Image Courtesy of Mint
ଇସ୍ଲାମାବାଦ୍: ସ୍ୱଳ୍ପ ଦିନ ଅସୁସ୍ଥ ଅବସ୍ଥାରେ ରହିବା ପରେ ଆଜି ପାକିସ୍ତାନର ଆଣବିକ ବୋମା ଜନକ ଭାବେ ବିଦିତ ଅବ୍ଦୁଲ୍ କାଦୀର୍ ଖାଁଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।
ପାକିସ୍ତାନକୁ ବିଶ୍ୱର ସର୍ବପ୍ରଥମ ଆଣବିକ କ୍ଷମତାସମ୍ପନ୍ନ ଇସ୍ଲାମୀୟ ଦେଶରେ ପରିଣତ କରିଥିବାରୁ ପରମାଣୁ ବିଜ୍ଞାନୀ ଅବ୍ଦୁଲ୍ କାଦୀର୍ ଖାଁ ଜାତୀୟ ‘ହିରୋ’ ଭାବେ ପ୍ରଶଂସାଭାଜନ ହୋଇଥିଲେ। କିନ୍ତୁ, ଦୁଷ୍ଟ ଦେଶମାନଙ୍କୁ ଚୋରାରେ ବୈଷୟିକ ବିଦ୍ୟା ଚାଲାଣ କରିଥିବାରୁ ପାଶ୍ଚାତ୍ୟ ଦେଶମାନେ ତାଙ୍କୁ ବିପଜ୍ଜନକ ବିଶ୍ୱାସଘାତକ ଆଖ୍ୟା ଦେଇଥିଲେ।
ସ୍ଥାନୀୟ ସମୟ ସକାଳ ପ୍ରାୟ ୭ଟା ବେଳେ ସେ ଇସ୍ଲାମାବାଦସ୍ଥିତ ‘ଖାଁ ରିସର୍ଚ ଲାବ୍ରଟରିଜ୍ (କେଆର୍ଏଲ୍) ହସ୍ପିଟାଲ୍’ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
‘ଜିଓ ନିଉଜ୍’ ରିପୋର୍ଟ ଅନୁସାରେ, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଆଜି ବଡ଼ି ସକାଳୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ରାଷ୍ଟ୍ରାୟାତ ସମ୍ବାଦ ପ୍ରସାରଣକାରୀ ‘ପିଟିଭି’ ରିପୋର୍ଟ ଅନୁସାରେ, ଫୁସ୍ଫୁସ୍ଜନିତ ସମସ୍ୟା ଯୋଗୁଁ ଇସ୍ଲାମାବାଦସ୍ଥିତ ‘କେଆର୍ଏଲ୍ ହସ୍ପିଟାଲ୍’କୁ ସ୍ଥାନାନ୍ତରିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି।
Image Courtesy of The Business Standardଅଗଷ୍ଟ ମାସରେ କୋଭିଡ୍-୧୯ରେ ଆକ୍ରାନ୍ତ ହେବା ପରେ ସେ ଉପରୋକ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିଛି ସପ୍ତାହ ତଳେ ସେ ଘରକୁ ଚାଲିଯାଇଥିଲେ। କିନ୍ତୁ, ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ପୁନର୍ବାର ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା।
ତାଙ୍କ ମୃତ୍ୟୁ ଖବର ପାଇ ପାକିସ୍ତାନର ରାଷ୍ଟ୍ରପତି ଅରିଫ୍ ଅଲଓ୍ଵି ଟୁଇଟ୍ କରି କହିଛନ୍ତି, ଡକ୍ଟର୍ ଅବ୍ଦୁଲ୍ କାଦୀର୍ ଖାଁଙ୍କ ଦେହାନ୍ତ ବିଷୟ ଜାଣି ଅତିଶୟ ଦୁଃଖିତ। ୧୯୮୨ରେ ତାଙ୍କ ସହ ବ୍ୟକ୍ତିଗତ ପରିଚୟ ହୋଇଥିଲା।
ତାଙ୍କ ମୃତ୍ୟୁ ସମ୍ବାଦ ଶୁଣି ଶୋକ ଜର୍ଜରିତ ହୋଇପଡ଼ିଥିବା କଥା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ପରେଓ୍ଵଜ୍ ଖାତ୍ତକ୍ କହିଛନ୍ତି। ସେ କହିଛନ୍ତି, ଜାତି ପ୍ରତି ତାଙ୍କର ସେବାକୁ ପାକିସ୍ତାନ ଚିରକାଳ ସ୍ମରଣ ରଖିବ! ଆମର ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି କରାଇବାରେ ତାଙ୍କର ଅବଦାନ ନିମନ୍ତେ ଜାତି ତାଙ୍କ ନିକଟରେ ଚିର ଋଣୀ।
Follow Us