ଶାହଙ୍କ ଦେଶ ବିଭାଜନ ମନ୍ତବ୍ୟ, ସଂସଦରେ ହଙ୍ଗାମା

Advertisment

୧୩୨ରୁ ୯୩ ଥର କଂଗ୍ରେସ ଲଗାଇଛି ରାଷ୍ଟ୍ରପତି ଶାସନ, ଧାରା ୩୭୦ ସ୍ଥାୟୀ ନୁହେଁ

୧୩୨ରୁ ୯୩ ଥର କଂଗ୍ରେସ ଲଗାଇଛି ରାଷ୍ଟ୍ରପତି ଶାସନ, ଧାରା ୩୭୦ ସ୍ଥାୟୀ ନୁହେଁ

ଶାହଙ୍କ ଦେଶ ବିଭାଜନ ମନ୍ତବ୍ୟ, ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ଆଉ ୬ ମାସ ବୃଦ୍ଧି କରିବା ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହ ଆଜି ଲୋକସଭାରେ ଏକ ବିଲ୍ ଆଗତ କରିଛନ୍ତି। ବିଲ୍ ଆଗତ କରିବା ସହିତ ଗୃହମନ୍ତ୍ରୀ ଦେଶ ବିଭାଜନ ପାଇଁ ଦାୟୀ କିଏ ବୋଲି ମନ୍ତବ୍ୟ ଦେବାରୁ ଏହାକୁ ନେଇ ହଙ୍ଗାମା ହୋଇଛି। କଂଗ୍ରେସ ଦଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି। ବିଲ୍‌ଟି ଲୋକସଭାର ଅନୁମୋଦନ ଲାଭ କରିଥିଲେ ମଧ୍ୟ ବିତର୍କ ପରିସରକୁ ଦେଶ ବିଭାଜନ ଏବଂ ସମ୍ବିଧାନର ଧାରା ୩୫୬ର ବ୍ୟବହାର ଚାଲି ଆସିଥିଲା।

କଂଗ୍ରେସକୁ ଆକ୍ରମଣ କରି ଶାହ କହିଥିଲେ, ବିଜେପି ନୁହେଁ ବରଂ କଂ‌ଗ୍ରେସ ଧାରା ୩୫୬କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିଛି। କଶ୍ମୀରରେ କେନ୍ଦ୍ର ସରକାର ବିଶେଷ ପରିସ୍ଥିତିରେ ଏହି ଧାରାର ଉପଯୋଗ କରିଛନ୍ତି। କିନ୍ତୁ ଏହା ପୂର୍ବରୁ ଦେଶରେ ଧାରା ୩୫୬କୁ ୧୩୨ଥର ଉପଯୋଗ କରାଯାଇଛି। ୧୩୨ ଥରରୁ କଂଗ୍ରେସ ପାର୍ଟି ୯୩ ଥର ଏହି ଧାରାକୁ ପ୍ରୟୋଗ କରିଛି। ଆଲୋଚନାର ଉତ୍ତର ଦେଇ ଶାହ କହିଥିଲେ, କଂଗ୍ରେସ ସାଂସଦ ମନିଷ ତିୱାରୀ ଆଜି ଦେଶ ବଭାଜନ ନେଇ ପ୍ରଶ୍ନ ଉଠାଉଛନ୍ତି। ତେବେ ମୁଁ ତାଙ୍କୁ ଏହି ପ୍ରଶ୍ନ ପଚାରିବାକୁ ଚାହେଁ ଦେଶ ବିଭାଜନ ପାଇଁ ଦାୟୀ କିଏ? ଆଜି ଜମ୍ମୁ କଶ୍ମୀରର ଏକ ତୃତୀୟାଂଶ ଆମ ନିୟନ୍ତ୍ରଣରେ ନାହିଁ। ଏଥିପାଇଁ କିଏ ଦାୟୀ? ଭାରତର ସେନା ପାକିସ୍ତାନର ସେନାକୁ ଏକ କୋଣକୁ ଠେଲି ସାରିଥିବାବେଳେ ଜବାହାରଲାଲ ନେହରୁ ଯୁଦ୍ଧବିରତି ଘୋଷଣା କରିଥିଲେ। ବିତର୍କ ପରିସରକୁ ନେହରୁଙ୍କ ନାମ ଅଣାଯିବାରୁ କଂଗ୍ରେସ ଏହାର ଦୃଢ଼ ବିରୋଧ କରିଥିଲା। ଏହାପରେ ଶାହ କହିଥିଲେ ଯେଦି ଜଣେ ବ୍ୟକ୍ତିଙ୍କ ନାମ ନେବା ଦ୍ବାରା କାହାରିକୁ ଏଭଳି ଯନ୍ତ୍ରଣା ହେଉଛି ତାହେଲେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କହିବେ। କଂଗ୍ରେସ ଏମପି ତିୱାରୀ କହିଥିଲେ, ବିଜେପି ଏବଂ ପିଡିପି ମଧ୍ୟରେ ୨୦୧୫ରେ ଯେଉଁ ମେଣ୍ଟ ହୋଇଛି ତାହା ସଙ୍ଗତିଶୀଳ ନଥିବାରୁ ଏପରି ସ୍ଥିତି ସେଠାରେ ସୃଷ୍ଟି ହୋଇଛି। ତେବେ ଶାହ କହିଛନ୍ତି, ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ବର୍ଷ ଶେଷ ସୁଦ୍ଧା କରାଯିବ। ସମ୍ବିଧାନର ୩୭୦ ଧାରା ଅନୁଯାୟୀ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦିଆଯାଇଛି। ତେଣୁ ଅନ୍ୟ ରାଜ୍ୟ ଭଳି ଜମ୍ମୁ କଶ୍ମୀରକୁ ବିବେଚନା କରାଯାଇ ପାରିବ ନାହିଁ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଥିଲା। ଉତ୍ତରରେ ଶାହ କହିଥିଲେ, ଧାରା ୩୭୦ ସ୍ଥାୟୀ ନୁହେଁ, ଏହା ଅସ୍ଥାୟୀ । ଗୃହମନ୍ତ୍ରୀଙ୍କ ମନ୍ତବ୍ୟରୁ ଆଗାମୀ ଦିନରେ ଧାରା ୩୭୦କୁ ଉଚ୍ଛେଦ ନେଇ ଦୃଢ଼ ସଙ୍କେତ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe