ଆରୟନଙ୍କ ପରେ ଅନନ୍ୟାଙ୍କୁ ସମନ, ଶାହରୁଖଙ୍କ ଘରେ ପହଞ୍ଚିଲା ଏନସିବି

Advertisment
ଆରୟନଙ୍କ ପରେ ଅନନ୍ୟାଙ୍କୁ ସମନ, ଶାହରୁଖଙ୍କ ଘରେ ପହଞ୍ଚିଲା ଏନସିବି

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଏବେ ଷ୍ଟାର କିଡଙ୍କ ପାଇଁ ମହଙ୍ଗା ପଡ଼ିବାରେ ଲାଗିଛି। ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଞ୍ଚିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କଠାରୁ କିଛି ସୂଚନା ପାଇ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅନନ୍ୟାଙ୍କୁ ସମନ ପଠାଇଛି ଏନସିବି। ଏହା ସହ ତାଙ୍କୁ ଆଜି ଦିନ ୨ଟା‌ରେ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି।

ଅନନ୍ୟା ହେଉଛନ୍ତି ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ। ସେ ୨୦୧୯ ମସିହାରେ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର-୨’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ଏନସିବି ବର୍ତ୍ତମାନ ଚଙ୍କି ପାଣ୍ଡେଙ୍କ ଖାର ୱେଷ୍ଟସ୍ଥିତ ବାସଭବନରେ ପହଞ୍ଚି ଖୋଳତାଡ଼ କରିଛି। ଉଲ୍ଲେଖଯୋଗ୍ୟ, ଅନନ୍ୟାଙ୍କ ମୋବାଇଲ୍ ଫୋନ୍ ଏନସିବି ଆଗରୁ ଜବତ କରିନେଇଛି।

ଗତକାଲି ଆରୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଚାଲିଥିବା ବେଳେ ଏନସିବି ପକ୍ଷରୁ କୁହାଯାଇଥିଲା ଯେ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ଚାଟ କରିଥିଲେ ବୋଲି ପ୍ରମାଣ ଏନସିବି ହାତରେ ଲାଗିଛି। ଏହି ଚାଟରେ ଆରୟନ ବଲିଉଡ ଅଭିନେତ୍ରୀଙ୍କ ସହିତ ନିଶା କାରବାରକୁ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ‌ତେବେ ଆଜି ଏନସିବି ଅନନ୍ୟାଙ୍କୁ ସମନ ପଠାଇବା ପରେ ଆରୟନ ଚାଟ୍ କରିଥିବା ଅଭିନେତ୍ରୀ ଅନନ୍ୟା ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

NCB teams at Shah Rukh Khan residence www.indiatoday.in

ଅନ୍ୟପକ୍ଷରେ, ଶାହାରୁଖ ପୁଅ ଆରୟନଙ୍କୁ ଭେଟି ଘରକୁ ଯିବା ପରେ ଏନସିବିର ଏକ ଟିମ ତାଙ୍କ ଘରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe