ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ସଙ୍କଟର ସମାଧାନ କରିବାରେ ସରକାରଙ୍କ ବିଫଳତା ବିରୋଧରେ ଜନସାଧାରଣ ରାସ୍ତାକୁ ଓହ୍ଲାଇଛନ୍ତି। ରବିବାର ସନ୍ଧ୍ୟାରେ ପ୍ରାୟ ୫ ଶହ ଜନତା ଇଣ୍ଡିଅା ଗେଟ୍ ନିକଟରେ ସମବେତ ହୋଇଥିଲେ ଏବଂ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଶାନ୍ତି ଭଙ୍ଗ ଆଶଙ୍କାରେ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ କର୍ତ୍ତବ୍ୟ ପଥ ବନ୍ଦ କରି ଦିଆଯାଇଛି । ଇଣ୍ଡିଆ ଗେଟ୍ ନିକଟରେ ବହୁ ସଂଖ୍ୟାରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ ଅଛନ୍ତି ଏବଂ ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛି। ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ବିକ୍ଷୋଭ ବନ୍ଦ ହୋଇଥିଲେ ମଧ୍ୟ ଆଗକୁ କୌଣସି ଉଗ୍ର ପ୍ରତିବାଦ ଆଶଙ୍କାରେ ପୁଲିସ ଅନେକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି।
କର୍ତ୍ତବ୍ୟ ପଥ ବନ୍ଦ
ସୁରକ୍ଷା ବଢ଼ିଲା
ଦିଲ୍ଲୀ ରାଜନୀତି ସରଗରମ
ଏହି ପ୍ରଦୂଷଣ ବିରୋଧୀ ବିକ୍ଷୋଭରେ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ବସ୍ ଏବଂ ରେଳ ଷ୍ଟେସନ ପରିସରରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ମଧ୍ୟ ସୁପ୍ରିମକୋର୍ଟଙ୍କ ନୂତନ ଆଦେଶକୁ ବିରୋଧ କରିଥିଲେ। ସେମାନେ ‘ଆମେ ନ୍ୟାୟ ଚାହୁ’ ଏବଂ ‘ଆମେ ସ୍ୱାଧୀନତା ଚାହୁ’ ସ୍ଲୋଗାନ ମଧ୍ୟ ଦେଇଥିଲେ। ବିକ୍ଷୋଭକାରୀଙ୍କ ହାତରେ ବ୍ୟାନର ଏବଂ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା। ଜଣେ ବିକ୍ଷୋଭକାରୀ କହିଛନ୍ତି ଯେ ସରକାର ପଶୁମାନଙ୍କୁ ହଟାଇ ଦେଉଛନ୍ତି, ଯେତେବେଳେ ପ୍ରଦୂଷଣ ହଟାଇବା ଉଚିତ୍। ପ୍ରଦୂଷଣ ସଙ୍କଟ ଭୟାନକ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ସରକାର ଏହାକୁ ଲୁଚାଉଛନ୍ତି ଏବଂ ଦିଲ୍ଲୀରେ ପ୍ରଦୂଷଣ ମୃତ୍ୟୁ ବଢ଼ିଚାଲିଛି ବୋଲି କେତେକ ସାମାଜିକକାର୍ଯ୍ୟକର୍ତ୍ତା କହିଛନ୍ତି।
ସୂଚନାଯୋଗ୍ୟ, ଆଜି ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଅଂଚଳର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି। ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କର୍ତ୍ତୃପକ୍ଷ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। କୃତ୍ରିମ ବର୍ଷା କରାଇବାରେ ସରକାରଙ୍କ ବିଫଳତା ଏବଂ ଏ ବାବଦ ବ୍ୟୟ ଉପରେ ମଧ୍ୟ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଛନ୍ତି। ଇଣ୍ଡିଆ ଗେଟ୍ରେ ବିକ୍ଷୋଭରେ ସାମିଲ ହୋଇଥିବା ପରିବେଶବିତ୍ ଭବରିନ୍ କାନ୍ଧାରୀ କହିଛନ୍ତି, ‘ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିଲୁ, କିନ୍ତୁ ଆମର ଅନୁରୋଧ ଗ୍ରହଣ କରାଯାଇ ନାହିଁ। ପ୍ରଦୂଷଣ ଉଦ୍ବେଗଜନକ ସ୍ତରରେ ପହଞ୍ଚିଛି କିନ୍ତୁ ଜିଆର୍ଏପି(ଗ୍ରେଡେଡ ରେସ୍ପନ୍ସ ଆକ୍ସନ ପ୍ଲାନ୍) ପଦକ୍ଷେପ କାର୍ଯ୍ୟକାରୀ ହୋଇନାହିଁ ବୋଲି ସେ କହିଛନ୍ତି।
Follow Us