ଶ୍ରୀନଗର: ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ଗୁଳିମାଡରେ ଜାମ୍ମୁକାଶ୍ମୀରର ସାଧାରଣ ନାଗରିକ ପ୍ରଭାବିତ ଘଟଣା । ପାକିସ୍ତାନର ଗୁଳିମାଡ଼ ପ୍ରଭାବିତ ହୋଇଥିବା ଲୋକଙ୍କୁ ମିଳିଲା ଚାକିରି । ଯେଉଁମାନେ ପାକିସ୍ତାନର ଅନ୍ଧାଧୁନ ଗୁଳିମାଡ ଏବଂ ଡ୍ରୋନ୍ ଆକ୍ରମଣରେ ଗତ ମେ ୭ ତାରିଖର ୧୦ ତାରିଖ ଭିତରେ ପ୍ରାଣ ହରାଇଛନ୍ତି ଏବଂ ଗୁରୁତର ଆହତ ହୋଇଛନ୍ତି କିମ୍ବା ସେମାନେ ବହୁ ମାତ୍ରାରେ କ୍ଷତି ସହି ପ୍ରଭାବିତ ହୋଇଛନ୍ତି... ମୃତକଙ୍କ ପରିବାର ସମେତ ସମସ୍ତ ପ୍ରଭାବିତଙ୍କୁ ସରକାରୀ ଚାକିରି ଦିଆଯାଇଛି । ପୁଞ୍ଚ ଗସ୍ତ ବେଳେ ଏହି ନିଯୁକ୍ତି ପତ୍ର ବାଣ୍ଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନିଯୁକ୍ତି ପତ୍ର ବାଣ୍ଟିବା ପରେ ଶାହ କହିଛନ୍ତି

Advertisment

ଏହି ପତ୍ର ହୁଏତ ଆପଣଙ୍କ ପରିବାରର ବିରାଟ କ୍ଷତିକୁ ଭରଣ କରିନପାରେ କିନ୍ତୁ କେନ୍ଦ୍ର ସରକାର ଏବଂ ଜାମ୍ମୁକାଶ୍ମୀର ସରକାର ଆପଣଙ୍କ ସହ ସବୁବେଳେ ଅଛନ୍ତି ।

ତେବେ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପୁଞ୍ଚ ଗସ୍ତ କରି ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ପ୍ରଭାବିତଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପାକିସ୍ତାନ ଏ ବର୍ବରକାଣ୍ଡ କଥା ମନେପକାଇ ପୁଣି ପୁଞ୍ଚରୁ ବର୍ଷିଲେ ଶାହ । କହିଲେ- ପାକିସ୍ତାନକୁ ଅପରେସନ୍ ସିନ୍ଦୂର ଜରିଆରେ ଉଚିତ ଜବାବ ଦିଆଯାଇଛି । ଆମେ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କଲୁ ହେଲେ ପାକିସ୍ତାନ ସାଧାରଣ ନାଗରିକ ଏବଂ ମନ୍ଦିରକୁ ଟାର୍ଗେଟ୍ କଲା । ଭାରତ କୌଣସି ପ୍ରକାର ଆକ୍ରମଣକୁ ବରଦାସ୍ତ କରିବନି । ପାକିସ୍ତାନରେ ଆତଙ୍କୀଙ୍କ ମୁଖ୍ଯାଳୟକୁ ଆମ ସେନା ଧ୍ବଂସ କରିଛନ୍ତି । ୧୦୦ରୁ ଅଧିକ ଆତଙ୍କୀ ଆକ୍ରମଣରେ ନିପାତ ହୋଇଛନ୍ତି । 

ଆମେ ଆତଙ୍କୀଙ୍କୁ ମାରିଲୁ ହେଲେ ପାକିସ୍ତାନ ଲୋକଙ୍କୁ ମାରି ଜଣାଇଦେଲା କି ସେ ଆତଙ୍କବାଦୀଙ୍କୁ ପୋଷୁଛି ବୋଲି । ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଜାମ୍ମୁକାଶ୍ମୀ ଏବଂ ପୁଞ୍ଚ ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି । ପାକିସ୍ତାନକୁ ତା କଲା କର୍ମର ଫଳ ମିଳିଛି । ଭାରତୀୟ ସଶସ୍ତ୍ର ବଳ ପାକିସ୍ତାନ ଏୟାର ବେସକୁ ଧ୍ବଂସ କରିଦେଇଛନ୍ତି ଯାହା ଫଳରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଧାଇଁ ଆସିଲା ।

ତେବେ ଜାମ୍ମୁକାଶ୍ମୀରର ବିକାଶ କଥା କହି ହିଂସାକାରୀଙ୍କୁ ଟାର୍ଗେଟ୍ କରିଛନ୍ତି ଶାହ । କହିଛନ୍ତି କୌଣସି ବି ପରିସ୍ଥିତିରେ ଜାମ୍ମୁକାଶ୍ମୀରର ବିକାଶ ଅଟକିବନି । ୨୦୧୪ ପରେ ଯେଉଁ ବିକାଶର ଧାରା ଚାଲି ଆସୁଛି ତାହା ସେମିତି ଜାରି ରହିବ । ସୀମାନ୍ତ ଅଞ୍ଚଳରେ ୯୫୦୦ରୁ ଅଧିକ ବଙ୍କର ନିର୍ମାଣ କରାଯାଇଥିଲା ଏବଂ ଏହି ବଙ୍କରଗୁଡ଼ିକ ଲୋକଙ୍କ ଜୀବନ ସୁରକ୍ଷାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଆଗାମୀ ଦିନରେ ଯେକୌଣସି ସମସ୍ୟା ଆସିଲେ ସେହି ସମୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଏହିପରି ଆହୁରି ବଙ୍କର ନିର୍ମାଣ କରିବେ ବୋଲି କହିଛନ୍ତି ଶାହ । 

ଅଧିକ ପଢନ୍ତୁ-

କଥା ଦେଇଥିଲି କଥା ରଖି ଆସିଛି... ବିହାରରୁ ଆତଙ୍କୀଙ୍କୁ ଖୋଜି ଖୋଜି ମାଟିରେ ମିଶାଇବାକୁ ଚେତାବଦୀ ଦେଇଥିଲେ ମୋଦୀ