Image Courtesy of India Today
ମୁମ୍ବାଇ: ନମୁନା ନେଗେଟିଭ୍ ଆସିବା ପରେ ରବିବାର ଦିନ ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲ୍ରୁ ବିଦାୟ ଦିଆଯାଇଛି। ‘ବିଗ୍ ବି’ଙ୍କ ପୁତ୍ର ଅଭିଷେକ ବଚ୍ଚନ ଏ ଖବର ଟୁଇଟର୍ରେ ସେୟାର୍ କରି ଲେଖିଛନ୍ତି, ଆଶ୍ବସ୍ତିର କଥା, ସଦ୍ୟତମ କୋଭିଡ୍-୧୯ ପରୀକ୍ଷାରେ ମୋ ବାପା ନେଗେଟିଭ୍ ଆସିଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରୁ ବିଦା କରାଯାଇଛି। ସମ୍ପ୍ରତି ସେ ଘରେ ଅବସ୍ଥାନ କରି ବିଶ୍ରାମ ନେବେ। ତାଙ୍କ ପାଇଁ ପ୍ରାର୍ଥନା ଓ ଶୁଭେଚ୍ଛା ଜ୍ଞାପନ କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।
ନିଜେ ଅମିତାଭ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି, କୋଭିଡ୍ ବିଯୁକ୍ତ ହୋଇ ଡାକ୍ତରଖାନାରୁ ବିଦା ହେଲି। ଘରେ ନିର୍ଜନ ଏକାନ୍ତବାସରେ ରହିଛି। ସର୍ବଶକ୍ତିମାନଙ୍କ କରୁଣା, ବାପାମାଆଙ୍କ ଆଶିଷ, ଆତ୍ମୀୟ, ବନ୍ଧୁପରିଜନ ଓ ପ୍ରଶଂସକଙ୍କ ପ୍ରାର୍ଥନା ଏବଂ ନାନାବତୀର ଚମତ୍କାର ତତ୍ତ୍ବାବଧାନ ଓ ସେବା ଯୋଗୁଁ ମୁଁ ସୁସ୍ଥ ହେଲି।
Image Courtesy of HTଜୁଲାଇ ୧୧ ତାରିଖ ଦିନ ଅମିତାଭ ଓ ଅଭିଷେକ ବଚ୍ଚନ କରୋନାଭାଇରସ୍ ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା। ଦିନକ ପରେ ବୋହୂ ଐଶ୍ବର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଆସିଥିଲେ। ଉଭୟଙ୍କୁ ଜୁଲାଇ୧୭ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁହେଁ ଜୁଲାଇ ୨୭ ତାରିଖ ଦିନ ଡାକ୍ତରଖାନାରୁ ବାହାରିଥିଲେ।
କିନ୍ତୁ, ଅମିତାଭଙ୍କ ପତ୍ନୀ ଜୟାଙ୍କ ନମୁନା ନେଗେଟିଭ୍ ଆସିଥିଲା।
ପୂର୍ବରୁ ଟୁଇଟ୍ରେ ଅମିତାଭ ଲେଖିଥିଲେ, ଦୁର୍ଯୋଗକୁ ଅନ୍ୟ କେତେକ ଶାରୀରିକ ଅସୁବିଧା ଯୋଗୁଁ କୋଭିଡ୍-୧୯ ପଜିଟିଭ୍ ହୋଇ ଓ ଡାକ୍ତରଖାନାରେ ରହିଛି। ମୋ ପରିବାର ଲାଗି ଆପଣମାନଙ୍କ ନିରନ୍ତର ଶୁଭେଚ୍ଛା ଏବଂ ପ୍ରାର୍ଥନା ଲାଗି ପୁଣି ଥରେ ଧନ୍ୟବାଦ। ଆପଣଙ୍କ ନିକଟରେ କୃତଜ୍ଞ ଓ ଋଣୀ। ମୁଁ ଜିଣିବି ଓ ସୁସ୍ଥ ହୋଇଯିବି! କଥା ଦେଉଛି।
Follow Us