Photo-Hindustantimes
ଚଣ୍ଡୀଗଡ଼: ଆଜି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ | ସେ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି | ପଦରେ ରହିବାର ମାତ୍ର ୭୨ ଦିନ ପରେ ସେ ଇସ୍ତଫା ଦେଇଛନ୍ତି | ତେବେ ସିଦ୍ଧୁଙ୍କ କଡା ବିରୋଧୀ ଭାବେ ଜଣାଶୁଣା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ ସିଦ୍ଧୁଙ୍କୁ ପିସିସି ସଭାପତି କରାଯିବା ପୂର୍ବରୁ ସେ ଚେତାବନୀ ଦେଇଥିଲେ |
ସିଦ୍ଧୁଙ୍କ ଇସ୍ତଫା ପରେ କ୍ୟାପଟେନ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ପୂର୍ବରୁ କହିଥିଲି ଯେ ସେ ଜଣେ ସ୍ଥିର ବ୍ୟକ୍ତି ନୁହଁନ୍ତି ଏବଂ ପଞ୍ଜାବ ପାଇଁ ମଧ୍ୟ ଉପଯୁକ୍ତ ନୁହଁନ୍ତି'। ସିଦ୍ଧୁଙ୍କ ଇସ୍ତଫା ଦେବାର କିଛି ଦିନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂହ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ଏହା ପରେ ଚରଣଜିତ ସିଂ ଚନ୍ନିଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ମଙ୍ଗଳବାର ଚନ୍ନି କ୍ୟାବିନେଟର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଥିଲେ ଆଉ କୁହାଯାଉଛି ଯେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନକୁ ନେଇ ସିଦ୍ଧୁ ଇସ୍ତଫା ଦେଇଛନ୍ତି।
ସିଦ୍ଧୁ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଞ୍ଜାବର ଭବିଷ୍ୟତ ସହ କେବେ ବି ସାଲିସ କରିପାରିବି ନାହିଁ | ତେଣୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେଲି ବୋଲି ସେ କହିଛନ୍ତି | ସେ ଲେଖିଛନ୍ତି ଯେ, ‘ଜଣେ ବ୍ୟକ୍ତିଙ୍କ ଚରିତ୍ରର ଅବନତି ଆପୋଷ ବୁଝାମଣାଠାରୁ ଆରମ୍ଭ ହୁଏ। ପଞ୍ଜାବର ଭବିଷ୍ୟତ ଏବଂ ପଞ୍ଜାବର କଲ୍ୟାଣର ଏଜେଣ୍ଡା ଉପରେ ମୁଁ କଦାପି ଆପୋଷ ବୁଝାମଣା କରିପାରିବି ନାହିଁ।
Follow Us