ଭେନେଜୁଏଲା ଉପରେ ଆକ୍ରମଣ କରିବ ଆମେରିକା!

ବିଶ୍ୱର ସର୍ବବୃହତ୍‌ ତୈଳ ଭଣ୍ଡାର ଦେଶ ଭେନେଜୁଏଲା ଉପରେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରିବା ଖବର ବିଶ୍ବରେ ହଇଚଇ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ଉପକୂଳକୁ ଯୁଦ୍ଧ ଜାହାଜ ପଠାଇଛନ୍ତି।

sffssfsf

ୱାସିଂଟନ: ବିଶ୍ୱର ସର୍ବବୃହତ୍‌ ତୈଳ ଭଣ୍ଡାର ଦେଶ ଭେନେଜୁଏଲା ଉପରେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରିବା ଖବର ବିଶ୍ବରେ ହଇଚଇ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ଉପକୂଳକୁ ଯୁଦ୍ଧ ଜାହାଜ ପଠାଇଛନ୍ତି। ଭେନେଜୁଏଲା ଉପରେ ଆକ୍ରମଣ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାରୁ ଏହା ବୈଶ୍ବିକ ଶାନ୍ତି ଓ ଆଞ୍ଚଳିକ ସ୍ଥିରତା ପାଇଁ ବହୁତ ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ କହିଛନ୍ତି, ଆମେରିକା ସେନାର ଅନୁପ୍ରବେଶ କୌଣସି ସ୍ଥିତିରେ ସମ୍ଭବ ହେବାକୁ ଦେବୁ ନାହିଁ। ଲାଟିନ୍‌ ଆମେରିକୀୟ ଡ୍ରଗ୍ସ କାର୍ଟେଲ ବିରୋଧରେ ଅପରେସନ୍‌ ଆରମ୍ଭ ହୋଇଛି ବୋଲି ଆମେରିକା ସଫେଇ ଦେଉଥିବା ବେଳେ ଅନେକ ଏହାକୁ ଭେନେଜୁଏଲା ବିରୋଧରେ ଯୁଦ୍ଧ ରଣନୀତିର ଏକ ଅଂଶ ଭାବେ ଦେଖୁଛନ୍ତି। ଭେନେଜୁଏଲା ଜଳସୀମା ନିକଟରେ ଦକ୍ଷିଣ କ୍ୟାରିବିଆନ୍‌ରେ ଆମେରିକୀୟ ନୌସେନା ମୁତୟନ ବୃଦ୍ଧି ପାଇବାରେ ଲାଗିଛି। ମାଦୁରୋ ନିଜ ଦେଶର ସୈନ୍ୟମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ଆମେ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ। ଆମେ ଶାନ୍ତି, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା ପାଇଁ ଭଲ ଭାବେ ପ୍ରସ୍ତୁତ ଅଛୁ। ଏହାକୁ କୌଣସି ଶକ୍ତି କ୍ଷତି ପହଞ୍ଚାଇପାରିବ ନାହିଁ।

ମିଳିତ ଜାତିସଂଘରେ ଭେନେଜୁଏଲାର ରାଷ୍ଟ୍ରଦୂତ ସାମୁଏଲ ମୋନକାଡ଼ା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କୁ ଭେଟି ଆମେରିକାର ସାମରିକ ମୁତୟନକୁ ବିରୋଧ କରିଛନ୍ତି। ମୋନକାଡ଼ା  ଗଣମାଧ୍ୟମକୁ କହିଛନ୍ତି, ‘କାଇନେଟିକ୍ ଆକ୍ସନ୍‌’କୁ ଯଥାର୍ଥ ପ୍ରମାଣିତ କରିବା ଉଦ୍ଦେଶ୍ୟରେ ଏହା ଏକ ବ୍ୟାପକ ପ୍ରଚାର ଅଭିଯାନ। ଭେନେଜୁଏଲା ଏକ ସାର୍ବଭୌମ ଓ ସ୍ୱାଧୀନ ଦେଶ ଏବଂ ଏହା ଅନ୍ୟ କୌଣସି ରାଷ୍ଟ୍ର ପାଇଁ ବିପଦ ସୃଷ୍ଟି କରେ ନାହିଁ। ନିଶା କାରବାର ବିରୋଧରେ ଲଢ଼ିବା ପାଇଁ ପରମାଣୁ ବୁଡ଼ାଜାହାଜ ପଠାଯାଇଛି ବୋଲି ଆମେରିକା ଯାହା କହୁଛି ତାହା ହାସ୍ୟାସ୍ପଦ ବୋଲି ସାମୁଏଲ କହିଛନ୍ତି। ଦକ୍ଷିଣ ଆମେରିକାର ଉପକୂଳରେ ଆମେରିକୀୟ ଯୁଦ୍ଧ ଜାହାଜ ମୁତୟନ କରାଯାଇଛି ବୋଲି ଆମେରିକା ନୌସେନା ମୁଖ୍ୟ ଆଡମିରାଲ ଡାରିଲ୍ କ୍ଲାଉଡ୍ ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭେନେଜୁଏଲାର କିଛି ନାଗରିକ ବଡ଼ଧରଣର ନିଶା କାରବାରରେ ସମ୍ପୃକ୍ତ। ଜଣେ ଆମେରିକୀୟ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ରଏଟର୍ସ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆମେରିକା ସାତଟି ଯୁଦ୍ଧ ଜାହାଜ ଏବଂ ଏକ ପରମାଣୁ ଶକ୍ତିସମ୍ପନ୍ନ ଦ୍ରୁତ ଆକ୍ରମଣକାରୀ ବୁଡ଼ାଜାହାଜ ଏହି ଅଞ୍ଚଳରେ ମୁତୟନ କରିଛି। ପ୍ରାୟ ୨୨୦୦ ସବ୍‌ମେରିନ୍‌ ସମେତ ୪,୫୦୦ରୁ ଅଧିକ ଆମେରିକୀୟ ସୈନିକ ମଧ୍ୟ ଯୁଦ୍ଧ ଜାହାଜରେ ମୁତୟନ ଅଛନ୍ତି। ଟ୍ରମ୍ପ ପ୍ରଶାସନ ମାଦୁରୋ ଏବଂ ତାଙ୍କ ସରକାରଙ୍କ ଅନ୍ୟ ସଦସ୍ୟଙ୍କ ବିରୋଧରେ କୋକେନ୍ ଚୋରା ଚାଲାଣ ଅଭିଯୋଗ ଆଣିବା ପରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଏହାର ଜବାବରେ ଭେନେଜୁଏଲା ମଧ୍ୟ ଏହାର ଉପକୂଳରେ ଯୁଦ୍ଧ ଜାହାଜ ଓ ଡ୍ରୋନ୍ ମୁତୟନ କରିଛି ଏବଂ ଆଭ୍ୟନ୍ତରୀଣ ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ହଜାର ହଜାର ମିଲିସିଆ ସଦସ୍ୟଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି।

ନିଶା ଦ୍ରବ୍ୟ ଚୋରା ଚାଲାଣ ଏବଂ ଅନ୍ୟ ଅପରାଧୀ ଗ୍ୟାଙ୍ଗକୁ ଦମନ କରିବା ପାଇଁ ଭେନେଜୁଏଲା କଲମ୍ବିଆ ସୀମାରେ ୧୫ ହଜାର ସୈନ୍ୟ ମୁତୟନ କରିଛି। ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍‌ ଅଶୋଧିତ ତୈଳ ଭଣ୍ଡାର ରହିଛି, ଯାହାର ଆନୁମାନିକ ମୂଲ୍ୟ ୩୦୦ ବିଲିୟନ୍‌ ବ୍ୟାରେଲରୁ ଅଧିକ। ଏହା ସାଉଦି ଆରବ, ରୁଷ୍‌ ଓ ଇରାନ ଭଳି ତୈଳ ଉତ୍ପାଦନକାରୀ ଦେଶର କ୍ଷମତାଠାରୁ ମଧ୍ୟ ଅଧିକ। ତେବେ ଆମେରିକାର କଟକଣା ଓ ଅର୍ଥନୈତିକ ସଙ୍କଟ ଯୋଗୁଁ ଗତ କିଛି ବର୍ଷ ମଧ୍ୟରେ ଭେନେଜୁଏଲାର ତୈଳ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗୋଟିଏ ସମୟରେ ଭାରତ ଓ ଚୀନ୍ ଭଳି ଦେଶ ଭେନେଜୁଏଲାରୁ ବିପୁଳ ପରିମାଣର ତୈଳ ଆମଦାନୀ କରୁଥିଲେ, କିନ୍ତୁ ଆମେରିକାର କଟକଣା ପରେ ଏହି ଯୋଗାଣ ପ୍ରାୟ ବନ୍ଦ ହୋଇଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe