କରମ ଡ୍ୟାମ ଜଳ ନିଷ୍କାସନରେ ସେନା ନିୟୋଜିତ: ୧୮ଟି ଗ୍ରାମର ୧୦ ହଜାର ଲୋକ ସ୍ଥାନାନ୍ତର

କରମ ଡ୍ୟାମ ଜଳ ନିଷ୍କାସନରେ ସେନା ନିୟୋଜିତ: ୧୮ଟି ଗ୍ରାମର ୧୦ ହଜାର ଲୋକ ସ୍ଥାନାନ୍ତର

Times of India

ଭୋପାଳ: ମଧ୍ୟପ୍ରଦେଶ ଧର୍‌ ଜିଲ୍ଲାର ନାଲଚା ନଦୀରେ ନିର୍ମାଣାଧୀନ କରମ ଡ୍ୟାମ୍‌ରେ ହୋଇଥିବା ପାଣି ଲିକ୍‌ ବନ୍ଦ ହେଉନାହିଁ। ସରକାରୀ ଇଞ୍ଜିନିୟରମାନେ ୪୮ ଘଣ୍ଟାରେ ଉକ୍ତ ଲିକ୍‌ ବନ୍ଦ କରିବାକୁ ସକ୍ଷମ ହୋଇନାହାନ୍ତି। ଫଳରେ ସେନାକୁ ଉକ୍ତ କାର୍ଯ୍ୟରେ ଲଗାଯାଇଛି। ଭୋପାଳଭିତ୍ତିକ ସୁଦର୍ଶନ ଚକ୍ର କର୍ପସରୁ ଯବାନମାନେ ଶନିବାର ରାତି ୨ଟାରେ ଆସି ପହଞ୍ଚିଛନ୍ତି। ସେମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ମେସିନ ସାହାଯ୍ୟରେ କାର୍ଯ୍ୟ ଚଳାଇଛନ୍ତି। ଆର୍ମି ଇଞ୍ଜିନିୟର୍ସ କର୍ପସର ୨ ଜଣ ଅଫିସର, ୧୫ ଜଣ ଜେସିଓ, ୪୦ ଜଣ ଯବାନ, ଜଳସମ୍ପଦ ବିଭାଗର ୪୦୦ ପାଖାପାଖି କର୍ମଚାରୀ ଉକ୍ତ କାର୍ଯ୍ୟରେ ଲାଗିଛନ୍ତି। ଜଳଭଣ୍ଡାରରୁ ପାଣି ଲିକ୍ ହେଉଥିବାରୁ ପ୍ରଶାସନ ୧୮ଟି ଗ୍ରାମରୁ ପାଖାପାଖି ୧୦ ହଜାର ଲୋକଙ୍କୁ ଏପର୍ଯ୍ୟନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିଛି। ସେମାନଙ୍କୁ ସରକାରୀ କୋଠା ଏବଂ ଧର୍ମଶାଳା ଆଦିରେ ରଖାଯାଇଛି। ଡ୍ୟାମର ତଳମୁଣ୍ଡରେ ବସବାସ କରୁଥିବା ଲୋକମାନେ ଆତଙ୍କ ଭିତରେ କାଳାତିପାତ କରୁଛନ୍ତି।

ଅନ୍ୟପଟେ ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇ ବାୟୁସେନାର ହେଲିକପ୍ଟର ମାଗିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବାୟୁସେନାର ଦୁଇଟି ହେଲିକପ୍ଟର ମଧ୍ୟ ଏଥିପାଇଁ ପ୍ରସ୍ତୁତ ରଖାଯାଇଛି। କରମ ଡ୍ୟାମର ୯୦ ପ୍ରତିଶତ କାର୍ଯ୍ୟ ସରିଛି। ପ୍ରଥମ ଥର ପାଇଁ ଚଳିତ ମୌସୁମୀ ଋତୁରେ ଏହି ଡ୍ୟାମ ପୂର୍ଣ୍ଣ ହୋଇଛି। କିନ୍ତୁ ଡ୍ୟାମରେ ଲିକ୍‌ ହୋଇଛି। ଡ୍ୟାମ ନିର୍ମାଣ ହୋଇଥିବା ପାହାଡ଼ର ବାମପାର୍ଶ୍ବରେ ସେନା ଆର୍ଥ ମୁଭର୍ସ ସାହାଯ୍ୟରେ ମାଟି ଖୋଳୁଛି। ଡ୍ୟାମର ଏହା ସର୍ବନିମ୍ନ ଅଞ୍ଚଳରେ ଥିବାରୁ ଏହି ବାଟ ଦେଇ ଜଳଭଣ୍ଡାରର ଜଳକୁ ନାଲଚା ନଦୀକୁ ଛଡ଼ାଯାଇ ପାରିବ। ‌ସେନାର ଏହି ରଣନୀତି କାର୍ଯ୍ୟ କରୁଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାରରୁ ପାଖାପାଖି ୪ ନିୟୁତ ଘନ ମିଟର ଜଳ ନଦୀକୁ ଛଡ଼ାଯାଇଥିବାବେଳେ ଜଳଭଣ୍ଡାରରେ ଏବେ ଆଉ ୬ରୁ୭ ନିୟୁତ ଘନ ମିଟର ଜଳ ରହିଛି। ଏହାକୁ ନଦୀକୁ ଛଡ଼ାଯିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe