ଆନ୍ଧ୍ର ରାଜନୀତି ସରଗରମ: ନାଇଡ଼ୁଙ୍କ ‘ଅମରାବତୀ’ ବାସଭବନ ଭାଙ୍ଗିବ

ଆନ୍ଧ୍ର ରାଜନୀତି ସରଗରମ: ନାଇଡ଼ୁଙ୍କ ‘ଅମରାବତୀ’ ବାସଭବନ ଭାଙ୍ଗିବ

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶ ରାଜନୀତି ଏବେ ସରଗରମ ହୋଇଉଠିଛି। ଆନ୍ଧ୍ରର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ କଠୋର ନିଷ୍ପତ୍ତି ଏବେ ଟିଡିପି (ତେଲୁଗୁ ଦେଶମ ପାର୍ଟି) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଝଟ୍‌କା ଉପରେ ଝଟ୍‌କା ଦେଇ ଚାଲିଛି। ନାଇଡ଼ୁ ସରକାରଙ୍କ ଦ୍ବାରା ନିର୍ମିତ ‘ପ୍ରଜା ବେଦିକା’କୁ ବେଆଇନ ଘୋଷଣା କରି ଏହା ଭଙ୍ଗାଯିବା ପରେ ଏବେ ପୁଣି ନାଇଡ଼ୁ ରହୁଥିବା ବାସଭବନ ‘ଅମରାବତୀ’କୁ ଆନ୍ଧ୍ରପ୍ରଦେଶ ରାଜଧାନୀ ଅଞ୍ଚଳ ବିକାଶ କର୍ତ୍ତୃପକ୍ଷ (ସିଆରଡିଏ) ପକ୍ଷରୁ ବେଆଇନ ଘୋଷଣା କରାଯାଇଛି। ‘ଅମରାବତୀ’ ବାସଭବନ ଖାଲି କରିବାପାଇଁ ଏହାର ମାଲିକ ତଥା ଶିଳ୍ପପତି ରମେଶ ଲିଙ୍ଗାମାନେନୀଙ୍କ ନାଁରେ ନୋଟିସ୍‌ ଜାରି ହୋଇଛି। ସିଆରଡିଏ ସହକାରୀ ନିର୍ଦ୍ଦେଶକ ନରେନ୍ଦ୍ର ରେଡ୍ଡିଙ୍କ ନେତୃତ୍ବରେ ଏକ ଅଧିକାରୀ ଦଳ ଆଜି ସକାଳେ ନାଇଡ଼ୁଙ୍କ ବଙ୍ଗଳାକୁ ଗସ୍ତ କରିଥିଲେ ଏନଂ ନାଇଡ଼ୁଙ୍କ କର୍ମଚାରୀମାନଙ୍କୁ ନୋଟିସ୍‌ ଦେବାପାଇଁ ‌ସେମାନେ ବଙ୍ଗଳା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନାଇଡ଼ୁଙ୍କ ବଙ୍ଗଳାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ସେମାନଙ୍କୁ ଭିତରକୁ ଯିବାରୁ ଅନୁମତି ‌ନଦେବାରୁ ସେମାନେ ବଙ୍ଗଳାର ମୁଖ୍ୟ ପ୍ରବେଶ ପଥ କାନ୍ଥରେ ନୋଟିସ୍‌ଟିକୁ ଲଗାଇ ଦେଇଛନ୍ତି। ନୋଟିସ୍‌ ପାଇବାର ସପ୍ତାହକ ମଧ୍ୟରେ ଲିଙ୍ଗାମାନେନିଙ୍କୁ ବେଆଇନ ସମ୍ପତ୍ତି ଖାଲି କରିବାପାଇଁ ନିଷ୍ପତ୍ତି ଦିଆଯାଇଛି। ନଚେତ୍‌ ଖୁବ୍‌ ଶୀଘ୍ର ବେଆଇନ କୋଠା ଭାଙ୍ଗି ଦିଆଯିବ ବୋଲି କୁହାଯାଇଛି। ନାଇଡ଼ୁଙ୍କ ‘ଅମରାବତୀ’ ବଙ୍ଗଳା କ୍ରୀଷ୍ଣା ନଦୀ ଶଯ୍ୟାରେ ଏକ ୬ ଏକର ପରିବ୍ୟାପ୍ତ ଅଞ୍ଚଳରେ ନିର୍ମାଣ ହୋଇଛି। ଏଥିପାଇଁ କୌଣସି ଆଇନଗତ ସ୍ବୀକୃତି ମିଳିନି। ଏହା ପରିବେଶ ନିୟମର ଉଲ୍ଲଂଘନ କରୁଥିବାରୁ ପୂର୍ବରୁ ମଧ୍ୟ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଗତ ବୁଧବାର ଦିନ ‘ପ୍ରଜା ବେଦିକା’ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଥିବା‌ବେଳେ ଏବେ ପୁଣି ନାଇଡ଼ୁଙ୍କ ଘରୋଇ ବାସଭବନ ଭଙ୍ଗାଯିବା ନିର୍ଦ୍ଦେଶ ନାଇଡ଼ୁଙ୍କୁ ଶକ୍ତ ଝଟ୍‌କା ଦେଇଛି। ଟିଡିପି ପକ୍ଷରୁ ଏଭଳି କାର୍ଯ୍ୟକୁ ପ୍ରବଳ ବିରୋଧ କରାଯାଇଛି। ଆନ୍ଧ୍ରପ୍ରଦେଶ ସରକାରଙ୍କର ଏହା ପ୍ରତିଶୋଧମୂଳକ ରାଜନୀତି ବୋଲି ଟିଡିପି ପକ୍ଷରୁ କୁହାଯାଇଛି।

ଜଗନଙ୍କ ବାସଭବନ ନିକଟରେ ହେଲିପ୍ୟାଡ୍‌ ନିର୍ମାଣ ପାଇଁ ୬.୮୯ କୋଟି ଟଙ୍କାର ମଂଜୁରି
ଗୋଟିଏ ପ‌ଟେ ନାଇଡ଼ୁଙ୍କ ସାମ୍ରାଜ୍ୟ ଭାଙ୍ଗି ଚାଲିଥିବା ଆନ୍ଧ୍ର ସରକାର ଅନ୍ୟପକ୍ଷେ ନୂଆ ମୁଖ୍ୟମନ୍ତ୍ରୀ ଜଗନଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ମଂଜୁରି କରିବା ବିଷୟ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଆନ୍ଧ୍ର ସରକାର ଏବେ ଜଗନଙ୍କ ବାସଭବନ ନିକଟରେ ଏକ ହେଲିପ୍ୟାଡ଼୍‌ ନିର୍ମାଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ୬.୮୯ କୋଟି ଟଙ୍କା‌ ମଂଜୁର କରିଛନ୍ତି। ଏହାକୁ ନେଇ ରାଜନୈତିକ ତାତି ଜୋର ଧରିଛି। ଟିଡିପି ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଛି। ଗୁଣ୍ଟୁର ଜିଲ୍ଲା ସ୍ଥିତ ତାଦେପଲ୍ଲିରେ ରେଡ୍ଡିଙ୍କ ବାସଭବନ ନିକଟରେ ହେଲିପ୍ୟାଡ୍‌ ନିର୍ମାଣ ପାଇଁ ୪୦ ଲକ୍ଷ, ଅନ୍ୟପ‌କ୍ଷେ ରାସ୍ତା ଆଇରନ୍‌ ଫ୍ରେମ୍‌ ପାଇଁ ୭୫ ଲକ୍ଷ, ପୁଲିସ ବାରାକ୍‌ ପାଇଁ ୩୦ ଲକ୍ଷ, ସୁରକ୍ଷା ପୋଷ୍ଟ୍‌ ପାଇଁ ୩୧ ଲକ୍ଷ, ଗାର୍ଡ ରୁମ୍‌ ପାଇଁ ୧୩.୫୦ ଲକ୍ଷ ମଂଜୁରି ହୋଇଛି। ଏହାବାଦ୍‌ ଜଗନ ମୋହନ ରେଡ୍ଡୀଙ୍କ ବାସଭବନଠାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ପ୍ରଶସ୍ତୀକରଣ ପାଇଁ ୫ କୋଟି ଟଙ୍କା ମଂଜୁରି ହୋଇଥିବା ଜଣାପଡ଼ିଛି। ଅନ୍ୟପ‌କ୍ଷେ ଟିଡିପି ଏହି ମଂଜୁର ଅର୍ଥକୁ ନେଇ ପ୍ରଶ୍ନ ଉଠାଇଛି। ଏହାଦ୍ବାରା ସରକାରୀ ଟଙ୍କାର ଅପବ୍ୟବହାର ହେଉଛି ବୋଲି ଟିଡିପି ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe