ଏକ ପୂରା ସ୍ପାନିସ୍ ଗାଁ ୨.୧ କୋଟିରେ ବିକ୍ରି ହେବ

Advertisment
ଏକ ପୂରା ସ୍ପାନିସ୍ ଗାଁ ୨.୧ କୋଟିରେ ବିକ୍ରି ହେବ

NDTV.com

ମାଦ୍ରିଦ: ଅଧିକାଂଶ ଲୋକ ଗୋଟିଏ ଘର ବା ବଙ୍ଗଳା କ୍ରୟ କରିବାକୁ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ପୂରା ଗାଁ ଖରିଦ କରିବାକୁ କେ‌ହି କେବେ ସ୍ବପ୍ନ ଦେଖିଥାନ୍ତି କି? କିନ୍ତୁ ଏବେ ଗୋଟିଏ କୌତୂହଳଜନକ ଖବର ନଜରକୁ ଆସିଛି। ସ୍ପେନର ଏକ ଗାଁ, ଯେଉଁଠି ୩୦ ବର୍ଷ ହେଲା କେହି ବସବାସ କରୁନାହାନ୍ତି, ତାହା ଏବେ ୨୨୭,୦୦୦ ୟୁରୋ (୨,୧୬,୮୭,୮୩୧ ଟଙ୍କା)ରେ ବିକ୍ରି ହେବାକୁ ଯାଉଛି। ସ୍ପେନର ଜାମୋରା ପ୍ରଦେଶର ପର୍ତ୍ତୁଗାଲ ସୀମାନ୍ତରେ ଏହି ‘ସାଲଟୋ ଡି କାଷ୍ଟ୍ରୋ’ ନାମକ ଗାଁଟି ଅବସ୍ଥିତ। ମାଦ୍ରିଦରୁ ଏହା ସାଢ଼େ ୩ ଘଣ୍ଟାର ରାସ୍ତା। ଏହି ଗାଁରେ ଅଛି ଅନଧ୍ୟୁଷିତ ୪୪ଟି ଘର, ଗୋଟିଏ ହୋଟେଲ, ଗୋଟିଏ ଚର୍ଚ୍ଚ, ଗୋଟିଏ ସ୍କୁଲ, ଗୋଟିଏ ପୌର ସନ୍ତରଣ ପୁଷ୍କରିଣୀ ଏବଂ ଜଗୁଆଳୀଙ୍କ ରହିବା ପାଇଁ ଗୋଟିଏ ବାରାକ।

୨୦୦୦ ମସିହାରେ ଗାଁଟିକୁ ଜଣେ ଲୋକ କିଣିଥିଲେ। ଏହାକୁ ଏକ ସୁନ୍ଦର ପର୍ଯ୍ୟଟନ କେନ୍ଦ୍ର ବନାଇବା ତାଙ୍କର ଲକ୍ଷ୍ୟ ଥିଲା। କିନ୍ତୁ ୟୁରୋଜୋନ ସଂକଟ (ୟୁରୋପୀୟ ଦେଶରେ ଲାଗିରହିଥିବା ଆର୍ଥିକ ସଂକଟ) ତାଙ୍କୁ ଏଥିରେ ସଫଳ ହେବାକୁ ଦେଇ ନ ଥିଲା। ମାଲିକଙ୍କ ତରଫରୁ କାମ କରୁଥିବା ରୟାଲ ଇନ୍‌ଭେଷ୍ଟ କମ୍ପାନିର ଜଣେ କର୍ମଚାରୀ ରୋନି ରଡ୍ରିଗେଜ କହିଛନ୍ତି ସ୍ପାନିସ୍ ସମ୍ପତ୍ତି କ୍ରୟବିକ୍ରୟ ୱେବ୍‌ସାଇଟ୍‌ ‘ଆଇଡିଆଲିଷ୍ଟା’ରେ ଏହି ଗାଁ ବିକ୍ରି ବିଷୟରେ ସୂଚନା ଦିଆଯାଇଛି। ଏହାର ମାଲିକ ଜଣେ ସହରୀ ବାସିନ୍ଦା ହୋଇଥିବାରୁ ଗାଁର ଦେଖାରଖା କରିପାରୁ ନାହାନ୍ତି। ତେଣୁ ସେ ଏହାକୁ ବିକ୍ରି କରିଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗାଁଟିକୁ ସମ୍ପୂର୍ଣ୍ଣ କର୍ମକ୍ଷମ କରିବାକୁ ହେଲେ ଏଥିରେ ୨ ନିୟୁତ ୟୁରୋ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ବିଜ୍ଞାପନ ପ୍ରକାଶ ପାଇବା ପରେ ଇଣ୍ଟରନେଟରେ ୫୦,୦୦୦ ଲୋକ ଏହାକୁ ଦେଖିଥିଲେ। ସେଥି ମଧ୍ୟରୁ ବ୍ରିଟେନ, ଫ୍ରାନ୍ସ, ବେଲଜିୟମ ଓ ରୁଷିଆର ୩୦୦ରୁ ଅଧିକ ଲୋକ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଜଣେ ଲୋକ ଅଗ୍ରିମ ଜମା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe