦ୍ଧ ପାଇଁ ଗାଜାରେ ଅତ୍ୟନ୍ତ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ହସ୍ପିଟାଲ ଗୁଡ଼ିକରେ ଯୁଦ୍ଧ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ହସ୍ପିଟାଲରେ ଆବଶ୍ୟକୀୟ ଔଷଧ ଶେଷ ହୋଇ ଆସିଲାଣି। ଗାଜାରେ ଜଳ ସଙ୍କଟ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଇତି ମଧ୍ୟରେ ଲେବାନନ୍‌ ସହ ଇସ୍ରାଏଲ ସୀମାରେ ଲଢ଼େଇ ରବିବାରଠାରୁ ତୀବ୍ର ହେବାରେ ଲାଗିଛି। ହେଜବୋଲ୍ଲା ଆତଙ୍କବାଦୀ ଇସ୍ରାଏଲ ଉପରକୁ ରକେଟ୍‌ ଏବଂ ଆଣ୍ଟି ଟ୍ୟାଙ୍କ ମିସାଇଲ ମାଡ଼ କରିଛନ୍ତି। ଇସ୍ରାଏଲ ମଧ୍ୟ ଏହାର ଜବାବ ଦେଇ ବିମାନରେ ଆକ୍ରମଣ ଏବଂ ଗୋଳା ବର୍ଷା କରିଛି। ଇସ୍ରାଏଲ ସେନା ଲେବାନନ୍‌ ସୀମା ନିକଟରେ ୨୮ ସମ୍ପ୍ରଦାୟର ଲୋକଙ୍କୁ ସେମାନଙ୍କ ଘର ଛାଡ଼ିବା ପାଇଁ କହିଛି। ଇସ୍ରାଏଲ ଏବଂ ହେଜବୋଲ୍ଲା ମଧ୍ୟରେ ଗୁଳି ବିନିମୟ ବଢ଼ିବାରୁ ସୋମବାର ଏହି ନିଷ୍ପତ୍ତି ନିଆଯାଇଛି। ଯୁଦ୍ଧରେ ଇସ୍ରା‌ଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଗାଜାରେ ୨୬୭୦ ଜଣଙ୍କ ମୃତ୍ୟୁ ହୋଇଛି। ୯ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଜେରୁଜେଲମ, ‌ତେଲ୍‌ ଅଭିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ

ନେତାନ୍ୟାହୁଙ୍କ ଚେତାବନୀ ଇସ୍ରାଏଲକୁ ପରଖନା

ନୂଆଦିଲ୍ଲୀ: ଇସ୍ରାଏଲର ବୃହତ୍ତମ ସହର ଜେରୁଜେଲମ୍‌ ଏବଂ ତେଲ୍‌ ଅଭିଭ୍‌ରେ ଆଜି ପ୍ରଚଣ୍ଡ ରକେଟ୍‌ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ବିସ୍ଫୋରଣ ଶବ୍ଦ ପରେ ଜେରୁଜେଲମରେ ରକେଟ ଆଲର୍ଟ ସାଇରନ ବାଜିଛି। ଇସ୍ରାଏଲ ସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଏକ ସଂସଦୀୟ ବୈଠକ ଚାଲିଥିବାବେଳେ ଜେରୁଜେଲମ୍‌ରେ ଆଜି ସାଇରନ୍‌ ବାଜିଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଇରାନ ଏବଂ ଲେବାନନ୍‌ ଆତଙ୍କବାଦୀ ଗୋଷ୍ଠୀ ହେଜବୋଲ୍ଲାକୁ ଚେତାବନୀ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି, ଉତ୍ତରରେ ଆମର ପରୀକ୍ଷା ନିଅନା। ହମାସ୍‌୍କୁ ହରାଇବାପାଇଁ ସମଗ୍ର ବିଶ୍ବ ଏକଜୁଟ୍‌ ହେବା ଉପରେ ନେତାନ୍ୟାହୁ ଗୁରୁତ୍ବାରୋପ କରିଛନ୍ତି। ସେ କହିଛନ୍ତି, ଏହି ଯୁଦ୍ଧ ମଧ୍ୟ ଆପଣଙ୍କ ଯୁଦ୍ଧ। ସେ ହମାସ୍‌କୁ ନାଜି ସହ ତୁଳନା କରିଛନ୍ତି। ଇତିମଧ୍ୟରେ ହେଜବୋଲ୍ଲା ଲେବାନନ୍‌ ସୀମା ନିକଟରେ ଥିବା ଅନେକ ଇସ୍ରାଏଲୀ ସେନା ପୋଷ୍ଟ୍‌ର ସର୍ଭେଲାନ୍ସ କ୍ୟାମେରା ଧ୍ବଂସ କରିଥିବା କହିଛି। ହେଜବୋଲ୍ଲାର ଗଣମାଧ୍ୟମ ଶାଖା ପକ୍ଷରୁ ଏନେଇ ଭିଡିଓ ଜାରି ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe