ହରିୟାଣାରେ ଆଉ ଏକ ନିର୍ଭୟା! : ନାବାଳିକାକୁ ଗଣଦୁଷ୍କର୍ମ ପରେ ନିର୍ମମ ହତ୍ୟା

Advertisment
ହରିୟାଣାରେ ଆଉ ଏକ ନିର୍ଭୟା! : ନାବାଳିକାକୁ ଗଣଦୁଷ୍କର୍ମ ପରେ ନିର୍ମମ ହତ୍ୟା

ଚଣ୍ଡିଗଡ଼,: ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ଇତି ମଧ୍ୟରେ ୫ ବର୍ଷ ପୂରିବା ସହ ଦୁଷ୍କର୍ମକାରୀଙ୍କ ପାଇଁ ଆଇନ ବ୍ୟବସ୍ଥା ମଧ୍ୟ ଅଧିକ କଡ଼ାକଡ଼ି ହୋଇଛି। ମାତ୍ର ଏଭଳି ଘୃଣ୍ୟ ମାନସିକତା ତଥାପି ସମାଜକୁ କବଳିତ କରି ରଖିଛି ବୋଲି ଆଜି ହରିଆଣାରେ ସଂଘଟିତ ଅନୁରୂପ ଘଟଣା ସ୍ପଷ୍ଟ କରିଛି। ହରିଆଣାର କୁରୁକ୍ଷେତ୍ର ଜିଳ୍ଲା ଅଧୀନ ଝାନ୍‌ସା ଗ୍ରାମର ଜଣେ ୧୫ ବର୍ଷୀୟାକୁ ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଅତି ନିଷ୍ଠୁର ଭାବେ କଲବଲ କରି ମାରିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ପୀଡ଼ିତାଙ୍କ ଯୌନାଙ୍ଗରେ କୌଣସି ଏକ ଧାତବ ସାମଗ୍ରୀ ଭର୍ତ୍ତି କରିବା ସହ ତାଙ୍କ ଶରୀରରେ ୧୯ଟି ସ୍ଥାନରେ କ୍ଷତଚିହ୍ନ ରହିଛି। ପୀଡ଼ିତାଙ୍କ ମୁହଁ, ମୁଣ୍ଡ, ଛାତି ଏବଂ ହାତରେ ସର୍ବାଧିକ ଆଘାତ ଲାଗିଛି। ପୀଡ଼ିତାଙ୍କ ଛାତି ଉପରେ କେହି ଜଣେ ବସି ପଡ଼ିବା ଫଳରେ ତାଙ୍କ ଫୁସ୍‌ଫୁସ୍‌ ଫାଟିଯାଇଥିବା ଜଣାଯାଇଛି।
ସୂଚନାନୁଯାୟୀ, ଦଶମ ଶ୍ରେଣୀରେ ପଢ଼ୁଥିବା ଉକ୍ତ ପୀଡ଼ିତା ଜଣକ ଗତ ୯ ତାରିଖରେ ଟ୍ୟୁସନ୍‌କୁ ଯାଇ ଆଉ ଘରକୁ ଫେରିନଥିଲେ। ଅନେକ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ପରିବାର ଲୋକେ ପୁଲିସରେ ନିଖୋଜ ଅଭିଯୋଗ ଦାଏର କରିଥିଲେ। ପୁଲିସ ଖୋଜାଖୋଜି କରିବା ପରେ ଗତ ଶନିବାର ସନ୍ଧ୍ୟାରେ ହରିଆଣାର ଜିନ୍ଦ୍‌ ଜିଲ୍ଲା ଅନ୍ତର୍ଗତ ବୁଢ଼ାଘେଡ଼ା ଗ୍ରାମ ନିକଟ ନଦୀ କୂଳରୁ ପୀଡ଼ିତାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର କରିଥିଲା। ପୀଡ଼ିତାଙ୍କ ଶରୀରରେ ଥିବା କ୍ଷତଚିହ୍ନରୁ ଏକାଧିକ ଦୁଷ୍କର୍ମକାରୀ ଏହି ଅପରାଧରେ ଜଡ଼ିତ ଥିବା ଅନୁମାନ କରାଯାଉଛି। ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ପାଣିରେ ବୁଡ଼ାଯାଇ ମାରିବା ପରେ ହିଁ ତାଙ୍କ ଯୌନାଙ୍ଗରେ ଆଘାତ ଦିଆଯାଇଛି। ଏହି ନୃଶଂସ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ବୋଲି ସୁରାକ୍‌ ମିଳିଛି। ଘଟଣା ପରଠାରୁ ଫେରାର୍‌ ଥିବା ସେହି ନାବାଳକ ଅଭିଯୁକ୍ତ ଜଣକ ମଧ୍ୟ ପୀଡ଼ିତାଙ୍କର ଜଣେ ପଡ଼ୋଶୀ ବୋଲି ଜଣାଯାଇଛି। ତା’କୁ ଧରିବା ପାଇଁ ପୁଲିସର ୪ଟି ସ୍ୱତନ୍ତ୍ର ଦଳ ଛାନ୍‌ଭିନ୍‌ ଜାରି ରଖିଛନ୍ତି। ଅପରପକ୍ଷେ, ବ୍ୟବଚ୍ଛେଦ ପରେ ଶବକୁ ସତ୍କାର ପାଇଁ ପୀଡ଼ିତାଙ୍କ ପରିବାର ଗ୍ରହଣ କରିନଥିଲେ। ସେମାନେ ଘଟଣାର ସିବିଆଇ ତଦନ୍ତ ସହ ପରିବାରର ଜଣଙ୍କୁ ସରକାରୀ ଚାକିରି ଏବଂ ନିର୍ଭୟା ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ତେବେ ଘଟଣାର ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଶବକୁ ଗତକାଲି ସତ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe