ବିଚାରପତି ନିଯୁକ୍ତି: ୯ ଜଣଙ୍କ ନାମ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟ କଲେଜିୟମ ମଙ୍ଗଳବାର ଦିନ ୭ ଜଣ ନ୍ୟାୟିକ ଅଫିସର ଏବଂ ୨ ଜଣ ଆଇନଜୀବୀଙ୍କ ନାମ ବିଭିନ୍ନ ହାଇକୋର୍ଟର ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି। କଲେଜିୟମ ବୈଠକରେ ନ୍ୟାୟିକ ଅଫିସର ରାମଚନ୍ଦ୍ର ଦତ୍ତା‌ତ୍ରୟ ହୁଦ୍ଦାର ଏବଂ ଭେଙ୍କଟେଶ ନାଏକଙ୍କ ପଦୋନ୍ନତି ପ୍ରସ୍ତାବକୁ ସ୍ବୀକୃତି ମିଳିଛି। ଉଭୟଙ୍କ ନାମ କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ତେବେ କୋର୍ଟ ତୃତୀୟ ଥର ପାଇଁ ଓକିଲ ନଗେନ୍ଦ୍ର ରାମଚନ୍ଦ୍ର ନାଏକଙ୍କୁ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ନିଯୁକ୍ତ କରିବା ସଂକ୍ରାନ୍ତ ନିଷ୍ପତ୍ତି ସୁପାରିସକୁ ଦୋହରାଇଛନ୍ତି।

ପୂର୍ବରୁ କେନ୍ଦ୍ର ସରକାର ୨ ଥର ଏହି ସୁପାରିସକୁ ଅନୁମତି ନଦେଇ ଫେରାଇ ଦେଇଥିଲେ। ଗତବର୍ଷ ନ‌ଭେମ୍ବର ୨୮‌ରେ କେନ୍ଦ୍ର ସରକାର ନଗେନ୍ଦ୍ର ରାମଚନ୍ଦ୍ର ନାଏକଙ୍କ ନାମ ସହ କ‌ଲେଜିୟମ ଦ୍ବାରା ସୁପାରିସ କରାଯାଇଥିବା ମୋଟ୍‌ ୧୯ ଜଣଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇନଥିଲେ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩, ୨୦୧୯ରେ ପ୍ରଥମ ଥର ପାଇଁ କଲେଜିୟମ ନାଏକଙ୍କ ନାମ ସୁପାରିସ କରିଥିଲେ। ଏହାପରେ ମାର୍ଚ୍ଚ ୨, ୨୦୨୧ ଏବଂ ସେପ୍ଟେମ୍ବର ୧, ୨୦୨୧ରେ କଲେଜିୟମ ଏହି ନିଷ୍ପତ୍ତିକୁ ଦୋହରାଇଥିଲେ। ଅନ୍ୟ ଏକ ନିଷ୍ପତ୍ତି‌ରେ ନିଲ କେଦର ଗୋଖେଲଙ୍କୁ ବମ୍ବେ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ପ୍ରସ୍ତାବକୁ ସ୍ବୀକୃ୍ତି ମିଳିଛି। ସେହିପରି ନ୍ୟାୟିକ ଅଫିସର ମ୍ରିଦୁଳ କୁମାର କଲିତାଙ୍କୁ ଗୌହାଟୀ ହାଇକୋର୍ଟ ବିଚ‌ାରପତି ଭାବେ ପଦୋନ୍ନତି ଦେବାପାଇଁ ସୁପାରିସ କରାଯାଇଛି। ପି ଭେଙ୍କଟ ଜ୍ୟୋତିର୍ମଣୀ ଏବଂ ଭି ଗୋପାଳକ୍ରୀଷ୍ଣଙ୍କ ନାମ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରାଯାଇଥିବା ବେଳେ ମଣିପୁର ହାଇକୋର୍ଟ ପାଇଁ ମଧ୍ୟ ୨ ନ୍ୟାୟିକ ଅଫିସରଙ୍କ ନାମ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe