ବଡ଼ୋଦରା: ପୁଣିଥରେ ଦୁର୍ବୃତ୍ତଙ୍କ ଟ୍ରେନ୍ ଲାଇନଚ୍ୟୁତ ଉଦ୍ୟମ ବିଫଳ ହୋଇଛି। ପଶ୍ଚିମ ରେଳବାଇର ବଡ଼ୋଦରା ଡିଭିଜନ ଅନ୍ତର୍ଗତ ସୁରତର କିମ୍ ରେଳ ଷ୍ଟେସନ ନିକଟରେ ଥିବା ରେଳ ଧାରଣାରୁ ଅଜ୍ଞାତ ବ୍ୟକ୍ତି ଫିସ୍ପ୍ଲେଟ୍ ଓ ଚାବି ବାହାର କରି ଏଭଳି ଉଦ୍ୟମ କରିଥିଲେ। ପଶ୍ଚିମ ରେଳବାଇ ଅନୁଯାୟୀ, ଅଜ୍ଞାତ ବ୍ୟକ୍ତିମାନେ ଅପ୍ ଲାଇନ୍ ଟ୍ରାକ୍ରୁ ଫିସ୍ପ୍ଲେଟ୍ ଓ କିଛି ଚାବି ଖୋଲି ସେହି ଟ୍ରାକ୍ରେ ରଖିଥିଲେ। ଏହା ଜଣାପଡ଼ିବା ପରେ କିଛି ସମୟ ଟ୍ରେନ୍ ଚଳାଚଳ ବନ୍ଦ କରି ପୁଣି ଫିସ୍ପ୍ଲେଟ୍ ଓ ଚାବିଗୁଡ଼ିକୁ ଯଥାସ୍ଥାନରେ ଲଗାଯାଇଥିଲା। ଏହାପରେ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା।
ଗତ ସେପ୍ଟେମ୍ବର ୮ ତାରିଖରେ ରାଜସ୍ଥାନର ଅଜମେର ଜିଲ୍ଲାରେ ପଶ୍ଚିମ ଡେଡିକେଟେଡ୍ ଫ୍ରେଟ୍ କରିଡରର ଟ୍ରାକ୍ ଉପରେ ଦୁଇଟି ସିମେଣ୍ଟ ବ୍ଲକ୍ ରଖି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରାଯାଇଥିଲା। ପ୍ରାୟ ୭୦ କେଜି ଓଜନର ଏହି ବ୍ଲକକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା, କିନ୍ତୁ ସୌଭାଗ୍ୟବଶତଃ କୌଣସି ଗମ୍ଭୀର ଘଟଣା ଘଟି ନ ଥିଲା। ସେହିପରି ଉତ୍ତରପ୍ରଦେଶର କାନପୁରରେ ଭିୱାନୀ-ପ୍ରୟାଗରାଜ ଏକ୍ସପ୍ରେସ ରେଳ ଧାରଣାରେ ରଖାଯାଇଥିବା ଏଲ୍ପିଜି ସିଲିଣ୍ଡରକୁ ଧକ୍କା ଦେବା ପରେ ଜଣେ ସତର୍କ ଲୋକୋ ପାଇଲଟ ଟ୍ରେନ୍କୁ ଅଟକାଇଦେବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା।
ପୁଲିସ ଘଟଣାସ୍ଥଳରୁ ପେଟ୍ରୋଲ ବୋତଲ ଓ ଦିଆସିଲି ମଧ୍ୟ ଜବତ କରିଥିଲା। ଏଥିରୁ ଏକ ବଡ଼ଧରଣର ଦୁର୍ଘଟଣା ପାଇଁ ଷଡ଼୍ଯନ୍ତ୍ର ହୋଇଥିବା ଜଣାପଡ଼ିଥିଲା। ଗତ ମାସରେ କାନପୁରର ଗୋବିନ୍ଦପୁରୀ ଷ୍ଟେସନ ନିକଟରେ ଅହମଦାବାଦ ଅଭିମୁଖେ ଯାଉଥିବା ସାବରମତୀ ଏକ୍ସପ୍ରେସର ୨୦ଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହି ଘଟଣାରେ ଅସାମାଜିକ ତତ୍ତ୍ୱଙ୍କ ସମ୍ଭାବ୍ୟ ସମ୍ପୃକ୍ତିକୁ ଏଜେନ୍ସିମାନେ ଅନୁଧ୍ୟାନ କରୁଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
Follow Us