ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର କହିଛନ୍ତି, ଦିଲ୍ଲୀ ବୋମା ବିସ୍ଫୋରଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଅତି କଠୋର ଦଣ୍ଡ ମିଳିବ। ଶାହ କହିଛନ୍ତି, ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯାହା ବିଶ୍ବକୁ ଏକ କଡ଼ା ବାର୍ତ୍ତା ଦେବ ଏବଂ କେହି ଆଉ ଭାରତ ଉପରେ ଆକ୍ରମଣ କରିବାକୁ ସାହସ କରିବେନାହିଁ। ଗୁଜରାଟର ମେହସନା ଜିଲ୍ଲାରେ ଶ୍ରୀ ମୋତିଭାଇ ଆର୍ ଚୌଧାରୀ ସାଗର ସୈନିକ ସ୍କୁଲ୍ ଏବଂ ସାଗର ଅର୍ଗାନିକ ପ୍ଲାଣ୍ଟ୍ର ଉଦ୍ଘାଟନୀ ଉତ୍ସବରେ ଏକ ଭିଡିଓ ଲିଙ୍କ ଦ୍ବାରା ଶାହ ଏହି ଟିପ୍ପଣୀ ଦେଇଛନ୍ତି।
ଶାହ କହିଛନ୍ତି, ଯେଉଁମାନେ ଏହି ଭୀରୁତାପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ଏବଂ ଯେଉଁମାନଙ୍କର ଏହି ଆକ୍ରମଣ ପଛରେ ହାତ ଅଛି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଭାରତ ସରକାର ଏବଂ ଗୃହ ମନ୍ତ୍ରାଳୟ ଏହା ଦୃଢ଼ ନିଶ୍ଚିତ କରୁଛନ୍ତି। ଶାହ ମଧ୍ୟ ନଭେମ୍ବର ୧୦ ତାରିଖ ଲାଲକିଲ୍ଲା ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଶାହ କହିଛନ୍ତି, ଏହି ଘୃଣ୍ୟ ଆତଙ୍କବାଦୀ କାଣ୍ଡ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କଠୋର ଦଣ୍ଡ ମିଳିବା ନେଇ ପ୍ରଧାନମନ୍ତ୍ରୀ ଯେଉଁ ଦୃଢ଼ ସଙ୍କଳ୍ପ ନେଇଛନ୍ତି ତାହା ନିଶ୍ଚିତ ଭାବେ ପୂରଣ ହେବ। ଏହି ଅବସରରେ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଭାରତ ଏବେ ଆତଙ୍କବାଦ ବିରୋଧରେ ଯେଉଁ ଲଢ଼େଇ ଜାରି ରଖିଛି, ତାହାକୁ ଗତ ୧୧ ବର୍ଷ ଧରି ବୈଶ୍ବିକ ସ୍ବୀକୃତି ମିଳିଛି। ଶାହ ଆଜି ଦିଲ୍ଲୀ ବିସ୍ଫୋରଣ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଏନ୍ଏସ୍ଏ ଅଜିତ ଡୋଭାଲ ଏବଂ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ଉପସ୍ଥିତ ଥିଲେ।
Follow Us