ଶ୍ରୀନଗର: ଜମ୍ମୁ-କଶ୍ମୀରସ୍ଥିତ କୁପଓ୍ଵାରା ଜିଲ୍ଲା ଅନ୍ତର୍ଗତ ପାକ-ଭାରତ ନିୟନ୍ତ୍ରଣ ରେଖା (ଏଲ୍ଓସି) ଠାରେ ଶୁକ୍ରବାର ପାକିସ୍ତାନୀ ସ୍ନିପରଙ୍କ ଆକ୍ରମଣରେ ଜଣେ ସେନା ଯବାନ ସହିଦ ହୋଇଥିବା ସୂଚନା ରହିଛି। ପାକିସ୍ତାନୀମାନେ ଅଚାନକ ନିୟନ୍ତ୍ରଣ ରେଖା ନିକଟସ୍ଥ ଜୁମଗୁଣ୍ଡଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ । ସହିଦ ହୋଇଥିବା ଯବାନ ଜଣକ ହେଉଛନ୍ତି ସୁବେଦର୍ ଜାମାର୍ ଥାପା। ସେ ଜଣେ ଜୁନିୟର୍ କମିସନ୍ଡ ଅଫିସର୍ ଥିଲେ ବୋଲି ପ୍ରାଥମିକ ସୂଚନାରୁ ଖବର ରହିଛି। ସହିଦ ହେବା ବେଳକୁ ତାଙ୍କ ବୟସ ଥିଲା ୪୨ ବର୍ଷ।
ସହିଦ ଯବାନଙ୍କ ବ୍ୟତୀତ ଏହି ଆକ୍ରମଣରେ ଆହୁରି କିଛି ଯବାନ ଆହତ ହୋଇଛନ୍ତି। ଆକ୍ରମଣରେ ଆହତ ହୋଇଥିବା ଯବାନଙ୍କ ମଧ୍ୟରୁ ଜଣଙ୍କୁ ଦୁର୍ଗମୁଲାଠାରେ ଥିବା ମିଲିଟାରି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟ ଜଣେ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ଉତ୍ତର ଚିକିତ୍ସା ସକାଶେ ଶ୍ରୀନଗରରେ ଥିବା ସେନା ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
Follow Us