ଶପଥ ଗ୍ରହଣର ଦିନକ ପୂର୍ବରୁ ମୋଦି ଓ ଶାହାଙ୍କ ମଧ୍ୟରେ ଦୀର୍ଘ ୪ ଘଣ୍ଟାର କବାଟକିଳା ଆଲୋଚନାକୁ ନେଇ ଦେଶର ରାଜନୀତି ସରଗରମ

Advertisment
ଶପଥ ଗ୍ରହଣର ଦିନକ ପୂର୍ବରୁ ମୋଦି ଓ ଶାହାଙ୍କ ମଧ୍ୟରେ ଦୀର୍ଘ ୪ ଘଣ୍ଟାର କବାଟକିଳା ଆଲୋଚନାକୁ ନେଇ ଦେଶର ରାଜନୀତି ସରଗରମ

Zee News India

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଆସନ୍ତା କାଲି (ଗୁରୁବାର) ଶପଥ ଗ୍ରହଣ କରିବାକୁ ଥିବାବେଳେ ଦିନକ ପୂର୍ବରୁ ଆଜି (ବୁଧବାର) ଅପରାହ୍ଣରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମୋଦିଙ୍କୁ ଭେଟି ଦୀର୍ଘ ୪ ଘଣ୍ଟାକାଳ କବାଟକିଳା ଆଲୋଚନା କରିବା ଘଟଣା ରାଜଧାନୀ ଦିଲ୍ଲୀର ରାଜନୀତି ପାଣିପାଗକୁ ସରଗରମ କରିଦେଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ମୋଦିଙ୍କ ସରକାରୀ ନିବାସ ୭ ଲୋକ କଲ୍ୟାଣ ମାର୍ଗରେ ବିଜେପିର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ହୋଇଥିବା ଦୀର୍ଘ କବାଟକିଳା ଆଳୋଚନା କାଳରେ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶପଥ ନେବାକୁ ଥିବା ମନ୍ତ୍ରିମଣ୍ଡଳର ତାଲିକାକୁ ଚୂଡ଼ାନ୍ତ କରାଯିବା ସହ ଏଥିରେ ଶେଷ ସ୍ପର୍ଶ ଦିଆଯାଇଛି। ମନ୍ତ୍ରିମଣ୍ଡଳରେ କାହା କାହାକୁ ଗ୍ରହଣ କରାଯିବ ଓ କାହାକୁ କେଉଁ ବିଭାଗ ପ୍ରଦାନ କରାଯିବ, ତାହାକୁ ମଧ୍ୟ ଆଜିର ଆଲୋଚନା କାଳରେ ଚୂଡ଼ାନ୍ତ କରିଛନ୍ତି ଏହି ଦୁଇ ନେତା।

publive-image Zee News India

ଏକ ବିଶ୍ୱସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟକୁ ଯଦି ବିଶ୍ୱାସକୁ ନିଆଯାଏ ତେବେ ମୋଦିଙ୍କ ନୂତନ ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଓ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏପରିକି ନୂଆ ମନ୍ତ୍ରିମଣ୍ଡଳରେ ଅତିକମ୍‌ରେ ୩୫ ପ୍ରତିଶତ ନୂଆ ଚେହେରାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ମୋଦିଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱ ତୁଲାଇଥିବା ଅରୁଣ ଜେଟଲି ନିଜର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମୋଦିଙ୍କ ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ ନାହିଁ ବୋଲି ଲଖିତ ଆକାରରେ ଜଣାଇ ଦେବା ପରେ ମୋଦିଙ୍କ ନୂତନ ମନ୍ତ୍ରିମଣ୍ଡଳରେ ଏଥର ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ମୁଣ୍ଡାଇବେ ଅମିତ ଶାହା। ଏସଂପର୍କରେ ମଧ୍ୟ ମୋଦି ଶାହାଙ୍କ ସହ ଆଲୋଚନା କରିଛନ୍ତି।

ଏସବୁ ବାଦ୍‌ ଏହି କବାଟକିଳା ଆଲୋଚନା କାଳରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆ ଯାଇଛି, ତାହା ହେଉଛି ମୋଦିଙ୍କ ନୂତନ ମନ୍ତ୍ରିମଣ୍ଡଳରେ କେଉଁ ରାଜ୍ୟରୁ କେତେ ସଂଖ୍ୟକ ଓ କାହାକୁ ସ୍ଥାନ ଦିଆଯିବ। ଏଥିସହ ଏନ୍‌ଡିଏର ସହଯୋଗୀ ଥିବା ଶିବସେନା ଓ ଜେଡିୟୁକୁ କେତେ ସଂଖ୍ୟକ ମନ୍ତ୍ରିପଦ ମିଳିବ। ଆଲୋଚନା କାଳରେ ଉଭୟ ସହଯୋଗୀ ଦଳଙ୍କୁ ଦୁଇଟି ଲେଖାଏଁ ମନ୍ତ୍ରିପଦ ଦେବାଲାଗି ନିଷ୍ପତ୍ତି ହୋଇଛି। ସେହିପରି ଅନ୍ୟତମ ସହଯୋଗୀ ଏଲ୍‌ଜିପି ଓ ଆପ୍‌ନା ଦଳକୁ ମଧ୍ୟ ଗୋଟାଏ ଲେଖାଏଁ ମନ୍ତ୍ରିପଦ ଦେବାଲାଗି ଏହି କବାଟକିଳା ଆଲୋଚନା କାଳରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିବା ଏହି ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe