Image Courtesy of Hindustan Times
ଶ୍ରୀନଗର: ଜମ୍ମୁ ଓ କଶ୍ମୀର ପୁଲୱାମା ଜିଲ୍ଲାରେ ଗୁଳି ବିନିମୟ ଯୋଗୁଁ ଭାରତୀୟ ସେନାବାହିନୀର ଅନ୍ୟୂନ ଜଣେ ଯବାନ ସହିଦ ଏବଂ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା କଥା ବୁଧବାର ସକାଳେ ସରକାରୀ ଅଧିକାରୀମାନେ କହିଛନ୍ତି।
ପୁଲୱାମାର କାମରାଜିପୁରରେ ଗୁଳିବିନିମୟ ହୋଇଥିବା କଥା କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରିଛି। ବୁଧବାର ପ୍ରତ୍ୟୁଷରେ ନିରାପତ୍ତା ବଳ କାମରାଜିପୁରର ଗୋଟାଏ ଫଳ ବଗିଚାରେ ପହଞ୍ଚବା ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା।
ଏହି ଘଟଣାରେ ଆହତ ହୋଇଥିବା ଯବାନଜଣକ ପରେ ସହିଦ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଅଞ୍ଚଳରେ ଏବେ ମଧ୍ୟ ତଲାସ ଅଭିଯାନ ଚାଲିଛି।
Image Courtesy of Zee Newsସେନାର ଜଣେ ମୁଖପାତ୍ର କହିଛନ୍ତି, ଗୁଳିବିନିମୟ ସ୍ଥଳରୁ ଗୋଟିଏ ଏକେ-୪୭ ଆସଲ୍ଟ୍ ରାଇଫଲ୍, ଗ୍ରେନେଡ୍, ପାଉଚ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।
ଏଠାରେ ସ୍ମରଣ କରାଇଦିଆଯାଇ ପାରେ ଯେ, ଉତ୍ତର କଶ୍ମୀରର କୁପୱାରା ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ମଙ୍ଗଳବାର ଦିନ ଜଣେ ହିଜବୁଲ ମୁଜାହିଦୀନ ଆତଙ୍କବାଦୀଙ୍କ ସମେତ ପାଞ୍ଚଜଣଙ୍କୁ ନିରାପତ୍ତାବଳ ଗିରଫ କରିଥିଲା। ସେଠାରୁ ମଧ୍ୟ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।
Follow Us