ଚେନ୍ନାଇ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ନୁଙ୍ଗାମ୍ବକ୍କମ୍ ଅନ୍ତର୍ଗତ ପାଇକ୍ରୋଫ୍ ଗାର୍ଡେନ୍ ରୋଡ୍ରେ ଥିବା ବାସଭବନରୁ କୋଟି କୋଟି ଟଙ୍କା ମୂଲ୍ୟର ପ୍ରାଚୀନ ଅଳଙ୍କାର, ନଗଦ ଦେଢ଼ ଲକ୍ଷ ଟଙ୍କା ଏବଂ ଛଅ ଖଣ୍ଡ ସିଲ୍କ୍ ଶାଢ଼ି ଚୋରି ହୋଇଯାଇଛି।
ମାସେ ତଳେ ଉଟି ଯାଇଥିବା ତାଙ୍କ ଓକିଲ ପତ୍ନୀ ନଳିନୀ ଚିଦାମ୍ବରମ୍ ଘରକୁ ଫେରିବା ପରେ ରବିବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ଚୋରି ହୋଇଥିବା କଥା ଜଣାପଡ଼ିଥିଲା।
ସେ ଦେଖିଲେ ଗୋଟିଏ ଆଲମାରି ଖୋଲା ପଡ଼ିଛି ଏବଂ ସେଥିରେ ମହଜୁଦ ଥିବା ପ୍ରାଚୀନ ଅଳଙ୍କାର ନାହିଁ।
ଚୋରି ଘଟଣାରେ ଦୁଇ ଜଣ ଚାକରାଣୀ ସମ୍ପୃକ୍ତ ଥିବା କଥା ପୁଲିସ ସନ୍ଦେହ କରୁଛି।
ଘରୁ ଉଦ୍ଧାର କରାଯାଇଥିବା ସିସିଟିଭି ଫୁଟେଜ୍ରେ ଦୁଇ ମହିଳା ଦେଖା ଯାଉଛନ୍ତି। ଚିଦାମ୍ବରମ୍ଙ୍କ ଚାକରାଣୀ କୁହାଯାଉଥିବା ସେ ଦୁଇ ଜଣ ମୁଖା ପିନ୍ଧି ଘରକୁ ପ୍ରବେଶ କରୁଛନ୍ତି।
ସେ ଦୁହେଁ ନିରୁଦ୍ଦେଶ ହୋଇ ଯାଇଥବା କଥା ପୁଲିସ କହୁଛି।
ନଳିନୀଙ୍କ ମ୍ୟାନେଜର୍ ମୁରଲୀଙ୍କ ଅଭିଯୋଗ ଆଧାରରେ ଥାଉଜାଣ୍ଡ୍ ଲାଇଟ୍ସ୍ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ତଦନ୍ତରେ ସନ୍ଧାନୀ ଶ୍ୱାନଙ୍କୁ ସାମିଲ କରାଯାଇ ଅପରାଧ ସ୍ଥଳରୁ ଟିପଚିହ୍ନ ସଂଗ୍ରହ କରାଯାଇଛି।
Follow Us