Image Courtesy of India Today
ନୂଆଦିଲ୍ଲୀ: ଆଜି ଗୁଜରାଟରେ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ଅନ୍ଲାଇନ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବବିହ୍ବଳ ହେବା ସହ ଡାକ୍ତରାଣୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ଜଣେ ଝିଅକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ, ଗୁଜରାଟର ଭରୁଚ୍ରେ ଆୟୋଜିତ ‘ଉତ୍କର୍ଷ ସମାରୋହ’ରେ ଯୋଗ ଦେଇଥିବା ଆୟୁବ ପଟେଲ୍ ନାମରେ ଜଣେ ହିତାଧିକାରୀ ତାଙ୍କ ଝିଅର ଡାକ୍ତର ହେବା ଅଭିଳାଷ ବିଷୟରେ କହିଥିଲେ। ତାଙ୍କ ଅଭିଳାଷ ଚରିତାର୍ଥ କରିବା ଲାଗି ସାହାଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଭାବବିହ୍ବଳ ହୋଇ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଚାରିଥିଲେ, ଝିଅମାନଙ୍କର ଅଭିଳାଷ ପୂରଣ ପାଇଁ କୌଣସି ପ୍ରକାରର ସାହାଯ୍ୟ ଆବଶ୍ୟକ କରୁଥିଲେ ମତେ ଜଣାନ୍ତୁ।
Image Courtesy of NDTVଉଲ୍ଲେଖଯୋଗ୍ୟ, ଗରିବମାନଙ୍କୁ ଠିକଣା ସମୟରେ ଆର୍ଥିକ ସହାୟତା ଦେବା ପାଇଁ ଥିବା ସରକାରଙ୍କର ୪ଟି ପ୍ରମୁଖ ଯୋଜନା ଭରୁଚ ଜିଲ୍ଲାରେ ୧୦୦% ସଫଳ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସୂଚନାର ଅଭାବ ହେତୁ ସରକାରୀ ଯୋଜନା ସବୁ କାର୍ଯ୍ୟକାରୀ ହୋଇ ପାରୁନାହିଁ ଅଥବା ଲୋକେ ତାହାଦ୍ବାରା ଉପକୃତ ହୋଇ ପାରୁ ନାହାନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଜାନୁଆରି ୧ରୁ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ କର୍ତ୍ତୃପକ୍ଷମାନେ ‘ଉତ୍କର୍ଷ ଉପକ୍ରମ’ ନାମରେ ସ୍ବତନ୍ତ୍ର ଅଭିଯାନ ଚଳାଇଥିଲେ। ବିଧବା, ବୟୋବୃଦ୍ଧ ଏବଂ ଗରିବମାନଙ୍କ କ୍ଷେତ୍ରରେ ଯୋଜନାଗୁଡ଼ିକ ପୂର୍ଣ୍ଣମାତ୍ରାରେ ଲାଗୁ କରିବା ଥିଲା ଉକ୍ତ ଅଭିଯାନର ଉଦ୍ଦେଶ୍ୟ।
ଏହି ଅଭିଯାନରେ ୪ଟି ଯୋଜନା ନିମନ୍ତେ ଜିଲ୍ଲା ପ୍ରଶାସନ ସମୁଦାୟ ୧୨,୮୫୪ଜଣ ହିତାଧିକାରୀଙ୍କୁ ଚିହ୍ନଟ କରିଛି।
Follow Us