ମ୍ୟାନେଜର୍‌ ନ ଛାଡ଼ିବାରୁ ତିରୁପତି ବିମାନ ବନ୍ଦରକୁ ଜଳ ଯୋଗାଣ ବନ୍ଦ କଲେ ଆନ୍ଧ୍ର ବିଧାୟକଙ୍କ ପୁଅ

Advertisment
ମ୍ୟାନେଜର୍‌ ନ ଛାଡ଼ିବାରୁ ତିରୁପତି ବିମାନ ବନ୍ଦରକୁ ଜଳ ଯୋଗାଣ ବନ୍ଦ କଲେ ଆନ୍ଧ୍ର ବିଧାୟକଙ୍କ ପୁଅ

Image Courtesy of India Today

ହାଇଦ୍ରାବଦ: ରେନୀଗୁଣ୍ଟା ବିମାନ ବନ୍ଦର ମ୍ୟାନେଜର୍‌ ସୁନୀଲ ଏବଂ ତିରୁପତି ଡେପୁଟି ମେୟର ତଥା ଆନ୍ଧ୍ର ପ୍ରଦେଶ ବିଧାୟକ ବି. କରୁନାକର ରେଡ୍ଡୀଙ୍କ ପୁଅ ଅଭିନୟ ରେଡ୍ଡୀଙ୍କ ମଧ୍ୟରେ ବିବାଦ ହେବାରୁ ବିମାନ ବନ୍ଦର ଏବଂ ‘ଷ୍ଟାଫ୍‌ ରେସିଡେନ୍‌ସିଆଲ୍‌ କ୍ବାର୍‌ଟର୍ସ’କୁ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଥିବା ଖବର ମିଳିଛି।

କର୍ମଚାରୀମାନେ ବିମାନ ବନ୍ଦର ଭିତରକୁ ନ ଛାଡ଼ିବାରୁ ଅଭିନୟ ରେଡ୍ଡୀ ଜଳ ଯୋଗାଣ କାଟି ଦେଇଥିବା କୁହାଯାଉଛି। କିନ୍ତୁ, ଏସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ତିରୁପତିସ୍ଥିତ ରେନୀଗୁଣ୍ଟା ବିମାନ ବନ୍ଦର ହେଉଛି ‘ଏୟାର୍‌ ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ’ଦ୍ବାରା ପରିଚାଳିତ ଆନ୍ତର୍ଜାତିକ ବିମାନ ବନ୍ଦର।

ରେଡ୍ଡୀ ହେଉଛନ୍ତି ଶାସକ ‘ଯୁବଜନ ଶ୍ରମିକ କଂଗ୍ରେସ ପାର୍ଟି’ର (ୱାଇଏସ୍‌ଆର୍‌ସିପି) ନେତା। ଆନ୍ଧ୍ର ପ୍ରଦେଶ ମନ୍ତ୍ରୀ ବୋତ୍ସା ସତ୍ୟନାରାୟଣଙ୍କୁ ସ୍ବାଗତ କରିବା ଲାଗି ଏ ସପ୍ତାହ ପ୍ରାରମ୍ଭରେ ଅଭିନୟ ରେଡ୍ଡୀ ବିମାନ ବନ୍ଦରକୁ ଯାଇଥିଲେ। ସେତେବେଳେ କୌଣସି କାରଣକୁ ନେଇ ଅଭିନୟ ଏବଂ ବିମାନ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ବାକ୍‌ବିତଣ୍ଡା ସୃଷ୍ଟି ହୋଇଥିଲା।

ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ବୋତ୍ସା ସତ୍ୟନାରାୟଣ ତିରୁପତି ଗସ୍ତରେ ଯାଇଥିଲେ। ତାଙ୍କ ସହିତ ଥିଲେ ‘ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍‌’ (ଟିଟିଡି) ଅଧ୍ୟକ୍ଷ ୱାଇ.ଭି. ସୁବ୍ବା ରେଡ୍ଡୀ। ଉଭୟଙ୍କୁ ସ୍ବାଗତ କରିବା ଲାଗି ଅଭିନୟ ରେଡ୍ଡୀ ବିମାନ ବନ୍ଦରକୁ ଯାଇଥିଲେ।

publive-image Image Courtesy of India Airport

କିନ୍ତୁ, ବିମାନ ବନ୍ଦର କର୍ତ୍ତୃପକ୍ଷ ମ୍ୟାନେଜର୍‌ ସୁନୀଲ ଅଭିନୟ ଏବଂ ତାଙ୍କର ସହଯୋଗୀମାନଙ୍କୁ ଛାଡ଼ି ନ ଥିଲେ। ‌ଏଥିଯୋଗୁଁ, ଉଭୟଙ୍କ ମଧ୍ୟରେ ବାକ୍‌ବିତଣ୍ଡା ‌ହୋଇଥିଲା।

ଏହାପରେ ରେନୀଗୁଣ୍ଟା ବିମାନ ବନ୍ଦର ଏବଂ ଷ୍ଟାଫ୍‌ ରେସିଡେନ୍‌ସିଆଲ୍‌ କ୍ବାର୍ଟର୍ସକୁ ଜଳ ଯୋଗାଣ କାଟି ଦିଆଯାଇଥିଲା। ଏହି କାଣ୍ଡକୁ ଅଭିନୟଙ୍କ ପ୍ରତିହିଂସା ବୋଲି ବିବେଚନା କରାଯାଇଛି। କିନ୍ତୁ, ପୌର କର୍ତ୍ତୃପକ୍ଷ କହିଛନ୍ତି ଯେ, ପାଇପ୍‌ଲାଇନ୍‌ ଭିତରେ ଅବରୋଧ ଯୋଗୁଁ ଜଳ ଯୋଗାଣ ବ୍ୟାହତ ହୋଇଥିଲା।

ବାସିନ୍ଦାମାନେ ମଧ୍ୟ ଜଳନିଷ୍କାସନ ସମସ୍ୟା କଥା ଅଭିଯୋଗ କରିଥିଲେ। ମହାନଗର ନିଗମ କହିଥିଲା ଯେ, ନିଷ୍କାସନ ହେଉଥିବା ବର୍ଜ୍ୟଜଳ ‘ତେଲୁଗୁ ଗଙ୍ଗା ୱାଟର୍‌’କୁ (ଯୋଗାଣ ହେଉଥିବା ପାନୀୟ ଜଳ) ଦୂଷିତ କରୁଛି।

‘ୱାଇଏସ୍‌ଆର୍‌ସିପି’ ନେତାମାନେ ଅଭିଯୋଗ କରିଛନ୍ତି ଯେ, ରେନୀଗୁଣ୍ଟା ବିମାନ ବନ୍ଦର କର୍ମଚାରୀମାନେ ଆନୁଷ୍ଠାନିକ ପ୍ରୋଟକଲ୍‌ ନ ମାନି ମନଇଚ୍ଛା ଆଚରଣ କରିଥିଲେ।

କିନ୍ତୁ, ଏ ପ୍ରସଙ୍ଗରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ତିରୁପତି ମୁନିସ୍‌ପାଲ୍‌ କର୍ତ୍ତୃପକ୍ଷ ଟିପ୍ପଣୀ ଦେବାକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe