DNA India
ନୂଆଦିଲ୍ଲୀ : କେନ୍ଦ୍ର ପ୍ରାଶାସନିକ ସେବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରୁ ଯେଉଁମାନେ ଗତବର୍ଷ ମହାମାରୀ କୋଭିଡ୍ ସକାଶେ ୟୁପିଏସ୍ସି ପରୀକ୍ଷା ଦେଇପାରିନାହାନ୍ତି, ସେମାନଙ୍କର ବୟସ ସୀମା ରହିଥିଲେ ସେମାନଙ୍କୁ କେବଳ ଚଳିତବର୍ଷ ଆଉ ଗୋଟିଏ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାର ଆଜି ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟକୁ ଜଣାଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଆବେଦନକାରିଣୀ ତଥା ପ୍ରାଶାସନିକ ସେବା ଆଶାୟୀ ରଚନା ସିଂହ ଗତବର୍ଷ କୋଭିଡ୍ ବିଶୃଙ୍ଖଳା ଓ ତଜ୍ଜନିତ ମାନସିକ ଚାପ ଯୋଗୁଁ ୟୁପିଏସ୍ସି ପରୀକ୍ଷା ପାଇଁ ଆଶାନୁରୂପ ପ୍ରସ୍ତୁତି କରିପାରିନଥିଲେ। କାରଣ ଗତବର୍ଷ ମେ ୩୧ରେ ହେବାକୁ ଥିବା ଏହି ପରୀକ୍ଷା ଶେଷରେ ଅକ୍ଟୋବର ୪ରେ ଅନୁଷ୍ଠିତ ହୋଇଥିଲା। ତେଣୁ ତାଙ୍କୁ ଆଉ ଥରେ ସୁଯୋଗ ଦେବା ପାଇଁ ସେ ଅଦାଲତର ଆଶ୍ରୟ ନେଇଥିଲେ। ଅପରପକ୍ଷେ, ଯେଉଁ ପ୍ରାର୍ଥୀମାନଙ୍କର ଏହି ପରୀକ୍ଷା ପାଇଁ ବୟସ ସୀମା ସରିଯାଉଛି, ସେମାନଙ୍କୁ ଆଉ ଥରେ ସୁଯୋଗ ଦେବା କଥା ବିଚାର କରିବାକୁ ଗତ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ସରକାରଙ୍କୁ ପରାମର୍ଶ କରିଥିଲେ। ତେବେ ଏହା ଦ୍ବାରା ୟୁପିଏସ୍ସିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବିଶୃଙ୍ଖଳା ସୃଷ୍ଟି ହେବ ବୋଲି ସରକାର ପ୍ରଥମେ ଜଣାଇଥିଲେ। ମାତ୍ର ଏବେ ସରକାର ନିଜର ଆଭିମୁଖ୍ୟ ବଦଳାଇ ସଂପୃକ୍ତ ପ୍ରାର୍ଥୀମାନଙ୍କୁ ଆଉ ଏକ ସୁଯୋଗ ଦେବାକୁ ରାଜିଥିବାରୁ ଜଷ୍ଟିସ ଏ ଏମ୍ ଖାନ୍ଵିଲକର ଓ ଦୀନେଶ ମାହେଶ୍ବରୀଙ୍କ ଖଣ୍ଡପୀଠ ସନ୍ତୋଷ ପ୍ରକଟ କରିଛନ୍ତି।
Follow Us