ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଲଗାତାର ଆକ୍ରମଣ ଚାଲିଛି। ନିକଟରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯାଇଥିଲା। ଏବେ ଖବର ଆସୁଛି ଯେ ଶୁକ୍ରବାର ବିଳମ୍ବିତ ରାତିରେ ବାଂଲାଦେଶର ରାଜଧାନୀ ଢାକାର ନମଟ୍ଟାରେ ଥିବା ଅନ୍ୟ ଏକ ଇସ୍କନ ମନ୍ଦିର ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି। ମନ୍ଦିର ଭିତରେ ଥିବା ସମସ୍ତ ଜିନିଷ ଓ ଶ୍ରୀଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ସମ୍ପୂର୍ଣ୍ଣ ଜଳି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଦୁର୍ବୃତ୍ତମାନେ ରାଧାକୃଷ୍ଣ ମନ୍ଦିର ଓ ମହାଭାଗ୍ୟ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ନିଆଁ ଲଗାଇ ଦେଇଥିଲେ।
ବାଂଲାଦେଶରେ ପରିସ୍ଥିତି ଏବେ ଅନିୟନ୍ତ୍ରିତ ହୋଇପଡ଼ିଛି। ଦୁର୍ବୃତ୍ତମାନେ ଲଗାତାର ହିନ୍ଦୁ ମନ୍ଦିର ଓ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଦୁର୍ବୃତ୍ତମାନେ କେବଳ ସଂଖ୍ୟାଲଘୁ ହିନ୍ଦୁଙ୍କ ଘରେ ନୁହେଁ ବରଂ ପ୍ରତିଷ୍ଠାନରେ ମଧ୍ୟ ନିଆଁ ଲଗାଇ ଦେଉଛନ୍ତି। କିନ୍ତୁ ସରକାର ଓ ପୁଲିସ ପ୍ରଶାସନ ନୀରବ ଦର୍ଶକ ସାଜିଛନ୍ତି। ଦୁର୍ବୃତ୍ତଙ୍କ ସହ ସେନା ମଧ୍ୟ ଏହି ଅତ୍ୟାଚାରରେ ଭାଗିଦାର ହୋଇଥିବା ଦେଖିବାକୁ ମିଳିଛି।
Follow Us