Image Courtesy of India Today
ହାଇଦ୍ରାବାଦ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ରବିବାର ଦିନ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକର ପ୍ରଥମ ଦିନରେ ଆମେ ଅର୍ଥନୈତିକ ସଂକଳ୍ପ ଉପରେ ଆଲୋଚନା କରିଥିଲୁ। ଆଜି ଦ୍ୱିତୀୟ ଦିନରେ ରାଜନୈତିକ ସଂକଳ୍ପ ଉପରେ ଆଲୋଚନା କରାଯାଇଛି । ସେହିପରି ସରମା କହିଛନ୍ତି, "ଗୁଜରାଟ ଦଙ୍ଗା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଐତିହାସିକ ବୋଲି ଶାହା କହିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ସମସ୍ତ ଅଭିଯୋଗ ମିଥ୍ୟା ବୋଲି କୁହାଯାଇଛି ଏବଂ କୋର୍ଟ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।
ଶାହା କହିଛନ୍ତି ଯେ କଂଗ୍ରେସ ଦଳରେ କିଛି କର୍ମୀ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସଂଗ୍ରାମ କରୁଛନ୍ତି, କିନ୍ତୁ ଭୟଭୀତ ହୋଇ ଦଳର ଅଧ୍ୟକ୍ଷ ଚୟନ କରୁନାହାଁନ୍ତି। କଂଗ୍ରେସରେ 'ମୋଦୀ ଫୋବିଆ' ରହିଛି। ସେମାନେ ଜାତୀୟ ସ୍ୱାର୍ଥରେ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।
ଶାହା ଏହା ମଧ୍ୟ କହିଛନ୍ତି ଯେ ଆସନ୍ତା ୩୦ ରୁ ୪୦ ବର୍ଷ ବିଜେପିର ହେବ ଏବଂ ଭାରତ 'ବିଶ୍ୱଗୁରୁ' ହେବ। ଶାହା କହିଛନ୍ତି ଯେ ଆଜି କଂଗ୍ରେସ ହତାଶ ଓ ନିରାଶାରେ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ କଲ୍ୟାଣକାରୀ ଯୋଜନାକୁ ବିରୋଧ କରୁଛି | ସର୍ଜିକାଲ ଷ୍ଟ୍ରାଇକ୍ ହେଉ କିମ୍ବା ଏୟାର ଷ୍ଟ୍ରାଇକ୍ ହେଉ, କାଶ୍ମୀରରୁ ଧାରା ୩୭୦ ରଦ୍ଦ ହେଉ କିମ୍ବା କରୋନାଭାଇରସ୍ ଟିକାକରଣ ପ୍ରସଙ୍ଗକୁ କଂଗ୍ରେସ ବିରୋଧ କରୁଛି |
Follow Us