‘ଓଟିଟି ପ୍ଲାଟ୍‌ଫର୍ମ’ରେ ତମାଖୁ-ବିରୋଧୀ ଚେତାବନୀ ନିଶ୍ଚୟ ରହିବା ଆବଶ୍ୟକ: ସ୍ବାସ୍ଥ୍ୟ ମନ୍ତ୍ରାଳୟର ନୂଆ ନିୟମ

‘ଓଟିଟି ପ୍ଲାଟ୍‌ଫର୍ମ’ରେ ତମାଖୁ-ବିରୋଧୀ ଚେତାବନୀ ନିଶ୍ଚୟ ରହିବା ଆବଶ୍ୟକ: ସ୍ବାସ୍ଥ୍ୟ ମନ୍ତ୍ରାଳୟର ନୂଆ ନିୟମ

Image Courtesy of India Today

ନୂଆଦିଲ୍ଲୀ: ‘ଓଭର୍‌-ଦି-ଟପ୍‌’ ପ୍ଲାଟ୍‌ଫର୍ମରେ (ଓଟିଟି) ତମାଖୁ-ବିରୋଧୀ ଚେତାବନୀ ଅବଶ୍ୟ ରହିବା ଆବଶ୍ୟକ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

‘ଓଟିଟି’ ପ୍ଲାଟ୍‌ଫର୍ମରେ (ଇଣ୍ଟର୍‌ନେଟ୍‌ରେ  ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ଆଦି ପ୍ରସାରଣ ସମ‌ୟରେ) ତମାଖୁ-ବି‌ରୋଧୀ ଚେତାବନୀ ପାଇଁ ଲାଗୁ କରାଯାଇଥିବା ନୂଆ ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

ଅର୍ଥାତ୍‌, ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଥିବା ଚଳଚ୍ଚିତ୍ର ଏବଂ ଟେଲିଭି‌ଜନ୍‌ରେ ପ୍ରସାରିତ କାର୍ଯ୍ୟକ୍ରମରେ ଯେମିତି ‘ତମାଖୁ-ବିରୋଧୀ ଚେତାବନୀ’ ଓ ‘ଡିସ୍‌କ୍ଲେମର୍‌’ ପ୍ରଦର୍ଶନ କରାଯାଉଛି ‘ଓଟିଟି’ ପ୍ଲାଟ୍‌ଫର୍ମରେ ମଧ୍ୟ ଏବେ ସେଭଳି ପ୍ରଦର୍ଶନ କରାଯିବା ଆବଶ୍ୟକ ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି।ଦ

କାର୍ଯ୍ୟକ୍ରମ ପ୍ରସାରଣ ସମୟରେ ତମାଖୁ ଉତ୍ପାଦ କିଂବା ସେଗୁଡ଼ିକର ବ୍ୟବହାର ସମ୍ବନ୍ଧୀୟ ଦୃଶ୍ୟ ପ୍ରଦର୍ଶନ ଚାଲିଥିବା ବ‌େଳେ ସ୍କ୍ରିନ୍‌ର ତଳଭାଗରେ ‘ଓଟିଟି’ ପ୍ଲାଟ୍‌ଫର୍ମମାନେ ତମାଖୁ-ବିରୋଧୀ ସ୍ବାସ୍ଥ୍ୟ ଚେତାବନୀକୁ ସୁସ୍ପଷ୍ଟ ବୈଧାନିକ ସତର୍କତା ବାର୍ତ୍ତା ମଧ୍ୟ ପ୍ରଦର୍ଶନ କରିବା ଉଚିତ ବୋଲି ଉକ୍ତ ବିଜ୍ଞପ୍ତିରୁ ଉଦ୍ଧାର କରି ‘ପିଟିଆଇ’ ରିପୋର୍ଟ କରିଛି।

ସୂଚନାଯୋଗ୍ୟ, ସମ୍ପ୍ରତି ‘ଓଟିଟି’ ପ୍ଲାଟ୍‌ଫର୍ମର ଲୋକପ୍ରିୟତା ବୃଦ୍ଧି ପାଇଛି ଏବଂ ଏହା ‌ଜନସାଧାରଣଙ୍କୁ, ବିଶେଷକରି ନାବାଳକମାନଙ୍କୁ ବିଶେଷ ପ୍ରଭାବିତ କରୁଥିବାରୁ ସ୍ବାସ୍ଥ୍ୟ ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଛି।

‘ଓଟିଟି’ ଉପରେ ଏହି ନୂଆ ନିୟମ ଲାଗୁ କରି ତମାଖୁ ନିୟନ୍ତ୍ରଣରେ ଭାରତ ବୈଶ୍ବିକ ନେତା ହେବ ବୋଲି ଜଣେ ସରକାରୀ ଅଧିକାରୀ ‘ପିଟିଆଇ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe