ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାର ମାଣ୍ଟରୁ ଏକ ଦୁଃଖଦ ଓ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଦୁଃଖଦ ଏଥିପାଇଁ କାହିଁକି ନା ଝିଅର ବିବାହକୁ ମାତ୍ର ଦୁଇଦିନ ବାକିଥିବା ବେଳେ ଯବାନ ବାପା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇ ଦେଇଥିଲେ।
ହୃଦୟସ୍ପର୍ଶୀ ଏଥିପାଇଁ କି ଏହି ଦୁଃଖଦ ଘଟଣାର ଖବର ପାଇବା ପରେ ମୃତ ଯବାନଙ୍କ ସାଥୀମାନେ ମୃତକଙ୍କ ଘରେ ପହଞ୍ଚିଲେ। ବାପାର କର୍ତ୍ତବ୍ୟ ପାଳନ କରି ମୃତ ଯବାନଙ୍କ ଝିଅଙ୍କ କନ୍ୟାଦାନ କରିଥିଲେ। ଡିସେମ୍ବର ୭ ତାରିଖରେ ମାଣ୍ଟ ଥାନା ଅଞ୍ଚଳସ୍ଥ ୱାକାଲା ନିବାସୀ ଦେବେନ୍ଦ୍ର ସିଂଙ୍କ ଝିଅଙ୍କ ବିବାହ ହୋଇଥିଲା। ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି।
କାରଣ ଝିଅ ବିବାହକୁ ଆଉ ଦୁଇଦିନ ବାକି ଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ଦେବେନ୍ଦ୍ର ସିଂଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଦେବେନ୍ଦ୍ର ସିଂଙ୍କ ସହିତ କାରରେ ଥିବା ଅନ୍ୟ ଦୁଇଜଣ ବି ପ୍ରାଣ ହରାଇଥିଲେ। ଏହି ଦୁଃଖଦ ଘଟଣାପରେ ପରିବାରଲୋକ ଓ ଦେବେନ୍ଦ୍ରଙ୍କ ଝିଅ ବାପାଙ୍କୁ ହରାଇ ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିଲେ।
ଏଭଳି ଦୁଃଖ ସମୟରେ ସାଥୀ ସୋନବୀର ସିଂହ, ମୁକେଶ କୁମାର, ପ୍ରେମବୀର, ବିନୋଦ ଓ ବେତାଲ ସିଂହଙ୍କ ସମେତ ଜିତେନ୍ଦ୍ର କୁମାର ମୃତ ଯବାନ ଦେବେନ୍ଦ୍ର ସିଂହଙ୍କ ଘରେ ପହଞ୍ଚିଥିଲେ। ଆଉ ଝିଅର କନ୍ୟାଦାନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ବାପା ଛେଉଣ୍ଡ ଝିଅକୁ ବୁଝାଇସୁଝାଇ ଶାଶୁଘରକୁ ପଠାଇ ଦେଇଥିଲେ। ଏ ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଆପଣାଛାଏଁ ଜକେଇ ଆସିଥିଲା।
Follow Us