Image Courtesy of NDTV
ନ୍ୟୁୟର୍କ: ଅଟକ ରଖିଥିବା ଆମେରିକୀୟ ସାମ୍ବାଦିକ ତଥା ସ୍ବାଧୀନ ଚଳଚ୍ଚିତ୍ର ନିର୍ମାତା ଆଇଭୋର୍ ଶିୟରର୍ ଏବଂ ଆଫଗାନୀ ପ୍ରଯୋଜକ ଫୈଜୁଲ୍ଲା ଫୈଜ୍ବାଖ୍ସ୍ଙ୍କୁ ତୁରନ୍ତ ମୁକ୍ତ କରିବା ସହ ସାମ୍ବାଦିକମାନଙ୍କୁ ଅଟକ ରଖିବା କାମ ବନ୍ଦ କରିବାଲାଗି ନ୍ୟୁୟର୍କର ‘କମିଟି ଟୁ ପ୍ରୋଟେକ୍ଟ୍ ଜର୍ଣ୍ଣାଲିଷ୍ଟ୍’ ତାଲିବାନ୍କୁ କହିଛି।
‘କମିଟି ଟୁ ପ୍ରୋଟେକ୍ଟ୍ ଜର୍ଣ୍ଣାଲିଷ୍ଟ୍’ କହିବା ଅନୁସାରେ, ଅଗଷ୍ଟ୧୭ ତାରିଖ ଦିନ ଶିୟରର୍ ଏବଂ ଫୈଜ୍ବାଖ୍ସ୍ କାବୁଲ ଅନ୍ତର୍ଗତ ଡିଷ୍ଟ୍ରକ୍ଟ୍ ୧୦ର ଶେର୍ପୁର୍ ଅଞ୍ଚଳରେ ଚଳଚ୍ଚିତ ଉତ୍ତୋଳନ କରୁଥିବା ବେଳେ କେତେକ ନିରାପତ୍ତା ରକ୍ଷୀ ସେମାନଙ୍କୁ ବାଧା ଦେଇଥିଲେ।
ସୂଚନାଯୋଗ୍ୟ, ଅଗଷ୍ଟ ପ୍ରାରମ୍ଭରେ ଶେର୍ପୁର୍ ଅଞ୍ଚଳରେ ଯୁକ୍ତରାଷ୍ଟ୍ର ଆମେରିକାର ଡ୍ରୋନ୍ ଆକ୍ରମଣରେ ଅଲ୍କାଏଦା ନେତା ଅୟମାନ୍ ଅଲ୍ ଜୱାହିରୀଙ୍କର ମୃତ୍ୟୁ ଘଟିଥିଲା।
Image Courtesy of Republic Worldଏହାଛଡ଼ା, ନିରାପତ୍ତା ରକ୍ଷୀମାନେ ୨ଜଣ ସାମ୍ବାଦିକଙ୍କୁ ସେମାନଙ୍କର କାର୍ଯ୍ୟକଳାପ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିବା ସହ ତାଙ୍କର କାର୍ଯ୍ୟାନୁମତି ପତ୍ର, ପରିଚୟ ପତ୍ର ଏବଂ ପାସ୍ପୋର୍ଟ ଆଦି ଯାଞ୍ଚ କରିଥିଲେ। ଏହା ପରେ ନିରାପତ୍ତା ରକ୍ଷୀମାନେ ସେମାନଙ୍କ ସେଲ୍ଫୋନ୍ ଜବତ କରି ସେମାନଙ୍କୁ କିଛି ସମୟ ଅଟକ ରଖିଥିଲେ ଓ ବାରମ୍ବାର ସେମାନଙ୍କୁ ‘ଆମେରିକୀୟ ଗୁପ୍ତଚର’ ବୋଲି କହୁଥିଲେ।
ଏହାପରେ ନିରାପତ୍ତା ଅଧିକାରୀମାନେ ତାଲିବାନ ଗୁଇନ୍ଦାଙ୍କୁ ଡାକିଥିଲେ। ପ୍ରାୟ ୫୦ଜଣ ସଶସ୍ତ୍ର ଗୁଇନ୍ଦା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶିୟରର୍ ଏବଂ ଫୈଜ୍ବାଖସ୍ଙ୍କୁ ଆଖିରେ ଅନ୍ଧପୁଟୁଳି ବାନ୍ଧି ଅଜ୍ଞାତ ସ୍ଥାନକୁ ନେଇଯାଇଥିଲେ।
ସୂଚନାଯୋଗ୍ୟ, ବିଗତ ୪୦ ବର୍ଷର ଆଫଗାନିସ୍ତାନ ଇତିହାସ ବିଷୟରେ ବୃତ୍ତଚିତ୍ର ପ୍ରସ୍ତୁତି କରିବା ଲାଗି ତାଲିବାନ୍ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରୁ କାର୍ଯ୍ୟାନୁମତି ହାସଲ କରିବା ପରେ ମାସିକିଆ ଭିସାରେ ଶିୟରର୍ ୨୦୨୨ ଫେବ୍ରୁଆରିରେ ଆଫଗାନିସ୍ତାନରେ ପହଞ୍ଚିଥିଲେ।
Follow Us