ବନ୍ଧୁ ସାଜିଲା ହତ୍ୟାକାରୀ: ଉମେଶ ଫରୱାର୍ଡ କରିଥିବା ପୋଷ୍ଟକୁ ଭାଇରାଲ କରି ହତ୍ୟାର ଷଡ଼ଯନ୍ତ୍ର କରିଥିଲା ୟୁସୁଫ

Advertisment
ବନ୍ଧୁ ସାଜିଲା ହତ୍ୟାକାରୀ: ଉମେଶ ଫରୱାର୍ଡ କରିଥିବା ପୋଷ୍ଟକୁ ଭାଇରାଲ କରି ହତ୍ୟାର ଷଡ଼ଯନ୍ତ୍ର କରିଥିଲା ୟୁସୁଫ

ମୁମ୍ବାଇ: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରୁଥିବା ପୋଷ୍ଟ ଫରୱାର୍ଡ କରିଥିବ‌ାରୁ ଜୁନ୍‌ ୨୧ ତାରିଖରେ ମହାରାଷ୍ଟ୍ରର ଅମରାବତୀରେ ଜଣେ ଔଷଧ ଦୋକାନୀଙ୍କୁ ହତ୍ୟା କରାଯାଇଥିଲା। ଏବେ ଏହାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଥିବା ବେଳେ ଏହି ଘଟଣାକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ମୃତକ ଉମେଶ କୋଲହେଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ୬ଜଣଙ୍କ ମଧ୍ୟରୁ ଜଣେ ଉମେଶଙ୍କ ଅତି ନିବିଡ ବନ୍ଧୁ ଥିଲେ ବୋଲି ଜଣାପଡ଼ିଛି।

ଗିରଫ ହୋଇଥିବା ଅଭିଯୁକ୍ତ ୟୁସୁଫ ଖାନ୍ ଉମେଶଙ୍କ ଭଲ ବନ୍ଧୁ ଥିଲେ ବୋଲି କହିଛନ୍ତି ଉମେଶଙ୍କ ଭାଇ। ଏମିତି କି ୟୁସୁଫ ଉମେଶଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ବୋଲି ଉମେଶଙ୍କ ଭାଇ ଜଣାଇଛନ୍ତି। ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ ମୁତାବକ, ଗୋଟିଏ ହ୍ବାଟସ୍ ଆପ୍ ଗ୍ରୁପରେ ଅନ୍ୟ ସଦସ୍ୟଙ୍କ ବ୍ୟତୀତ ଉମେଶ କୋଲହେ ଏବଂ ୟୁସୁଫ ଥିଲେ। ନୂପୁର ଶର୍ମାଙ୍କୁ ସମର୍ଥନ କରାଯାଇଥିବା କିଛି ପୋଷ୍ଟକୁ ଉମେଶ ଏହି ଗ୍ରୁପରେ ଫରୱାର୍ଡ କରିଥିଲେ। ଉମେଶ ନିଜେ କିଛି ଲେଖିନଥିବା ସହ ଖାଲି ପୋଷ୍ଟକୁ ‌ଗ୍ରୁପରେ ଫରୱାର୍ଡ କରିଥିବା ଜାଣି ବି ସାଙ୍ଗରୁ ଶତ୍ରୁ ପାଲଟି ଯାଇଥିଲା ୟୁସୁଫ। ଉମେଶ ସେୟାର କରିଥିବା ପୋଷ୍ଟର ସ୍କ୍ରିନସଟ ନେଇ ୟୁସୁଫ ଖାନ ଏହାକୁ ବିଭିନ୍ନ ହ୍ବାଟସଆପ ଗ୍ରୁପରେ ଭାଇରାଲ କରିଥିଲା। ଏହା ପରେ ହିଁ ଉମେଶଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା।

ପୋଷ୍ଟ ଭାଇରାଲ ପରେ ଉମେଶ କୋଲହେଙ୍କ ହତ୍ୟାକାଣ୍ଡ ପାଇଁ ମାଷ୍ଟରମାଇଣ୍ଡ ଇରଫାନ ଶେଖ ଦୁଇଟି ଦଳ ଗଠନ କରିଥିଲା। ଦୋକାନ ସମ୍ମୁଖରେ ରହି ଉମେଶଙ୍କ ଗତିବିଧି ଯାଞ୍ଚ କରିବା ପାଇଁ ଗୋଟିଏ ଟିମ୍ ଗଠନ କରାଯାଇଥିବା ବେଳେ ଅନ୍ୟ ଟିମ ତାଙ୍କୁ ହତ୍ୟା କରିବା ପାଇଁ ବାଟରେ ଜଗି ବସିଥିଲା। ଜୁନ୍‌ ୨୧ ତାରିଖ ରାତି ୧୦ଟାରୁ ୧୦.୩୦ ମଧ୍ୟରେ କୋହ୍ଲେ ଦୋକାନ ବନ୍ଦ କରି ଦୁଇଚକିଆ ଯାନ‌ ଚଳାଇ ଘରକୁ ଫେରୁଥିବା ବେଳେ ଘଟଣାଟି ଘଟିଥିଲା। ତାଙ୍କ ସହିତ ଅନ୍ୟ ଗୋଟାଏ ଗାଡ଼ିରେ ୨୭ ବର୍ଷିୟ ପୁଅ ସଙ୍କେତ ଏବଂ ପତ୍ନୀ ବୈଷ୍ଣବୀ ମଧ୍ୟ ଯାଉଥିଲେ। ସେମାନେ ସମସ୍ତେ ମହିଳା ମହାବିଦ୍ୟାଳୟ ଫାଟକ ନିକଟରେ ପହଞ୍ଚିବା ପରେ ପଛରୁ ଦୁଇଜଣ ମୋଟର୍‌ସାଇକେଲ୍‌ ଆରୋହୀ ଆସି କୋହ୍ଲେଙ୍କ ପଥ ଅବରୋଧ କଲେ। ଜଣେ ଯୁବକ ମୋଟର୍‌ସାଇକେଲ୍‌ରୁ ଓହ୍ଲାଇ ଗୋଟାଏ ଧାରୁଆ ଅସ୍ତ୍ରରେ କୋହ୍ଲେଙ୍କ ବେକକୁ ଭୁସି ଘଟଣାସ୍ଥଳରୁ ଚାଲିଯାଇଥିଲେ। ରକ୍ତ ଜୁଡୁବୁଡୁ ହୋଇ କୋହ୍ଲେ ରାସ୍ତାରେ ପଡ଼ିଗଲେ। ତୁରନ୍ତ ସଙ୍କେତ ତାଙ୍କୁ ଡାକ୍ତରଖାନାକୁ ନେଇଗଲେ। କିନ୍ତୁ, ସେଠ‌ାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe