Image Courtesy of Republic World
ଋଷିକେଶ: ୧୯ ବର୍ଷୀୟ ରିସର୍ଟ ରିସେପ୍ସନିଷ୍ଟ୍ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ଗିରଫ ହେବା ପରେ ଆଜି ‘ବିଜେପି’ ତାଙ୍କ ବାପା ବିନୋଦ ଆର୍ଯ୍ୟ ଏବଂ ଭାଇ ଅଙ୍କିତଙ୍କୁ ଦଳରୁ ବହିଷ୍କାର କରିଛି।
ପୁଲକିତଙ୍କ ଭାଇ ଉତ୍ତରାଖଣ୍ଡ ସରକାରଙ୍କ ‘ଉତ୍ତରାଖଣ୍ଡ ଅନ୍ୟାନ୍ୟ ପଛୁଆ ବର୍ଗ କମିସନ୍’ର ଉପାଧ୍ୟକ୍ଷ ଥିଲେ। ତୁରନ୍ତ ତାଙ୍କୁ ସେ ପଦବୀରୁ ବିଦା କରି ଦିଆଯାଇଛି।
ଆଜି ପୂର୍ବାହ୍ନରେ ପୁଲକିତ ଆର୍ଯ୍ୟଙ୍କ ମାଲିକାନାରେ ଥିବା ‘ବନତାରା ରିସର୍ଟ’କୁ ସ୍ଥାନୀୟ ଲୋକେ ପୋଡ଼ି ପକାଇଛନ୍ତି। ନିରାପତ୍ତା କର୍ମଚାରୀମାନଙ୍କ ସୁରକ୍ଷା ବଳୟରେ ଯାଉଥିବା ବେଳେ ସେମାନେ ‘ବିଜେପି’ ବିଧାୟିକା ରେଣୁ ବିସ୍ତ୍ଙ୍କ ବିରୋଧରେ ସ୍ଲୋଗାନ୍ ଦେବା ସହିତ ତାଙ୍କ କାର୍ ଭଙ୍ଗାରୁଜା କରିଛନ୍ତି।
ଗତକାଲି ମଧ୍ୟ ସ୍ଥାନୀୟ ବାସିନ୍ଦାମାନେ ରିସର୍ଟ ଉପରକୁ ଟେକାପଥର ଫିଙ୍ଗିଥିଲେ। ପୁଲିସ ହାଜତକୁ ନିଆଯାଉଥିବା ପୁଲକିତ ଓ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ମାରଧର କରିବାକୁ ଉଦ୍ୟମ କରିଥିଲେ।
Image Courtesy of Express Newsଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଆଦେଶ ଅନୁସାରେ ଉକ୍ତ ରିସର୍ଟର କିଛି ଅଂଶ ଭାଙ୍ଗି ଦିଆଯାଇଥିବା କଥା ରାଜ୍ୟ ପ୍ରଶାସନ କହିଥିଲା।
ଏହାଛଡ଼ା, ରାଜ୍ୟରେ ଥିବା ସମସ୍ତ ରିସର୍ଟଗୁଡ଼ିରେ ତଦନ୍ତ କରିବା ସହ ବେଆଇନ ଭାବେ ଚାଲିଥିବା ରିସର୍ଟଗୁଡ଼ିକ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଆଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଃଖଦାୟକ ଘଟଣା। ପୁଲିସ ତଦନ୍ତ ଚଳାଇଛି। ସେମାନଙ୍କୁ ଗିରଫ କରିବା ଲାଗି ଯାହା କରିବାର ଥିଲା କରାଯାଇଛି। ଅପରାଧୀ ଯିଏ ହୋଇଥାଉ ନା କାହିଁକି, ଏଭଳି ଘୃଣ୍ୟ ଅପକର୍ମ ପାଇଁ ଅତି କଠୋର ଶାସ୍ତିବିଧାନ କରାଯିବ।
Follow Us